ୱଜ୍‌ନିଆକିଙ୍କ ବିଦାୟ; ନାଦାଲଙ୍କ ସହଜ ବିଜୟ

ପ୍ୟାରିସ୍‌: ଗତବର୍ଷର ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ କାରୋଲିନା ୱଜ୍‌ନିଆକିଙ୍କ ଚଳିତ ବର୍ଷର ଫ୍ରେଞ୍ଚ୍‌ ଓପନ୍‌ ଅଭିଯାନ ପ୍ରଥମ ରାଉଣ୍ଡ୍‌ରୁ ହିଁ ଶେଷ ହୋଇଯାଇଛି। ପୂର୍ବତନ ବିଶ୍ବ ମାନ୍ୟତାର ଶୀର୍ଷ ଏହି ଡେନ୍‌ମାର୍କ ଲଳନା ରୋଲାଁ ଗ୍ୟାରୋସ୍‌ରେ ସୋମବାର ମହିଳା ଏକକ ପ୍ରଥମ ରାଉଣ୍ଡ୍‌ରେ ପ୍ରଥମ ସେଟ୍‌କୁ ୬-୦ରେ ଜିତିବା ସତ୍ତ୍ବେ ବିଶ୍ବ ମାନ୍ୟତାର ୬୮ ରୁଷୀୟ ଖେଳାଳି ଭେରୋନିକା କୁଦେରମେଟୋଭାଙ୍କଠୁ ପରବର୍ତୀ ଦୁଇ ସେଟ୍‌ ହାରି ଦୁଃଖଦ ବିଦାୟ ନେଇଛନ୍ତି। ଭେରୋନିକା ୦-୬ରେ ପଛଆ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ଦୁଇ ସେଟ୍‌କୁ ଯଥାକ୍ରମେ ୬-୩ ଓ ୬-୩ରେ ଜିତି ତ୍ରୟୋଦଶ ମାନ୍ୟତା ୱଜ୍‌ନିଆକିଙ୍କୁ ବିଦାୟ ରାସ୍ତା ଦେଖାଇ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ, ଫ୍ରେଞ୍ଚ୍‌ ଓପନ୍‌ରେ ୧୨ ଥର ପ୍ରତିଦ୍ବନ୍ଦ୍ବିତା କରିଥିବା ୱଜ୍‌ନିଆକି ଏପର୍ଯ୍ୟନ୍ତ କେବେ ବି କ୍ବାର୍ଟର ଫାଇନାଲ୍‌ ଅତିକ୍ରମ କରିପାରିନାହାନ୍ତି। ସେହିପରି ୩୨ତମ ମାନ୍ୟତା ଆଲେକ୍‌ଜାନ୍ଦ୍ରା ସାସ୍‌ନୋଭିକ୍‌ ମଧ୍ୟ ପ୍ରଥମ ରା‌ଉଣ୍ଡ୍‌ରୁ ବିଦା ହୋଇଯାଇଛନ୍ତି। ତାଙ୍କୁ ୪-୬, ୬-୨ ଓ ୮-୬ ସେଟ୍‌ରେ ପୋଲୋନା ହର୍କଗ୍‌ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ଅଷ୍ଟାଦଶ ମାନ୍ୟତା ଜୁଲିଆ ଜର୍ଜେସ୍‌ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ‌ନେଇଛନ୍ତି। ତେବେ ଚତୁର୍ଥ ମାନ୍ୟତା କିକି ବର୍ତେନ୍‌ସ, ଅଷ୍ଟମ ମାନ୍ୟତା ଆସ୍‌ଲେ ବାର୍ତି, ଦ୍ବାଦଶ ମାନ୍ୟତା ଆନାସ୍ତେସିଆ ସେଭାତ୍ସୋଭା, ୨୬ତମ ମାନ୍ୟତା ଜୋହାନା କୋଣ୍ଟା ଏବଂ ୨୩ତମ ମାନ୍ୟତା ଡୋନା ଭେକିକ୍‌ ସିଧାସଳଖ ସେଟ୍‌ ବିଜୟ ସହ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି।

ପୁରୁଷ ଏକକରେ ସ୍ପେନ୍‌ ତାରକା ରା‌ଫେଲ ନାଦାଲ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ପ୍ରଥମ ରାଉଣ୍ଡ୍‌ରେ ବିଶ୍ବ ମାନ୍ୟତାର ଦ୍ବିତୀୟ ନାଦାଲ ସିଧାସଳଖ ୬-୨, ୬-୧ ଓ ୬-୩ ସେଟ୍‌ରେ ଅନଭିଜ୍ଞ ୟାନିକ୍‌ ହାନ୍‌ଫମାନ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏହି ପୂର୍ବ ବିଜେତା ନାଦାଲ ମଧ୍ୟ ରୋଲାଁ ଗ୍ୟାରସ୍‌ରେ ୧୨ ଥର ଏବଂ ମୋଟ ଉପରେ ଅଷ୍ଟାଦଶ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାସଲ ଦିଗରେ ପ୍ରଥମ ପାଦ ବଢ଼ାଇଛନ୍ତି। ଯଦି ଏଥର ନାଦାଲ ବିଜେତା ହୁଅନ୍ତି, ତେବେ ସେ ଗୋଟିଏ ଗ୍ରାଣ୍ଡ୍‌ ସ୍ଲାମ୍‌କୁ ୧୨ ଥର ଜିତିବାରେ ପ୍ରଥମ ଖେଳାଳିର କୀର୍ତିମାନ ପାଇବେ।

ସମ୍ବନ୍ଧିତ ଖବର