ଜାତୀୟ କନିଷ୍ଠ କବାଡ଼ି: ପ୍ରି-କ୍ୱାର୍ଟରରୁ ଓଡ଼ିଶା ବିଦା

କଟକ: ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଗୁରୁବାର ପ୍ରି-କ୍ୱାର୍ଟରରେ ଉଭୟ ପରାସ୍ତ ହୋଇଥିବାରୁ ଏଭଳି ନିରାଶ ହେବାକୁ ପଡ଼ିଛି। ସଂଧ୍ୟାରେ ଜବାହାରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥିବା ବାଳକ ବିଭାଗ ପ୍ରି-କ୍ୱାର୍ଟର ମୁକାବିଲାରେ ଦିଲ୍ଲୀ ୩୭-୨୨ରେ ଓଡ଼ିଶାକୁ ହରାଇଥିଲା। ଆରମ୍ଭରୁ ଓଡ଼ିଶା ଭଲ ପଏଣ୍ଟ ପାଉଥିଲେ ବି ଦିଲ୍ଲୀ ଅଗରେ ରହିଥିଲା। ପଏଣ୍ଟକୁ ନେଇ ମଝିରେ ଏକାଧିକ ଥର ଉଭୟ ଦଳର ଖେଳାଳି ଓ ପ୍ରଶିକ୍ଷକଙ୍କ ଭିତରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା, କିନ୍ତୁ ଶେଷରେ ଓଡ଼ିଶାକୁ ମ୍ୟାଚରେ ହାରିବାକୁ ପଡ଼ିଥିଲା। ସେହିପରି ବାଳିକା ବିଭାଗର ମ୍ୟାଚରେ ହରିୟାଣା ୩୮-୧୯ରେ ଓଡ଼ିଶାକୁ ଏକତରଫା ଭାବେ ପରାସ୍ତ କରିଥିଲା।

ପ୍ରି-କ୍ୱାର୍ଟରରେ ଖେଳାଯାଇଥିବା ବାଳକ ବିଭାଗର ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ସାଇ ୫୮-୧୮ରେ ଚଣ୍ଡିଗଡ଼କୁ, ପଞ୍ଜାବ ୪୨-୪୦ରେ ଗୁଜୁରାଟକୁ, ମହାରାଷ୍ଟ୍ର ୪୧-୨୫ରେ ପଣ୍ଡିଚେରୀକୁ, ଉତ୍ତରପ୍ରଦେଶ ୩୧-୨୪ରେ ହିମାଚଳ ପ୍ରଦେଶକୁ, ହରିୟାଣା ୪୯-୩୫ରେ କର୍ଣ୍ଣାଟକକୁ, କେରଳ ୪୨-୩୦ରେ ତେଲେଙ୍ଗାନାକୁ, ରାଜସ୍ଥାନ ୪୧-୨୮ରେ ତାମିଲନାଡୁକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ସେହିପରି ବାଳିକାରେ ସାଇ ୫୩-୧୯ରେ ପଞ୍ଜାବକୁ, ପଶ୍ଚିମବଙ୍ଗ ୫୬-୧୪ରେ ମଧ୍ୟପ୍ରଦେଶକୁ, ଆନ୍ଧ୍ରପ୍ରଦେଶ ୨୨-୨୧ରେ ତେଲେଙ୍ଗାନାକୁ, ଉତ୍ତରପ୍ରଦେଶ ୩୧-୩୦ରେ ଦିଲ୍ଲୀକୁ, ତାମିଲନାଡୁ ୪୭-୨୧ରେ କର୍ଣ୍ଣାଟକକୁ, ମହାରାଷ୍ଟ୍ର ୪୧-୩୨ରେ ବିହାରକୁ ହରାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ହାଇଟେକ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ନିର୍ଦ୍ଦେଶକ ପ୍ରଭୂଚରଣ ମହାନ୍ତି, ଆଦିତ୍ୟ ବାହିନୀର ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର୍ର ପ୍ରମୁଖ ଅତିଥି ଭାବେ ଯୋଗଦେବେ।

ଉଭୟ ସେମିରେ ସାଇ

ଭାରତୀୟ କ୍ରୀଡ଼ା ପ୍ରଧିକରଣ (ସାଇ) ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ବାଳିକା ବିଭାଗରେ ସାଇର ମୁକାବିଲା ଉତ୍ତରପ୍ରଦେଶ ସହ ହେବ। ସେହିପରି ଏହି ବିଭାଗର ଅନ୍ୟଏକ ସେମିଫାଇନାଲ୍‌ ହରିୟାଣା ଓ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହେବ। ବାଳକ ବିଭାଗ ସେମିଫାଇନାଲ୍‌ରେ ସାଇ-ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ-ତାମିଲନାଡୁ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର