ଅଲିମ୍ପିକ୍ସରେ ଭାରତର ନୂଆ ମହାନାୟକ ନୀରଜ: ସ୍ୱର୍ଣ୍ଣ ସ୍ୱପ୍ନ ସାକାର

ଜାଭେଲିନ୍‌ରେ ନୀରଜ ଜିତିଲେ ସ୍ୱର୍ଣ୍ଣ, ୧୨୧ ବର୍ଷ ପରେ ଭାରତକୁ ଆଥଲେଟିକ୍ସ ପଦକ

ବଜରଙ୍ଗ ବି ଦେଲେ କାଂସ୍ୟ, ୭ ପଦକ ସହ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଟୋକିଓ : ୧୨୧ ବର୍ଷ ଧରି ପ୍ରତ୍ୟେକ ଭାରତବାସୀ ଚାତକ ଭଳି ଅପେକ୍ଷା କରି ରହିଥିବା ସେହି ସ୍ବର୍ଣ୍ଣିମ, ସ୍ମରଣୀୟ ଓ ପ୍ରତୀକ୍ଷିତ ଶୁଭମୁହୂର୍ତ୍ତ ଶନିବାର ଆସିଯାଇଛି। ଭାରତ ଆଜି ନିଜ ଅଲିମ୍ପିକ୍ସ ଇତିହାସର ସର୍ବାଧିକ ପଦକ ଜିତିବା ସହ ଆଥଲେଟିକ୍ସରୁ ପାଇଛି ପ୍ରଥମ ସ୍ବର୍ଣ୍ଣ। ଏସୀୟ କ୍ରୀଡ଼ାର ନୂଆ ମହାନାୟକ, ବିଶ୍ବ ଜାଭଲିନ୍ ଜଗତର ବାହୁବଳୀ ଏବଂ ଭାରତୀୟ ଆଥଲେଟ୍ ଦୁନିଆର ମହାଯୋଦ୍ଧା ନୀରଜ ଚୋପ୍ରା ହିଁ ଟ୍ରାକ୍ ଆଣ୍ଡ ଫିଲ୍ଡରୁ ଦେଶକୁ ଦେଇଛନ୍ତି ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଭେଟି। ହରିୟାଣାର ଜଣେ ଗରିବ କୃଷକଙ୍କ ୨୩ ବର୍ଷୀୟ ପୁଅ ନୀରଜ ଜାଭଲିନରେ ସ୍ବର୍ଣ୍ଣ ଜିତି ଟୋକିଓ ଫିଲ୍ଡରେ ହାସଲ କରିଥିବା‌ ଏହି ଅନନ୍ୟ, ଅସାଧାରଣ ଓ ଅବିସ୍ମରଣୀୟ ତଥା ଐତିହାସିକ ସଫଳତା ପାଇଁ ଆଜି ସମଗ୍ର ଦେଶ ଉତ୍ସବ ମୁଖର।

