ଆଇପିଏଲ: ପଂଜାବକୁ ୬ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୋହାଲି : ମୋହାଲିଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୬ତମ ମ୍ୟାଚରେ ପଂଜାବକୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୨୧୫ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୪ ୱିକେଟ ହରାଇ ୨୧୬ରନ୍‌ କରି ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ଇଶାନ୍ କିଶାନ୍ ୭୫ ରନ୍‌ ଓ ସୂର୍ଯ୍ୟକୁମାର ଯାଦବ ୬୬ ରନ୍‌ କରିଥିବା ବେଳେ ତିଲକ ଭର୍ମା ୧୦ ବଲରେ ୨୬ ରନ୍‌ କରି ମୁମ୍ବାଇକୁ ବିଜୟ ଦେଇଥିଲେ । ଅନ୍ୟପଟେ ପଂଜାବ ପକ୍ଷରୁ ନାଥାନ୍ ଏଲିସ୍ ୨ଟି ୱିକେଟ, ଅର୍ଶଦୀପ ସିଂ, ରିଷି ଧାୱନ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୬ଷ୍ଠରେ ରହିଛି ।

ପ୍ରଥମ ପାଳିରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ପକ୍ଷରୁ ୨୦ଓଭରରେ ୩ ଓ୍ବିକେଟ ହରାଇ ୨୧୪ ରନ କରାଯାଇଥିଲା । ଦଳ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ଅପରାଜିତ ୮୨ ରନ କରିଥିବାବେଳେ ଜିତେଶ ଶର୍ମା ୪୯ ରନ କରିଥିଲେ । ଲିଭିଙ୍ଗଷ୍ଟୋନ ମାତ୍ର ୪୨ଟି ବଲରେ ୪ଟି ଛକା ଓ ୭ଟି ଚୌକା ସହ ଏହି ସ୍କୋର କରିଥିଲେ । ସେହିପରି ଶିଖର ଧଓ୍ବନ ୩୦ରନ ଓ ମାଥ୍ୟ ସର୍ଟ ୨୭ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାଓ୍ବଲା ୨ଟି ଓ ଅରସଦ ଖାଁ ଗୋଟିଏ ଓ୍ବିକେଟ ନେଇଥିଲେ ।

ଆଇପିଏଲରେ ବୁଧବାରଦିନ ୨ଟି ମ୍ୟାଚ ଥିବାବେଳେ ପ୍ରଥମ ମ୍ୟାଚଟି ଲକ୍ଷ୍ନୌ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଥିଲା । କିନ୍ତୁ ବର୍ଷା କାରଣରୁ ମ୍ୟାଚଟି ଅଧାରୁ ବନ୍ଦ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୧୯.୨ ଓଭରରେ ୭ ଓ୍ବିକେଟ ହରାଇ ୧୨୫ରନ କରିଥିଲା । ଏହା ପରେ ବର୍ଷା ହେବାରୁ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଥିଲା ।

ସମ୍ବନ୍ଧିତ ଖବର