ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ : ରାଜ୍ୟଗୋଷ୍ଠୀ ଜୁଡ଼ୋ ଦଳରେ ନିତ୍ୟା

ଭୁବନେଶ୍ବର: ଗ୍ରେଟ୍ ବ୍ରିଟେନ୍‌ରେ ସେପ୍ଟେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ ଜୁଡ଼ୋ ପ୍ରତିଯୋଗିତାରେ ଭାଗନେବେ ଓଡ଼ିଆ ପୁଅ ନିତ୍ୟା ମାଝୀ। ଭାରତୀୟ ଜୁଡ଼ୋ ଦଳରେ ସ୍ଥାନ ପାଇବାରେ ନିତ୍ୟା ପ୍ରଥମ ଓଡ଼ିଆ ହେବାର ଗୌରବ ପାଇଛନ୍ତି। ଗତବର୍ଷ ହିମାଚଳ ପ୍ରଦେଶର ଉନାଠାରେ ଅନୁଷ୍ଠିତ ଜାତୀୟ ଉପକନିଷ୍ଠ ଜୁଡ଼ୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚୟନକର୍ତାଙ୍କ ନଜରକୁ ଆସିଥିବା ନିତ୍ୟା ଏବେ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିବାକୁ ଯାଉଛନ୍ତି। କ୍ରୀଡ଼ା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ରଖୁଥିବା କିସ୍‌ର ଦଶମ ଶ୍ରେଣୀ ଛାତ୍ର ନିତ୍ୟା ଜୁଡ଼ୋ ପ୍ରଶିକ୍ଷକ କନ୍ଦନ ମୁର୍ମୁଙ୍କ ଅଧୀନରେ ଆଗକୁ ବଢ଼ିଥିଲେ। କନ୍ଧମାଳ ଜିଲ୍ଲା ମୁରୁଡ଼ିମାହାର ଏହି ଆଦିବାସୀ (କନ୍ଧ) ପ୍ରତିଭା ବିଗତ ଦୁଇ ବର୍ଷ ହେବ ରାଜ୍ୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଆସୁଥିଲେ। ୨୦୧୫ରେ ସମ୍ବଲପୁରରେ ଏବଂ ୨୦୧୬ରେ କିଟ୍‌ରେ ଅନୁଷ୍ଠିତ ରାଜ୍ୟ ଜୁଡ଼ୋ ପ୍ରତିଯୋଗିତାରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଗୋଟିଏ ଜାତୀୟ ଏବଂ ୬ଟି ରାଜ୍ୟ ପ୍ରତିଯୋଗିତା ନିତ୍ୟାଙ୍କୁ ନୂଆ ସୋପାନରେ ପହଞ୍ଚାଇଛି। ରାଜ୍ୟଗୋଷ୍ଠୀ ଜୁଡ଼ୋ ପାଇଁ ଭୋପାଳ (୨୦୧୮) ଏବଂ ନୂଆଦିଲ୍ଲୀ (୨୦୧୯)ରେ ଅନୁଷ୍ଠିତ ଦୁଇ ଓପନ୍ ଟ୍ରାଏଲ୍‌ସରେ ପ୍ରଭାବୀ ପ୍ରଦର୍ଶନ କରିବା ତାଙ୍କ ଖେଳ ଜୀବନରେ ନୂଆ ମୋଡ଼ ଦେଇଛି। ଆବ୍ରାହମ ମାଝୀ ଏବଂ ପୁସଲୀ ମାଝୀଙ୍କ ୬ ସନ୍ତାନ ମଧ୍ୟରୁ ଅନ୍ୟତମ ନିତ୍ୟା ଏବେ କିସ୍‌ରେ ଦଶମ ଶ୍ରେଣୀ ଛାତ୍ର। ନିତ୍ୟାଙ୍କୁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହିତ ଓଡ଼ିଶା ଜୁଡ଼ୋ ସଂଘ ସଭାପତି ଅବସରପ୍ରାପ୍ତ ଆଇଏଏସ୍‌ ପ୍ରିୟବ୍ରତ ପଟ୍ଟନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର