ମେଣ୍ଡିସ୍‌ ଓ ଡି’ସିଲ୍‌ଭା ଦ୍ୱିଶତକରୁ ବଞ୍ଚିତ

ବିଶାଳ ସ୍କୋର୍‌ ଅଭିମୁଖେ ଶ୍ରୀଲଙ୍କା

ଚିଟ୍ଟାଗଙ୍ଗ: ଚିଟ୍ଟାଗଙ୍ଗ ଟେଷ୍ଟ୍‍ର ପ୍ରଥମ ପାଳିରେ ଘରୋଇ ବାଂଲାଦେଶ ୫୧୩ ରନ୍‌ ଜବାବରେ ତୃତୀୟ ଦିନ ଶେଷ ସୁଦ୍ଧା ଶ୍ରୀଲଙ୍କା ୩ ଓ୍ଵିକେଟ୍‌ରେ ୫୦୪ ରନ୍‌ ସଂଗ୍ରହ କରି ବିଶାଳ ସ୍କୋର୍‌ ଅଭିମୁଖେ ଅଗ୍ରସର ହୋଇଛି। ହାତରେ ୭ ଓ୍ଵିକେଟ୍‌ ଥାଇ ଅତିଥି ଦଳ ମାତ୍ର ୯ ରନ୍‌ ପଛରେ ରହିଛି। ୩ ଦିନ ଖେଳ ଶେଷ ହୋଇଥିବାବେଳେ ଦୁଇଟି ପାଳି ଶେଷ ହୋଇନାହିଁ। ଶ୍ରୀଲଙ୍କାର ଦୁଇ ଯୁବ ଖେଳାଳି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କୁଶାଲ ମେଣ୍ଡିସ୍‌ (୧୯୬, ୩୨୭ ବଲ୍‌, ୨୨ ଚୌକା, ୨ ଛକା) ଏବଂ ୩ ନମ୍ବର ଧନଞ୍ଜୟ ଡି’ସିଲଭା (୧୭୩, ୨୨୯ ବଲ୍‌, ୨୧ ଚୌକା, ୧ ଛକା) ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ନିଜ ନିଜ ପ୍ରଥମ ଦ୍ୱିଶତକ ମାଇଲଖୁଣ୍ଟ ଛୁଇଁବାରେ ବିଫଳ ହୋଇଥିଲେ। ଉଭୟ କିନ୍ତୁ ନିଜ ନିଜର ଚତୁର୍ଥ ଟେଷ୍ଟ୍‍ ଶତକ ସହିତ ଖେଳ ଜୀବନର ଶ୍ରେଷ୍ଠ ପାଳି ଅର୍ଜନ କରିଥିଲେ। ଦ୍ୱିତୀୟ ଥର ପାଇଁ ମେଣ୍ଡିସ୍‌ କିନ୍ତୁ ଦ୍ୱିଶତକରୁ ବଞ୍ଚିତ ହେଲେ। ବାମହାତୀ ସ୍ପିନର୍‌ ତୈଜୁଲ ଇସ୍‌ଲାମ ତାଙ୍କୁ ଚା’ପାନ ବିରତି ପୂର୍ବରୁ ଆଉଟ୍‌ କରି ଦେଇଥିଲେ। ଗତବର୍ଷ ମାର୍ଚ ମାସରେ ଗଲ୍‌ ଟେଷ୍ଟ୍‍ରେ ମଧ୍ୟ ସମାନ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ବିପକ୍ଷରେ ମେଣ୍ଡିଜ୍‌ ୧୯୪ ରନ୍‌ରେ ଆଉଟ୍‌ ହୋଇଥିଲେ। ଏଥର ଅଧିକ ୨ ରନ୍‌ ଆଗେଇଥିଲେ ମଧ୍ୟ ୪ ରନ୍‌ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। କେବଳ ସେତିକି ନୁହେଁ ୪ଟି ଶତକରୁ ସେ ୩ ଥର ୧୭୬ ଟପିଥିଲେ ମଧ୍ୟ ଥରେ ବି ୨୦୦ ଛୁଇଁ ପାରିନାହାନ୍ତି। ତୃତୀୟ ଦିନ ଖେଳ ଶେଷ ବେଳକୁ ରୋଶନ ସିଲଭା (୮୭*, ୧୭୩ ବଲ୍‌, ୫ ଚୌକା, ୧ ଛକା) ଏବଂ ଅଧିନାୟକ ଦୀନେଶ ଚାନ୍ଦିମାଳ (୩୭*, ୯୦ ବଲ୍‌, ୧ ଚୌକା) ମଧ୍ୟ ଅପରାଜିତ ଥିଲେ। ଧନଞ୍ଜୟ ଡି’ସିଲଭା କିନ୍ତୁ ଶୁକ୍ରବାର ୧,୦୦୦ ରନ୍‌ ପୂର୍ଣ୍ଣ କରିବାରେ ରୟ ଡାଏସଙ୍କ ଦ୍ରୁତତମ ଜାତୀୟ କୀର୍ତିମାନକୁ ପଛରେ ପକାଇ ଦେଇଥିଲେ।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ପ୍ରଥମ ପାଳି: ୫୧୩ (ମୋମିନୁଲ ହକ୍‌-୧୭୬, ମୁସଫିକର ରହିମ-୯୨, ମହମ୍ମଦୁଲ୍ଲା-୮୩*, ତମିମ ଇକବାଲ-୫୨, ଇମ୍ରୁଲ କେୟସ୍‌-୫୦, ସୁରଙ୍ଗା ଲାକମଲ-୩/୬୮, ରଙ୍ଗଣା ହେରାଥ-୩/୧୫୦)। ଶ୍ରୀଲଙ୍କା ପ୍ରଥମ ପାଳି: ୧୩୮ ଓଭରରେ ୫୦୪/୩ (ଧନ୍ୟଞ୍ଜୟ ଡି’ସିଲଭା-୧୯୬, କୁଶାଳ ମେଣ୍ଡିସ୍‌-୧୭୩, ରୋଶନ ସିଲଭା-୮୭*, ଦୀନେଶ ଚାନ୍ଦିମାଳ-୩୭*, ମୁସ୍ତାଫିଜୁର୍‌ ରହମାନ୍‌-୧/୮୮, ମେହେଦି ହାସନ ୧/୯୭, ତୈଜୁଲ ଇସଲାମ୍‌-୧/୧୪୪)।

ସମ୍ବନ୍ଧିତ ଖବର