ନୀରଜଙ୍କ ସୁନେଲି ସଫଳତାରେ ଭାରତୀୟ କ୍ରୀଡ଼ା ଇତିହାସରେ ମଧ୍ୟ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ। ମହାନ ମିଲଖା ସିଂହ, ପାୱଲି ଏକ୍ସପ୍ରେସ୍ ପିଟି ଉଷା ଏବଂ ଲମ୍ବଡିଆ ରାଣୀ ଅଞ୍ଜୁ ବବି ଜର୍ଜ ଅଳ୍ପକେ ଅଲିମ୍ପିକ୍ସ ପଦକ ବିଜୟରୁ ବଞ୍ଚିତ ହେବାର ଦୁଃଖକୁ ସମୁଳେ ଦୂର କରିଛନ୍ତି ନୀରଜ। ଦେଶ ପାଇଛି ତାର ଆଥଲେଟିକ୍ସ ସୁପର ହିରୋ। ତାରକା ଖଚିତ ମେଗା ଫାଇନାଲର ଦ୍ବିତୀୟ ପ୍ରୟାସରେ ପାଇଥିବା ୮୭.୫୮ ମିଟର ଦୂରତାର ସଫଳତା ହିଁ ନୀରଜଙ୍କୁ ଅଲିମ୍ପିକ୍ସ ବିଜେତା କରାଇଥିଲା। ଭାରତ ପାଇଁ ୧୩ ବର୍ଷ ପରେ କୌଣସି ବ୍ୟକ୍ତିଗତ ବର୍ଗରେ ଏହା ଥିଲା ଦ୍ବିତୀୟ ଅଲିମ୍ପିକ୍ସ ସ୍ବର୍ଣ୍ଣ। ପୂର୍ବରୁ ୨୦୦୮ ମସିହାରେ ବେଜିଂ ଅଲିମ୍ପିକ୍ସରେ ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ଭାରତ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିବାର ବିରଳ ସଫଳତା ହାସଲ କରିଥିଲେ। ସ୍ବର୍ଣ୍ଣ ପଦକ ଜିତିବା ପରେ ଉଲ୍ଲସିତ ଓ ଭାବବିହ୍ବଳ ନୀରଜ ହାତରେ ତ୍ରିରଙ୍ଗା ନେଇ ଟୋକିଓ ଅଲିମ୍ପିକ୍ସ ପଡ଼ିଆର ଚାରିପଟେ ଗର୍ବ ଓ ଗୌରବର ସହ ଚକ୍କର ଲଗାଇଥିଲେ। ଏହି ଦୃଶ୍ୟ ୧୪୦ କୋଟି ଭାରତୀୟଙ୍କ ଛାତିକୁ କୁଣ୍ଢେମୋଟ କରି ଦେଇଥିଲା। ‘ଫ୍ଲାଇଂ ଶିଖ୍’ ମିଲଖା ସିଂହ ମଧ୍ୟ ସ୍ବର୍ଗରେ ରହି ନୀରଜଙ୍କୁ ନିଶ୍ଚିତ ଆଶୀର୍ବାଦ କରୁଥିଲେ। କାରଣ ନିଜ ଜୀବଦଶା ଭିତରେ ଜଣେ ଭାରତୀୟକୁ ଆଥଲେଟିକ୍ସରୁ ସ୍ବର୍ଣ୍ଣ ଜିତିବାର ଦୃଶ୍ୟକୁ ଦେଖିବାକୁ ନିଜ ଶେଷ ଇଚ୍ଛା ଭାବେ ବହୁବାର ସେ ପ୍ରକାଶ କରିଥିଲେ।

News18

କେବଳ ସେତିକି ନୁହେଁ କୁସ୍ତି ଆଖଡ଼ାରୁ ମଧ୍ୟ ଶନିବାର ଭାରତକୁ ମିଳିଥିଲା ଆଉ ଏକ ପଦକ। ୬୫ କିଲୋଗ୍ରାମ ବର୍ଗରେ ବଜରଙ୍ଗ ପୁନିଆ ନିଜ ଲଢ଼େଇ ଜିତି କାଂସ୍ୟ ପଦକ ହାସଲ କରି ନେଇଥିଲେ। ଏହା ପୂର୍ବରୁ ଗଲ୍ଫ କୋର୍ସରେ ଭାରତୀୟ ନାରୀ ଶକ୍ତିର ଅପୂର୍ବ ଏବଂ ଗୌରବମୟ ଗାଥା ଲେଖି ମହିଳା ଗଲ୍ଫର ଅଦିତି ଅଶୋକ ଢେର ସମୟ ପଦକ ଦୌଡ଼ରେ ରହିଥିଲେ। ତେବେ ଦୁର୍ଭାଗ୍ୟଜନକ ଭାବେ ଚତୁର୍ଥ ସ୍ଥାନରେ ପଦକ ହାସଲରୁ ବଞ୍ଚିତ ‌ହୋଇଥିଲେ। ତଥାପି ଶନିବାରର ଦୁଇ ପଦକକୁ ମିଶାଇ ଭାରତ ଚଳିତ ଟୋକିଓ ଅଲିମ୍ପିକ୍ସରେ ୭ପଦକ ଜିତିଛି। ଏହା କରି ଲଣ୍ଡନରେ ହାସଲ କରିଥିବା ନିଜ ଶ୍ରେଷ୍ଠ ଅଲିମ୍ପିକ୍ସ ପ୍ରଦର୍ଶନ (୬ ପଦକ)କୁ ସଫଳତାର ସହ ଟପି ଯାଇଛି।

ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ
ଅଲିମ୍ପିକ୍ସ ଇତିହାସରେ ଭାରତ ଶନିବାର ନିଜର ସର୍ବଶ୍ରେ‌ଷ୍ଠ ପଦକ ପ୍ରଦର୍ଶନ କରିଛି। ପୂର୍ବରୁ ଗୋଟିଏ ସଂସ୍କରଣରୁ ଏତେ ପଦକ କେବେ ଜିତିନଥିଲା ଭାରତୀୟ ଦଳ। ଚଳିତ ସଂସ୍କରଣରୁ ଭାରତ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୭ ପଦକ ଜିତିଛି। ପୂର୍ବ ଶ୍ରେଷ୍ଠ ୬ ପଦକ ଭାରତ ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରୁ ହାସଲ କରିଥିଲା। ଏଥର ବଂଧୁକଚାଳନା ଓ ତୀରନ୍ଦାଜି ଭଳି ସମ୍ଭାବ୍ୟ ପଦକରୁ ଗୋଟିଏ ବି ଅର୍ଜନ କରିପାରିନଥିଲେ ଲଣ୍ଡନ୍ ସଫଳତାକୁ ଅତିକ୍ରମ କରିଯାଇଛି। ଲଣ୍ଡନ୍‌ରେ ଭାରତ ପାଇଁ ବନ୍ଧୁକଚାଳକ ବିଜୟ କୁମାର (ରୌପ୍ୟ), ଗଗନ ନାରଙ୍ଗ (କାଂସ୍ୟ), କୁସ୍ତିଯୋଦ୍ଧା ସୁଶୀଲ କୁମାର (ରୌପ୍ୟ), ଯୋଗେଶ୍ବର ଦତ୍ତ (କାଂସ୍ୟ), ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍ (‌କାଂସ୍ୟ), ବ୍ୟାଡ୍‌ମିଣ୍ଟନ୍ ତାରକା ସାଇନା ନେହ୍ବାଲ୍ (କାଂସ୍ୟ) ଜିତିଥିଲେ। ୨୦୧୬ ରିଓରେ କିନ୍ତୁ ଭାରତକୁ କେବଳ ପିଭି ସିନ୍ଧୁ (ବ୍ୟାଡମିଣ୍ଟନ୍‌ ରୌପ୍ୟ), ସାକ୍ଷୀ ମଲ୍ଲିକ (କୁସ୍ତି କାଂସ୍ୟ)ଙ୍କ ୨ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଟୋକିଓରେ କିନ୍ତୁ ଭାରତକୁ ନୀରାଜ ଚୋପ୍ରା (ଜାଭଲିନ୍ ସ୍ବର୍ଣ୍ଣ), ମୀରାବାଇ ଚାନୁ (ଭାରୋତ୍ତୋଳନ ରୌପ୍ୟ), ରବି କୁମାର ଦାହିୟା (କୁ୍ସ୍ତି ରୌପ୍ୟ), ଲଭଲିନା ବୋର୍ଗୋହେଁ (ମୁଷ୍ଟିଯୁଦ୍ଧ କାଂସ୍ୟ), ପିଭି ସିନ୍ଧୁ (ବ୍ୟାଡମିଣ୍ଟନ୍ କାଂସ୍ୟ), ଭାରତୀୟ ପୁରୁଷ ହକି ଦଳ (କାଂସ୍ୟ), ବଜରଙ୍ଗ ପୁନିଆ (କୁସ୍ତି କାଂସ୍ୟ) ନୂଆ ଫର୍ଦ ଯୋଡ଼ିବାର ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି।

କଳିଙ୍ଗରୁ ସାଧନା
ଭୁବନେଶ୍ବର : ଭାରତକୁ ଦ୍ବିତୀୟ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣ ଉପହାର ଦେଇଥିବା ନୀରଜ ଚୋପ୍ରା ଯେତେବେଳେ କରୋନା ସଙ୍କଟ ପାଇଁ ଅଭ୍ୟାସ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ, ସେତେବେଳେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ଓଡ଼ିଶା ସରକାର। ମହାମାରୀ ମାଡ଼ିଚାଲିଥିବା ସତ୍ତ୍ବେ କଳିଙ୍ଗ ଷ୍ଟାଡିୟମରେ ରହି ଅଭ୍ୟାସ କରିବାର ସୁଯୋଗ ଦେଇଥିଲେ ନୀରଜଙ୍କୁ। ନୀରଜ ମଧ୍ୟ ଦୃଢ଼ ଏକାଗ୍ରତା ଏବଂ ସଙ୍କଳ୍ପ ସହ ନିୟମିତ କଳିଙ୍ଗ ଷ୍ଟାଡିୟମରେ ଦୁଇ ଓଳି ଅଭ୍ୟାସ କରିବା ଚାଲୁ ରଖିଥିଲେ। କରୋନା ପାଇଁ ଘରୋଇ ଋତୁ ସଂପୂର୍ଣ୍ଣ ବାତିଲ ହେବା ସହ ବିଦେଶ ଯାଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଏକପ୍ରକାର ଅସମ୍ଭବ ଥିଲା। ଏହି କଠିନ ଅଭ୍ୟାସ ହିଁ ତାଙ୍କୁ ଅଲିମ୍ପିକ୍ସ ବିଜେତା କରିଛି। ଡିସେମ୍ବର ମାସରେ ପତିଆଲାରେ ପ୍ରବଳ ଶୀତ ପଡ଼ୁଥିବାରୁ ଭୁବନେଶ୍ବରର ଅପେକ୍ଷାକୃତ ଉଷ୍ମ ଜଳବାୟୁରେ ଅଭ୍ୟାସ କରିବାର ନିଷ୍ପତ୍ତି ପାଇଁ ହିଁ ତାଙ୍କୁ ଆଜି ଭାରତୀୟ କ୍ରୀଡ଼ାର ଅମୂଲ୍ୟ ରତ୍ନ ଉପାଧୀ ମିଳିଛି। କେବଳ ନୀରଜ ନୁହନ୍ତି, ସମଗ୍ର ଭାରତୀୟ ଜାଭଲିନ୍ ଦଳର ଅଭ୍ୟାସ ଶିବିର କଳିଙ୍ଗ ଷ୍ଟାଡିୟମରେ ଏକ ମାସରୁ ଅଧିକ ସମୟ ଚାଲିଥିଲା। ଏହି ଦଳରେ ଅନୁ ରାଣୀ, ରୋହିତ ସିଂହ, ରାଜୀନ୍ଦର ସିଂହ ଏବଂ ପ୍ରଶିକ୍ଷକ ୱେ ହନ୍ ଓ ଡକ୍ଟର କ୍ଲାଉସ୍ ସାମିଲ ଥିଲେ। ସେତେବେଳେ ଦେଇଥିବା ସାକ୍ଷାତକାରରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ତାଙ୍କର ପ୍ରଥମ ଲକ୍ଷ୍ୟ। ଏଥିପାଇଁ ସେ ରାତି ଦିନ ସ୍ବପ୍ନ ଦେଖୁଛନ୍ତି ବୋଲି ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ନୀରଜ କହିଥିଲେ। ଆଜି ସେ ସେହି ଲକ୍ଷ୍ୟ ଓ ସଙ୍କଳ୍ପକୁ ସଫଳତାର ସହ ପୂରଣ କରିଛନ୍ତି। ଗତ ବର୍ଷ ଡିସେମ୍ବରୁ ଫେବ୍ରୁଆରି ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ଶିବିର କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା। ରାଜ୍ୟର ପ୍ରତିଷ୍ଠିତ ଦୌଡ଼କୁଦ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ ‌ସେତେବେଳେ ଭାରତୀୟ ଜାଭଲିନ୍ ଦଳର ସଂଯୋଜକ ଥିଲେ।

ସମ୍ବନ୍ଧିତ ଖବର