ଅଷ୍ଟ୍ରେଲିଆ ମହିଳାଙ୍କୁ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଟ୍ରଫି

ମୁମ୍ବାଇ: ମହିଳା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବୋଚ୍ଚ ଦଳଗତ ସ୍କୋର୍‌ (୨୦୯/୪), ଗୋଟିଏ ପାଳିରେ (ପୁରୁଷ ବା ମହିଳା କ୍ରିକେଟ୍‌) ସର୍ବାଧିକ ଚୌକା (୩୨) ଏବଂ ଚତୁର୍ଥ ଓ୍ଵିକେଟ୍‌ରେ ଯୁଗ୍ମ ଦ୍ୱିତୀୟ ସର୍ବାଧିକ ଭାଗୀଦାରି ଭଳି ତିନି ତିନିଟି କୀର୍ତିମାନ ବଳରେ ଅଷ୍ଟ୍ରେଲିଆ ମହିଳା ତିରାଷ୍ଟ୍ରୀୟ ଶୃଙ୍ଖଳାରେ ବିଜେତା ହୋଇଛି। ମୁମ୍ବାଇର ବ୍ରାବର୍ଣ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୫୭ ରନ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାତେଇ ନେଇଛି। ଏଥି ସହିତ ଅଷ୍ଟ୍ରେଲିଆ ମଧ୍ୟ ୨୦୧୫ ଅଗଷ୍ଟ ପରେ ପ୍ରଥମ ଥର ଲାଗି ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତିବାର ଗୌରବ ପାଇଛି। ପୁଣି ଚଳିତ ଭାରତ ଗସ୍ତରେ ଯୁଗଳ ଶୃଙ୍ଖଳା ଜିତିଛି। ଏହା ପୂର୍ବରୁ ଭାରତକୁ ୩-୦ରେ ପରାସ୍ତ କରି ଦିନିକିଆ ଶୃଙ୍ଖଳା ଜିତି ନେଇଥିଲା। ତ୍ରିରାଷ୍ଟ୍ରୀୟ ଫାଇନାଲ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆହ୍ଵାନ ପାଇଥିବା ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ଙ୍କ ବିସ୍ଫୋରକ ଅପରାଜିତ ୮୮ (୪୫ ବଲ୍‌, ୧୬ ଚୌକା ଓ ୧ ଛକା), ଏଲିସେ ଭିଲାନିଙ୍କ ୫୧ (୩୦ ବଲ୍‌, ୮ ଚୌକା), ଆସ୍‌ଲେ ଗାର୍ଡନର୍‌ଙ୍କ ୩୩ (୨୦ ବଲ୍‌, ୩ ଚୌକା, ୩ ଛକା) ଏବଂ ଆଲିସା ହିଲେଙ୍କ ୩୩ (୨୪ ବଲ୍‌, ୫ ଚୌକା, ୧ ଛକା) ରନ୍‌ ସହାୟତାରେ ୪ ଓ୍ଵିକେଟ୍‌ ବିନିମୟରେ କରିଥିଲା ୨୦୯ ରନ୍‌। ଜବାବରେ ଇଂଲଣ୍ଡ ୯ ଓ୍ଵିକେଟ୍‌ ହରାଇ ୧୫୨ ରନ୍‌ରେ ଅଟକି ଯାଇଥିଲା। ମେଗାନ୍‌ ସ୍କୁଟ୍‌ (୪-୦-୧୪-୩), ଡେଲିସା କିମିନ୍‌ସେ (୪-୦-୩୫-୨) ଓ ଗାର୍ଡନର୍‌ (୩-୦-୨୦-୨)ଙ୍କ ଘାତକ ବୋଲିଂ ହିଁ ଅଷ୍ଟ୍ରେଲିଆକୁ ବିଜେତା ହେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ମେଗ୍‌ ଲାନିଙ୍ଗ୍‌ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ସ୍କୁଟ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର