କ୍ରାଏଷ୍ଟ୍‍ଚର୍ଚ ଟେଷ୍ଟ୍‍: ଅଡ଼ୁଆରେ ନ୍ୟୁଜିଲାଣ୍ଡ୍‌

କ୍ରାଏଷ୍ଟଚର୍ଚ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିରେ ସଂଘର୍ଷ କରୁଛି। ଭ୍ରମଣକାରୀ ଦଳର ପ୍ରଥମ ପାଳିକୁ ୩୦୭ ରନ୍‌ରେ ସୀମିତ ରଖିଥିଲେ ମଧ୍ୟ ଘରୋଇ ନ୍ୟୁଜିଲାଣ୍ଡ୍‌ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୯୨ ରନ୍‌ରେ ୬ ଓ୍ଵିକେଟ୍‌ ହରାଇ ଦେଇଛି। ଅବଶ୍ୟ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡ୍‌କୁ ବିଜେ ଓ୍ଵାଟଲିଙ୍ଗ୍‌ ଓ କଲିନ୍‌ ଗ୍ରାଣ୍ଡ୍‌ହୋମଙ୍କ ୧୪୨ ରନ୍‌ ଭାଗୀଦାରି ରକ୍ଷା କରିଛି। ହଗ୍‌ଲେ ଓଭାଲ୍‌ରେ ଚାଲିଥିବା ଏହି ଟେଷ୍ଟ୍‍ରେ ଇଂଲଣ୍ଡ ୨୯୦/୮ରୁ ଖେଳି ୩୦୭ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ସମାନ ଦଳୀୟ ସ୍କୋର୍‌ ୩୦୭ରେ ହିଁ ଜ୍ୟାକ୍‌ ଲିଚ୍‌ (୧୬) ଏବଂ ଜନି ବେୟାରଷ୍ଟୋ (୧୦୧, ୧୭୦ ବଲ୍‌, ୧୧ ଚୌକା, ୧ ଛକା) ଆଉଟ୍‌ ହୋଇଥିଲେ। ସକାଳେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇ ଦ୍ରୁତ ବୋଲିଂ ଯୋଡ଼ି ଟିମ୍‌ ସାଉଦି (୨୬-୭-୬୨-୬) ଏବଂ ଟ୍ରେଣ୍ଟ୍‌ ବୋଲ୍‌ଟ (୨୮.୫-୫-୮୭-୪) ସମସ୍ତ ୧୦ ଓ୍ଵିକେଟ୍‌କୁ ବାଣ୍ଟି ନେଇଥିଲେ। ତେବେ ନ୍ୟୁଜିଲାଣ୍ଡ୍‌ର ଆରମ୍ଭ ଅତି ଖରାପ ଥିଲା। ୩୬ ରନ୍‌ ଭିତରେ ଦଳରେ ଅଧା (୩୬/୫) ଖେଳାଳି ପ୍ୟାଭିଲିଅନ୍‌ ଫେରି ଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ (୨୨), ପୂର୍ବତନ ଅଧିନାୟକ ରସ୍‌ ଟେଲର୍‌ (୨) ଏବଂ ହେନରି ନିକ୍‌ଲ୍‌ସ (୦)। ଏହି ସମୟରେ ପଡ଼ିଆରେ ଏକତ୍ର ହୋଇଥିବା ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ବିଜେ ଓ୍ଵାଟଲିଙ୍ଗ୍‌ (୭୭*, ୧୯୬ ବଲ୍‌, ୧୦ ଚୌକା, ୧ ଛକା) ଏବଂ କଲିନ୍‌ ଗ୍ରାଣ୍ଡ୍‌ହୋମ୍‌ (୭୨, ୧୫୧ ବଲ୍‌, ୭ ଚୌକା) ଷଷ୍ଠ ଓ୍ଵିକେଟ୍‌ ପାଇଁ ୧୪୨ ରନ ଯୋଡ଼ି ନେଇଥିଲେ। ଦ୍ୱିତୀୟ ଦିନ ଖେଳ ବନ୍ଦ ହେବାର କିଛି ସମୟ ପୂର୍ବରୁ ଗ୍ରାଣ୍ଡହୋମ୍‌ଙ୍କୁ ଷ୍ଟୁଆର୍ଟ ବ୍ରଡ୍‌ ନିଜର ଚତୁର୍ଥ ଶିକାର କରିଥିଲେ। ନ୍ୟୁଜିଲାଣ୍ଡ୍‌ ଭଳି ଇଂଲଣ୍ଡର ଦ୍ରୁତ ବୋଲିଂ ଯୋଡ଼ି ଷ୍ଟୁଆର୍ଟ ବ୍ରଡ୍‌ (୧୬-୪-୩୮-୪) ଏବଂ ଜେମ୍‌ସ ଆଣ୍ଡରସନ୍‌ (୧୯-୫-୪୩-୨) ମଧ୍ୟ ଓ୍ଵିକେଟ୍‌ ବଣ୍ଟୁଆରା କରିଛନ୍ତି। ଏବେ ଘରୋଇ ଦଳ ହାତରେ ୪ ଓ୍ଵିକେଟ୍‌ ଥାଇ ୧୧୫ ରନ୍‌ ପଛରେ ରହିଛି। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍‍କୁ ନ୍ୟୁଜିଲାଣ୍ଡ୍‌ ଜିତି ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୩୦୭ (ଜନି ବେୟାରଷ୍ଟୋ-୧୦୧, ମାର୍କ ଉଡ୍‌-୫୨, ସାଉଦି-୬/୬୨, ଟ୍ରେଣ୍ଟ୍‌ ବୋଲ୍‌ଟ-୪/୮୭)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୭୪.୫ ଓଭରରେ ୧୯୨/୬ (କଲିନ୍‌ ଗ୍ରାଣ୍ଡ୍‌ହୋମ୍‌-୭୨, ବିଜେ ଓ୍ଵାଟଲିଙ୍ଗ୍‌-୭୭*, ଟିମ୍‌ ସାଉଦି-୧୩*, ଷ୍ଟୁଆର୍ଟ ବ୍ରଡ୍‌-୪/୩୮, ଜେମ୍‌ସ ଆଣ୍ଡରସନ୍‌-୨/୪୩)।

ସମ୍ବନ୍ଧିତ ଖବର