ଜାତୀୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ଉଦ୍‌ଘାଟିତ, ବିଜୟରୁ ଶ୍ରୁତି, ପାର୍ଥଙ୍କ ଅଭିଯାନ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ (ଓଏସ୍‌ବିଏ) ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ସହଯୋଗରେ ୩୩ତମ ଜାତୀୟ ଉପକନି‌ଷ୍ଠ (୧୫ ଓ ୧୭ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମ‌୍‌ରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ (ବିଆଇଏ)ର ଉପାଧ୍ୟକ୍ଷ ଡି ଶର୍ମା, ଓଏସ୍‌ବିଏ ଅଧ୍ୟକ୍ଷ ରୋହିତ ପୂଜାରୀ ଏବଂ ପ୍ରତିଯୋଗିତାର କନ୍‌ଭେନର ରାଜେଶ ପାଟିଲ ପ୍ରମୁଖ ଉପସ୍ଥିତ ହୋଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ସଦ୍ୟ ବାଲାଂଦେଶ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜର୍‌ ମହିଳା ଯୁଗଳ ଉପବିଜୟିନୀ ଋତୁପର୍ଣ୍ଣା ପଣ୍ଡା ଯୋଗ ଦେଇ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।

ଏହି ପ୍ରତିଯୋଗିତାରେ ଓଡ଼ିଶାର ଶ୍ରୁତି ସ୍ବାଇଁ ଓ ପାର୍ଥସାରଥି ମିଶ୍ର ବିଜୟରୁ ନିଜ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ଏକକରେ ଶ୍ରୁତି ୨୧-୭, ୨୧-୪ରେ ମୈଥିଲି ପାଲଙ୍କୁ ଏବଂ ୧୭ ବର୍ଷରୁ କମ୍‌ ବାଳକରେ ପାର୍ଥସାରଥି ୨୧-୬, ୨୧-୧୦ରେ ଶ୍ରୀଜନ ଦାସଙ୍କୁ ପରାସ୍ତ କରି ଅଗକୁ ବଢ଼ିଛନ୍ତି। ତେବେ ୧୭ ବର୍ଷରୁ କମ୍‌ ବାଳକରେ ଆରବ ଦାସ ୨୧-୧୬, ୧୩-୨୧, ୬-୨୧ ନନ୍ଦିଭର୍ଦ୍ଧା ମୁମ୍ମନାଙ୍କଠୁ, ଆର୍ଯ୍ୟ ମାଝୀ ୧୭-୨୧, ୧୧-୨୧ରେ ଆର୍ଯ୍ୟନ୍‌ ପଲଙ୍କଠୁ ହାରି ଯାଇଥିଲେ। ୧୫ ବର୍ଷରୁ କମ୍‌ ବାଳକରେ ପ୍ରିୟାଂଶୁ ମହାନ୍ତି ୧୩-୨୧, ୧୧-୨୧ରେ ସାତ୍ବିକ ଶଙ୍କରଙ୍କଠୁ ଓ ବାଳିକାରେ ହର୍ଷିତା ରାଉତ ୨୧-୧୫, ୧୯-୨୧, ୧୯-୨୧ ହିମାନୀ ସର୍ଦାରଙ୍କଠୁ ପରାଜିତ ହୋଇଥିଲେ। ୧୭ ବର୍ଷରୁ କମ୍‌ ମିଶ୍ରିତ ଯୁଗଳରେ ଶ୍ରୁତି ସ୍ବାଇଁ ଓ ଆୟୁଷ ଦାଶ ୨୦-୨୨, ୧୯-୨୧ରେ ସାଲୋନି କୁମାରୀ ଓ ମନୀଷ କୁମାରଙ୍କଠୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର