ପରାଜୟରୁ ଭାରତୀୟ କ୍ରିକେଟ୍ ଦଳର ଏକଦିବସୀୟ ଅଭିଯାନ ଆରମ୍ଭ

ନ୍ୟୁଜିଲାଣ୍ଡର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ

ଭାରତ ୪ ୱିକେଟ୍‌ରେ ହାରିଲା
ଶ୍ରେୟସଙ୍କ ପ୍ରଥମ ଶତକକୁ ଫିକା କଲେ ଟେଲର

ହାମିଲଟନ : ଟ୍ବେଣ୍ଟି-୨୦ର ସବୁ ମ୍ୟାଚ୍ ପୋଛିନେବା ପରେ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳ ସେହି ସଫଳତା ଦୋହରାଇବ ବୋଲି ଆଶା କରାଯାଉଥିଲା। ହେଲେ ଏକଦିବସୀୟ ଶୃଙ୍ଖଳା ଆରମ୍ଭରୁ କୋହଲି ବାହିନୀ ଝୁଣ୍ଟିଛି। ବୁଧବାର ଘରୋଇ ନ୍ୟୁଜିଲାଣ୍ଡ ତାକୁ ଅପ୍ରତ୍ୟାଶିତ ଝଟ୍‌କା ଦେଇ ପ୍ରଥମ ମ୍ୟାଚ୍‌କୁ ୪ ୱିକେଟ୍‌ରେ ଜିତିନେଇଛି। ତା’ ସହ ତିନି ଟିକିଆ ଶୃଙ୍ଖଳା‌େର ୧-୦ରେ ଆଗୁଆ ହୋଇ ଯାଇଛି। ହାମିଲଟନ୍‌ର ସେଡନ୍‌ପାର୍କରେ ଖେଳାଯାଇଥିବା ଏହି ହାଇସ୍କୋରିଂ ମ୍ୟାଚ୍‌କୁ ଜିତି ନ୍ୟୁଜିଲାଣ୍ଡ ବି ବିଶ୍ବକପ୍ ଫାଇନାଲ୍ ପରାଜୟ ପରେ ପ୍ରଥମ ବିଜୟ ପାଇଛି।

ବୁଧବାର ଯୁବ ତାରକା ଶ୍ରେୟସ୍ ଆୟର (୧୦୩)ଙ୍କ ପ୍ରଥମ ଶତକ ବଳରେ ୪ ୱିକେଟ୍ ବିନିମୟରେ ୩୪୭ ରନ୍‌ର ବିଶାଳ ସ୍କୋର କରିଥିଲା ଭାରତ। ପ୍ରତିପକ୍ଷ ନ୍ୟୁଜିଲାଣ୍ଡର ଅଭିଜ୍ଞ ତାରକା ରସ୍ ‌ଟେଲର (୧୦୯*) କିନ୍ତୁ ଶ୍ରେୟସଙ୍କ ପ୍ରତୀକ୍ଷିତ ଶତକକୁ ଫିକା କରି ଦେଇଥିଲେ। ଧମାକାଦାର ଶତକ ହାସଲ କରି ଟେଲର ହିଁ ନ୍ୟୁଜିଲାଣ୍ଡ ବିଜୟର ନାୟକ ସାଜିଥିଲେ। ଅନ୍ୟପକ୍ଷରେ ଦୁଇ ଭାରତୀୟ ଯୁବ ତାରକା ପୃଥ୍ବୀ ସ’ (୨୦) ଓ ମୟଙ୍କ ଅଗ୍ରୱାଲ (୩୨)ଙ୍କ ଦିନିକିଆ ଜୀବନ ପରାଜୟରୁ ଆରମ୍ଭ ହୋଇଛି। ଉଭୟ ଏହି ମ୍ୟାଚ୍‌ରେ ଚତୁର୍ଥ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ଭାବେ ଏକାଠି ପଦାର୍ପଣ କରିଥିଲେ। ସେପଟେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୦-୫ରେ ମୂଳପୋଛ ହୋଇଥିବା କିୱି ଦଳ ଲଗାତାର ୯ ଅନ୍ତର୍ଜାତୀୟ ପରାଜୟ ପରେ ପ୍ରଥମ ବିଜୟ ହାସଲ କରିଛି। ୧୧ ବଲ୍ ପୂର୍ବରୁ ହାସଲ କରି ନେଇଥିବା ୩୪୮ ରନ୍‌ର କଷ୍ଟକର ଲକ୍ଷ୍ୟ ମଧ୍ୟ ଏହି ଦଳର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ହୋଇଛି। ଏକଦା ଦୃଢ଼ ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡ ବିଜୟ ଲକ୍ଷ୍ୟର ନିକଟବର୍ତୀ ହେବା ବେଳକୁ ୨୨ ରନ୍ ଭିତରେ କାମଚଳା ଅଧିନାୟକ ଟମ୍ ଲାଥାମ (୬୯), ଜେମ୍ସ ନୀସାମ (୯) ଓ କଲିନ୍ ଡି’ଗ୍ରାଣ୍ଢୋମେଙ୍କୁ ହରାଇଥିଲା। ହେଲେ ଟେଲର ୨୧ତମ ଶତକ ହାସଲ କରି ଭାରତକୁ ଆଉ ଥରେ ନିଜ ଦଳ ପଞ୍ଝାରୁ ବିଜୟ ଛଡ଼ାଇ ନେବାକୁ ଦେଇ ନଥିଲେ। ସେଥିପାଇଁ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୃଥ୍ବୀ-ମୟଙ୍କ ପଦାର୍ପଣ
ଟସ୍ ହାରି ଭାରତ ବୁଧବାର ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଦୁଇ ଯୁବ ତାରକା ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ଏକଦିବସୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ଉଭୟ ପାଳି ଆରମ୍ଭ କରି ପ୍ରଥମ ୱିକେଟ୍‌ରେ ୫୦ ରନ୍ ଯୋଡ଼ିଥିଲେ। ହେଲେ ବ୍ୟକ୍ତିଗତ ଭାବେ ଭଲ ଆରମ୍ଭ ପାଇବା ପରେ ଏହାକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରି ପାରି ନଥିଲେ। ଦୁଇ ଜଣ ଯାକ ମଧ୍ୟ ୪ ରନ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଯାହା ସେମାନଙ୍କ ଅନଭିଜ୍ଞତାର ପରିଚୟ ଦେଇଥିଲା। ଏହା ପରେ ଅଧିନାୟକ ବିରାଟ କୋହଲି (୫୧) ଓ ଶ୍ରେୟସ୍ ଆୟର ତୃତୀୟ ୱିକେଟ୍‌ରେ ୧୦୨ ରନ୍ ଯୋଡ଼ି ସ୍ଥିତି ସୁଦୃଢ଼ କରି ନେଇଥିଲେ। ଈଶ୍ ସୋଢ଼ି ପୁଣି ଥରେ କୋହଲିଙ୍କୁ ବୋଲ୍ଡ କରି ଯୋଡ଼ି ଭାଙ୍ଗିଥିଲେ। ପଞ୍ଚମ ସ୍ଥାନରେ ଖେଳିଥିବା ଲୋକେଶ ରାହୁଲ (୮୮*) ଓ ଶ୍ରେୟସ୍ ପଞ୍ଚମ ୱିକେଟରେ ଦ୍ରୁତ ୧୩୬ ରନ୍ ଯୋଡ଼ିଥି‌ଲେ। ଶ୍ରେୟସ୍ ୧୦୧ ବଲ୍‌ରୁ ପ୍ରଥମ ଶତକ ପୂରଣ କରିବାର ଦୁଇ ରନ୍ ପରେ ଆଉଟ୍ ହୋଇ ଯାଇଥିଲେ। ତାଙ୍କୁ ଟିମ୍ ସାଉଦି ପ୍ୟାଭିଲିୟନ ପଥ ଦେଖାଇଥିଲେ। ରାହୁଲ ଏବଂ ଅଲରାଉଣ୍ଡର କେଦାର ଯାଦବ କିନ୍ତୁ ଆକ୍ରମଣ କରିବା ଜାରି ରଖିଥିଲେ। ଏହି ଦୁଇ ଜଣଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତ ଶେଷ ୨୦ ଓଭରରୁ ୧୯୧ ରନ୍ ସଂଗ୍ରହ କରି ନେଇଥିଲା। ରାହୁଲ-ଯାଦବ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୫୫ ରନ୍ ଯୋଡ଼ିଥିଲେ। କୋହଲି ୫୮ତମ ଓ ରାହୁଲ ଏକାଦଶ ଥର ପାଇଁ ଅର୍ଧଶତକ ପୂରଣ କରିଥିଲେ। ଶ୍ରେୟସ୍ ତାଙ୍କ ଷୋଡ଼ଶ ଦିନିକିଆରେ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିଲେ।

