ନେମାରଙ୍କୁ ୩ ମ୍ୟାଚ୍‌ ନିଲମ୍ବନ

ପ୍ୟାରିସ୍‌: ଜଣେ ପ୍ରଶଂସକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାରକା ଫୁଟ୍‌ବଲର୍‌ ନେମାରଙ୍କୁ ୩ଟି ମ୍ୟାଚ୍‌ରୁ ନିଲମ୍ବିତ କରିଛି ଫ୍ରେଞ୍ଚ୍‌ ଫୁଟବଲ୍ ସଂଘ। ଗତ ମାସରେ ଷ୍ଟେଡ୍ ରେନସ ବିପକ୍ଷ ମ୍ୟାଚ୍‌କୁ ପିଏସ୍‌ଜି ୫-୬ ପେନାଲଟିରେ ହାରିଯିବା ପରେ ୨୭ ବର୍ଷୀୟ ଏହି ତାରକା ଅଗ୍ରଭାଗ ଖେଳାଳି ଏକ ଅଶୋଭନୀୟ ଆଚରଣ‌ ଦେଖାଇଥିଲେ। ନିଜ ରନର୍ ଅପ୍ ପଦକ ସଂଗ୍ରହ କରିବାକୁ ଯାଉଥିବା ବେଳେ ଜଣେ ପ୍ରଶଂସକ ନିଜ‌ ମୋବାଇଲରେ ଏହାକୁ ରେକର୍ଡ କରୁଥିଲେ। ନିରାଶ ନେମାର କିନ୍ତୁ ସମ୍ପୃକ୍ତ ପ୍ରଶଂସକଙ୍କୁ ଆକ୍ରମଣ କରିଥିଲେ। ଏଥି ପାଇଁ ୩ଟି ମ୍ୟାଚ୍‌ରୁ ନିଲମ୍ବିତ କରାଯିବା ସହିତ ଆଉ ଦୁଇଟି ମ୍ୟାଚ୍‌ ଉପରେ ନିଲମ୍ବନ ଆଦେଶ ଦିଆଯାଇଛି। ସୋମବାରଠାରୁ ନେମାରଙ୍କ ନିଲମ୍ବନ ଆରମ୍ଭ ହେଉଥିବାରୁ ସେ ଶନିବାରର ଲିଗ୍‌-୧ର ଆଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ପିଏସ୍‌ଜି ପାଇଁ ଖେଳିପାରିବେ। କିନ୍ତୁ ଡିଜନ ଏବଂ ‌ରିମ୍ସ ବିପକ୍ଷ ଶେଷ ଦୁଇ ଲିଗ୍ ଖେଳିପାରିବେ ନାହିଁ। ଏହି ଦଣ୍ଡ ଅତିଶୟ ବୋଲି ଅଭିହିତ କରିଛି ପିଏସ୍‌ଜି। ଫ୍ରେଞ୍ଚ୍‌ ମହାସଂଘର ଆବେଦନ ସମିତି ଆଗରେ ଆମେ ଆବେଦନ କରିବୁ ବୋଲି ପିଏସ୍‌ଜି ପକ୍ଷରୁ କୁହାଯାଇଛି। ଏଥିରେ ପରିବର୍ତନ ନ ଘଟିଲେ ନେମାର ମଧ୍ୟ ଅଗଷ୍ଟ ମାସରେ ନୂଆ ଋତୁର ପ୍ରଥମ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ (ଥପ୍ ଦେସ ଚାମ୍ପିଅନ୍ସ ବନାମ ରେନ୍ସ)। ପୂର୍ବରୁ ଜଣେ ମ୍ୟାଚ୍‌ ଅଧିକାରୀଙ୍କୁ ଅପମାନ କରିଥିବାରୁ ନେମାରଙ୍କ ଉପରେ ମଧ୍ୟ ୩ଟି ଚାମ୍ପିଅନ୍ସ ଲିଗ୍‌ ମ୍ୟାଚ୍‌ ନିଲମ୍ବନ ଲାଗୁ ହୋଇଥିଲା। କ୍ବାର୍ଟର ଫାଇନାଲରୁ ପିଏସ୍‌ଜି ବିଦାୟ ନେଇଥିଲା। ସେହିଭଳି ପ୍ରଶଂସକମାନେ ଲେଜର ଏବଂ ବାଣ ଫୁଟାଇବା ଅଭିଯୋଗରେ ମଧ୍ୟ ପିଏସ୍‌ଜିକୁ ୩୫,୦୦୦ ୟୁରୋ (ପ୍ରାୟ ୨୭ ଲକ୍ଷ ୫୪ ହଜାର ଟଙ୍କା) ଜରିମାନା କରାଯାଇଛି।

ସମ୍ବନ୍ଧିତ ଖବର