ଭୁବନେଶ୍ବର: ମହାରାଷ୍ଟ୍ରର ଔରଙ୍ଗାବାଦରେ ଆରମ୍ଭ ହୋଇଥିବା ନବମ ଜାତୀୟ ପୁରୁଷ ହକି (ଏ ଡିଭିଜନ) ପ୍ରତିଯୋଗିତାରେ ରବିବାର ଓଡ଼ିଶାର ଉଭୟ ଦଳ ନିଜ ନିଜ ମ୍ୟାଚ୍ ଅମୀମାଂସିତ ରଖିଛନ୍ତି। ପୁଲ୍ ‘ସି’ରେ ସ୍ଥାନ ପାଇଥିବା ହକି ଗାଙ୍ଗପୁର ଦଳ ଦିଲ୍ଲୀ ହକି ସହିତ ୩-୩ ଗୋଲ୍ରେ ପଏଣ୍ଟ୍ ବାଣ୍ଟିଥିଲା। ଗାଙ୍ଗପୁର ପକ୍ଷରୁ ପୁରଣ କେରକେଟା (୧୮ ମିନିଟ), ଶିବରେନ୍ ଲାକ୍ରା (୩୭ ମିନିଟ), ଅନ୍ତର୍ଜାତୀୟ ଅଭିଜ୍ଞ ସୁଦୀପ ଚିର୍ମାକୋ (୪୩ ମିନିଟ୍) ଗୋଲ୍ ଦେଇଥିଲେ। ଦିଲ୍ଲୀ ପାଇଁ ଅଧିନାୟକ ଅମିତ (୧୯ ମିନିଟ), ଚେତନ ଶର୍ମା (୩୪ ମିନିଟ) ଏବଂ ସାହିଲ କୁମାର (୩୬ ମିନିଟ) ଗୋଲ୍ ଦେଇଥିଲେ। ଏକଦା ଗାଙ୍ଗପୁର ଦଳ ୧-୩ରେ ପଛୁଆ ରହିଥିବା ବେଳେ ଶିବରେନ୍ ଓ ସୁଦୀପଙ୍କ ଗୋଲ୍ ବଳରେ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ପୁଲ୍ ‘ଡି’ରେ ହକି ଓଡ଼ିଶା ପ୍ରତିପକ୍ଷ ଷ୍ଟିଲ୍ ପ୍ଲାଣ୍ଟ୍ ସ୍ପୋର୍ଟସ ବୋର୍ଡ (ଏସପିଏସ୍ବି) ସହିତ ୧-୧ ଗୋଲ୍ରେ ମ୍ୟାଚ୍ ଅମୀମାଂସିତ ରଖିଥିଲା। ମ୍ୟାଚ୍ର ୪୨ତମ ମିନିଟରେ ସୁବାଷ ବାର୍ଲାଙ୍କ ଗୋଲ୍ରେ ଓଡ଼ିଶା ଆଗୁଆ ହୋଇଥିଲା। ୫୭ତମ ମିନିଟରେ କିଙ୍ଗସନ୍ ଥକଚମ୍ ଗୋଲ୍ ଦେଇ ମ୍ୟାଚ୍କୁ ସମାନ ସ୍ତରକୁ ନେଇ ଆସିଥିଲେ। ସୋମବାର ଗାଙ୍ଗପୁର ଦଳ ମହାରାଷ୍ଟ୍ର ସହିତ ଏବଂ ଓଡ଼ିଶା ମଙ୍ଗଳବାର ପିଏସବି ସହିତ ଖେଳିବ।