ଅତିରିକ୍ତ ରନ୍ ଓ ଦୁର୍ବଳ କ୍ଷେତ୍ରରକ୍ଷଣ ‌ହେଲା କାଳ
ବୁଧବାର ଭାରତୀୟ କ୍ରିକେଟ୍ ଦଳ ୨୯ ଅତିରିକ୍ତ ରନ୍ ବ୍ୟୟ କରିବା ସହ ଦୁର୍ବଳ କ୍ଷେତ୍ରରକ୍ଷଣ କରିଥିଲା। ଯାହା ଦଳ ପରାଜୟର ଅନ୍ୟତମ କାରଣ ଥିଲା। ବିପଜ୍ଜନକ ଟେଲର ମାତ୍ର ୧୦ ରନ୍ କରିଥିଲା ବେଳେ କୁଲଦୀପ ଯାଦବ ତାଙ୍କର ଏକ ସହଜ କ୍ୟାଚ୍ ହାତଛଡ଼ା କରିଥିଲେ। ପରେ ସେ ଶତକ ହାସଲ କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଟେଲରଙ୍କ ଛଡ଼ା ନ୍ୟୁଜିଲାଣ୍ଡର କାମଚଳା ଅଧିନାୟକ ଟମ୍ ଲାଥାମ (୬୯ ରନ୍, ୪୮ ବଲ୍) ଓ ନିକୋଲାସ ହେନରି (୭୮ ରନ୍, ୮୨ ବଲ୍) ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ। ଯଶପ୍ରୀତ ବୁମରାଙ୍କୁ ଛାଡ଼ି କୌଣସି ଭାରତୀୟ ବୋଲର ନ୍ୟୁଜିଲାଣ୍ଡର ରନ୍ ସଂଗ୍ରହ ହାର ଉପରେ ଅଙ୍କୁଶ ଲଗାଇ ପାରି ନଥିଲେ। ଫଳରେ ଏକ ସମୟରେ ୮ ଓଭର (୩୪ରୁ ୪୧) ମଧ୍ୟରେ ନ୍ୟୁଜିଲାଣ୍ଡ ପାଖାପାଖି ୧୪ ହାରରେ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ୮ ଓଭରରେ ନ୍ୟୁଜିଲାଣ୍ଡ ୧୧୧ ରନ୍‌ ଯୋଡ଼ି ନେଇଥିଲା। ପୁଣି ଟେଲର ଓ ଲାଥାମଙ୍କ ମଧ୍ୟରେ ହୋଇଥିବା ୧୩୮ ରନ୍‌ର ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା। ନ୍ୟୁଜିଲାଣ୍ଡ ମଧ୍ୟ ଭାରତ ବିପକ୍ଷରେ ଦ୍ବିତୀୟ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ପାଇଥିଲା। ଏହା ପୂର୍ବରୁ ଗତବର୍ଷ ମୋହାଲିରେ ଭାରତ ଧାର୍ଯ୍ୟ କରିଥିବା ୩୫୯ ରନ୍‌ର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ସଫଳତାର ସହ ହାସଲ କରି ନେଇଥିଲା। ନ୍ୟୁଜିଲାଣ୍ଡ ଏହା ପୂର୍ବରୁ ୨୦୦୭ ମସିହାରେ ସେହି ସେଡନପାର୍କରେ ଅଷ୍ଟ୍ରେଲିଆ ଧାର୍ଯ୍ୟ କରିଥିବା ୩୪୭ ରନ୍‌ର ଲକ୍ଷ୍ୟକୁ ଅତିକ୍ରମ କରିଥିଲା। ଭାରତ ବିପକ୍ଷରେ ୩୪୮ ରନ୍ କରି ଜିତିବା ଏହି ଦଳର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ହୋଇଛି। ଭାରତୀୟ ସ୍ପିନର କୁଲଦୀପ ଯାଦବ ଆଜି ଏକ ଅଲୋଡ଼ା କୀର୍ତ୍ତିମାନ କରିଥିଲେ। ୧୦ ଓଭରରେ ୮୪ ରନ୍ ବ୍ୟୟ କରି ସେ ନିଜ ଦିନିକିଆ କ୍ରିକେଟ୍ ଜୀବନର ସବୁଠାରୁ ମହଙ୍ଗା ବୋଲିଂ ଚିତ୍ର ପାଇଥିଲେ। ଏହା ପୂର୍ବରୁ ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ସେ ୭୫ ରନ୍ ଖର୍ଚ କରିଥିଲେ।

କ୍ରମାଗତ ତୃତୀୟ ମ୍ୟାଚ୍‌ରେ ମନ୍ଥର ବୋଲିଂ: ଭାରତ ଦଣ୍ଡିତ
ହାମିଲଟନ୍‌ : ସୀମିତ ଓଭରରେ କ୍ରମାଗତ ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇଛି। ଶେଷ ଦୁଇ ଟ୍ବେଣ୍ଟି-୨୦ ପରେ ଏବେ ବୁଧବାର ପ୍ରଥମ ଦିନିକିଆରେ ବି ଭାରତ ମନ୍ଥର ବୋଲିଂ କରିଛି। ଏଥିପାଇଁ ୮୦ ପ୍ରତିଶତ ମ୍ୟାଚ୍‌ ଫି’ ଜରିମାନା ଦଣ୍ଡ ଭୋଗିଛି। ଚତୁର୍ଥ ଟ୍ବେଣ୍ଟି-୨୦ରେ ୪୦ ଓ ପଞ୍ଚମ ଟ୍ବେଣ୍ଟି-୨୦ରେ ୨୦ ପ୍ରତିଶତ ଜରିମାନା ଦଣ୍ଡ ପାଇଥିବା ଭାରତ ବୁଧବାର ପ୍ରଥମ ଦିନିକିଆର ନିର୍ଧାରିତ ସମୟ ସୁଦ୍ଧା ୪ ଓଭର କମ୍‌ ବୋଲିଂ କରିଥିବା ବିଚାରକୁ ନିଆଯାଇଛି। ଫଳରେ ପଡ଼ିଆ ଅମ୍ପାୟାର ସନ୍‌ ହେଗ୍‌ ଓ ଲାଙ୍ଗ୍‌ଟନ୍‌ ରୁସେରେଙ୍କ ସହିତ ତୃତୀୟ ଅମ୍ପାୟାର ବ୍ରୁସ୍‌ ଅକ୍ସନ୍‌ଫୋର୍ଡ ଓ ଚତୁର୍ଥ ଅମ୍ପାୟାର କ୍ରିସ୍‌ ବ୍ରାଉନ୍‌ଙ୍କ ଅଭି‌ଯୋଗକୁ ଭିତ୍ତି କରି ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଅଧିନାୟକ ବିରାଟ କୋହଲି ଅପରାଧକୁ ସ୍ବୀକାର କରିବା ସହିତ ଦଣ୍ଡାଦେଶକୁ ଗ୍ରହଣ କରିନେଇଛନ୍ତି।

ସମ୍ବନ୍ଧିତ ଖବର