ଜାତୀୟ ଦୌଡ଼କୁଦ: ଅମିୟଙ୍କୁ କାଂସ୍ୟ, ଆହତ ଦୂତି ଚତୁର୍ଥ

ଭୁବନେଶ୍ବର: ପାତିଆଲାରେ ଚାଲିଥିବା ୬୦ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଶନିବାର ଓଡ଼ିଶାକୁ ଯୁଗଳ ଝଟକା ଲାଗିଛି।‌ ଜାତୀୟ ରେକର୍ଡଧାରୀ ଦୁଇ ଓଡ଼ିଆ ଦୂତି ଚାନ୍ଦ ଓ ଅମିୟ ମଲ୍ଲିକ ନିରାଶ କରିଛନ୍ତି। ଅମିୟ ୧୦୦ ମିଟର୍‌ ଦୌଡ଼ ଫାଇନାଲରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସ ଆଶାୟୀ ଦୂତି ଚାନ୍ଦ ଆହତ ସମସ୍ୟାରେ ପଡ଼ି ଚତୁର୍ଥରେ ରହି ୧୦୦ ମିଟର୍‌ ଜାତୀୟ ମୁକୁଟ ହରାଇଛନ୍ତି।

ଶୁକ୍ରବାର ୧୦.୫୦ ସେକେଣ୍ଡ୍‌ ସମୟ ସହ ଫାଇନାଲକୁ ଉନ୍ନୀତ ହୋଇଥିବା ଅମିୟ ଶନିବାର ୧୦.୪୯ ସେକେଣ୍ଡ୍ ସମୟ ସହ କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲେ। ସୂଚନାଯୋଗ୍ୟ, ଅମିୟଙ୍କ ନାମରେ ଗତ ୫ ବର୍ଷ ଧରି ୧୦୦ ମିଟର୍‌ ଜାତୀୟ କୀର୍ତ୍ତିମାନ (୧୦.୨୬ ସେକେଣ୍ଡ୍) ରହିଛି। ଟୋକିଓ ଅଲିମ୍ପିକ୍ସ ପୁରୁଷ ୧୦୦ ମିଟର୍‌ ପାଇଁ ଯୋଗ୍ୟତା ମାନଦଣ୍ଡ (୧୦.୦୫ ସେକେଣ୍ଡ୍‌)ଠାରୁ ସେ ଢେର ପଛରେ ରହିଥିଲେ। ତେବେ ଟୋକିଓ ଟିକେଟ୍‌ର ଦୃଢ଼ ଦାବିଦାର ଦୂତି ଚାନ୍ଦ ଶନିବାର ସକାଳେ ୧୦.୭୬ ସ‌େକେଣ୍ଡ୍ ସମୟ ସହ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ ମଧ୍ୟ ରାତିରେ ୧୧.୬୨ ସେକେଣ୍ଡ୍ ସହ ଚତୁର୍ଥରେ ରହିଥିଲେ। ଫାଇନାଲ୍ ରେସ୍ ପୂର୍ବରୁ ଦୂତିଙ୍କ ମାଂସପେଶୀ ଟାଣି ‌ହୋଇଯାଇଥିବାରୁ ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ‘ଶନିବାର ମୋ ପାଇଁ ଭଲ ନଥିଲା’ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜୟିନୀ ଦୂତି ପ୍ରକାଶ କରିଥିଲେ। ଗତ ସପ୍ତାହରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ୧୧.୧୭ ସେକେଣ୍ଡ୍ ସମୟ ସହ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିବା ଦୂତି ମାତ୍ର ୦.୦୨ ସେକେଣ୍ଡ୍ ପାଇଁ ଟୋକିଓ ଟିକେଟ (୧୧.୧୫ ସେକେଣ୍ଡ)ରୁ ବଞ୍ଚିତ ହୋଇଥିଲେ। ଏବେ ଦୂତିଙ୍କ ପାଇଁ ଟୋକିଓ ଯିବାର ଏକମାତ୍ର ବାଟ ହେଉଛି ବିଶ୍ବ ମାନ୍ୟତା। ସ୍ପ୍ରିଣ୍ଟ୍‌ରେ ୫୬ ଜଣ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଥିବା ବେଳେ ବିଶ୍ବ ମାନ୍ୟତାର ଦୂତି ୧୦୦ ମିଟରରେ‌ ୪୪ ଓ ୨୦୦ ମିଟର୍‌ରେ ୫୧ରେ ରହିଛନ୍ତି। ତା’ ପୁଣି କୋଭିଡ୍‌ ପରିସ୍ଥିତିରେ ଆୟୋଜକଙ୍କ ସୀମିତ ସଂଖ୍ୟା ଉପରେ ନିର୍ଭର କରୁଛି। ମୋଟ ଉପରେ ଦେଖିଲେ ଦୂତିଙ୍କ ଟୋକିଓ ଟିକେଟ୍ ଆଶା ମଉଳିଯାଉଛି। ବିଶ୍ବ ମାନ୍ୟତା ଭିତ୍ତିରେ ଯୋଗ୍ୟତା ଅର୍ଜନର ଶେଷ ତାରିଖ ଜୁନ୍ ୨୯ ରହିଛି।

ଶନିବାର ୧୦୦ ମିଟର୍‌ ମହିଳା ଦୌଡ଼ର ଫାଇନାଲରେ ତାମିଲନାଡୁର ଏସ୍‌ ଧନଲକ୍ଷ୍ମୀ ୧୧.୫୨ ସେକେଣ୍ଡ୍ ସହିତ ସ୍ବର୍ଣ୍ଣ ପଦକ ଜିତିଥିଲେ। ଗତ ଫେଡେରେସନ୍‌ କପ୍‌ରେ ଦୂତିଙ୍କୁ ପଛରେ ପକାଇଥିବାରୁ ଏବେ ଧନଲକ୍ଷ୍ମୀ ଦେଶର ଦ୍ରୁତତମ ଧାବିକା ହୋଇଛନ୍ତି। ଧନଲକ୍ଷ୍ମୀ ମଧ୍ୟ ମାର୍ଚ୍ଚ ମାସର ଫେଡେରେସନ୍‌ କପ୍‌ ବେଳେ ୨୩.୨୬ ସେକେଣ୍ଡ୍ ଟାଇମିଂ ସହ କିଂବଦନ୍ତି ଧାବିକା ପିଟି ଉଷ‌ାଙ୍କ ୨୩ ବର୍ଷ ଦଳର ୨୦୦ ମିଟର୍‌ ଜାତୀୟ କୀର୍ତ୍ତିମାନ (୨୩.୩୦ ସ‌େକେଣ୍ଡ)କୁ ପଛରେ ପକାଇ ଚର୍ଚ୍ଚାକୁ ଆସିଥିଲେ। ୧୦୦ ମିଟରରେ ଶନିବାର ଆମଶା ଡି’ ସିଲଭା (୧୧.୫୯ ସେକେଣ୍ଡ୍‌) ଏବଂ ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ (୧୧.୬୦ ସେକେଣ୍ଡ୍‌) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର