ବୁମରାଙ୍କ ବିରଳ ‘ୱିକେଟ୍ ଶୂନ୍ୟ’

ଦ୍ରୁତ ବୋଲରଙ୍କ ହାର ୧୧୪.୬୦, ମୋଟ ୫ ୱିକେଟ୍

ଗତ କିଛି ବର୍ଷ ହେବ ଯୁବ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃ୍ତ୍ବ ନେଇଆସୁଛନ୍ତି। ଅଣପାରମ୍ପରିକ ବୋଲିଂ ଶୈଳୀ ସତ୍ତ୍ବେ ସେ ନିଜକୁ ଜଣେ ବିଶ୍ବସ୍ତରୀୟ ବୋଲର ଭାବେ ସ୍ଥାପିତ କରି ସାରିଛନ୍ତି। ୪ ମାସର ବ୍ୟବଧାନ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ‌ବୁମ୍‌ରା ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ଦିନିକିଆ ଶୃଙ୍ଖଳାରେ ଆଶ୍ଚର୍ଯ୍ୟଜନକ ଭାବେ ସେ ପ୍ରଭାବହୀନ ରହିଥିଲେ। ବିରଳ ବିଫଳତା ପାଇ ତିନିଟି ଯାକ ଏକଦିବସୀୟ ମୁକାବିଲାରେ ସେ ୱିକେଟ୍ ଶୂନ୍ୟ ରହିଥିଲେ। ୩୦ ଓଭର ବୋଲିଂ କରି ୫.୫୬ ହାରରେ ୧୬୭ ରନ୍ ବ୍ୟୟ କରିଥିଲେ ମଧ୍ୟ ବୁମ୍‌ରା ଗୋଟିଏ ବି ୱିକେଟ୍ ପାଇ ନଥିଲେ। ନ୍ୟୁଜିଲାଣ୍ଡ ବୋଲର ମିଚେଲ ସାଣ୍ଟନର ଓ ଭାରତୀୟ ଯୁବ ବୋଲର ନଭଦୀପ ସୈନିଙ୍କ ଛଡ଼ା ବୁମ୍‌ରା ଶୃଙ୍ଖଳାରେ ୱିକେଟ୍ ଶୂନ୍ୟ ରହିଥିଲେ। ମୋଟ ଉପରେ ଲଗାତର ଚତୁର୍ଥ ଦିନିକିଆରେ ବୁମରା ଗୋଟିଏ ହେଲେ ବି ୱିକେଟ୍ ଅର୍ଜନ କରିନାହାନ୍ତି। ଏହା ମଧ୍ୟ ଭାରତ ପରାଜୟର ଅନ୍ୟତମ କାରଣ ଥିଲା। ଏସବୁ ସତ୍ତ୍ବେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ବୁମ୍‌ରାଙ୍କୁ ଜଣେ ବିଶ୍ବସ୍ତରୀୟ ବୋଲର ଭାବେ ବର୍ଣ୍ଣନା କରିଛନ୍ତି। କ୍ରିକେଟ୍‌ରେ କେବେ କେବେ ଏମିତି ହୁଏ‌ ବୋଲି ସେ କହିଛନ୍ତି। ଏବେ ଟେଷ୍ଟ୍‌ ଶୃଙ୍ଖଳାରେ ଭାରତୀୟ ଦ୍ରୁତ ବୋଲର ଭଲ କରିବେ ବୋଲି ଅଧିନାୟକ ବିରାଟ କୋହଲି ଆଶା ରଖିଛନ୍ତି।

ଦ୍ରୁତ ବୋଲରଙ୍କ ହାର ୧୧୪.୬୦, ମୋଟ ୫ ୱିକେଟ୍
ଶୃଙ୍ଖଳାରେ ଭାରତୀୟ ଦ୍ରୁତ ବୋଲର ମିଳିତ ଭାବେ ମାତ୍ର ପାଞ୍ଚ ୱିକେଟ୍ ଅକ୍ତିଆର କରିଥିଲେ। ସେମାନଙ୍କ ୱିକେଟ୍ ନେବା ହାର ଥିଲା ୧୧୪.୬୦। ମିଳିତ ଭାବେ ସେମାନେ ୮୫.୨ ଓଭର ବୋଲିଂ କରିଥିଲେ। ‌ଭାରତୀୟ ଦ୍ରୁତ ବୋଲିଂ ବାହିନୀ କରାୟତ୍ତ କରିଥିବା ୫ ୱିକେଟ୍ ମଧ୍ୟରୁ ଶାର୍ଦୁଲ ଠାକୁର ୪ ୱିକେଟ୍ ନେଇଥିଲେ। ଅନ୍ୟ ୱିକେଟ୍‌ଟି ମହମ୍ମଦ ସାମି ପାଇଥିଲେ। ବୁମ୍‌ରା ଓ ସୈନି କୌଣସି ୱିକେଟ୍ ପାଇ ନଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲରମାନେ ୪୧ ଓଭର ବୋଲିଂ କରି ୧୮ ୱିକେଟ୍ ନେଇଥିଲେ। ଭାରତୀୟ ଖେଳାଳିଙ୍କଠାରୁ ଘରୋଇ ଖେଳାଳିମାନେ ମଧ୍ୟ ବହୁତ ଭଲ କ୍ଷେତ୍ରରକ୍ଷଣ କରିଥିଲେ।

ସମ୍ବନ୍ଧିତ ଖବର