ନ୍ୟୁଜିଲାଣ୍ଡ ବିନା ହୋ ହଲ୍ଲାରେ ଆଗେଇ ଚାଲିଛି

-ସୁନୀଲ ଗାଭାସ୍କର-

ସୀମିତ ଓଭର କ୍ରିକେଟ୍‌ରେ କିଛି ବି ହୋଇପା‌ରେ। ସଂଘର୍ଷ କରୁଥିବା ଦକ୍ଷିଣ ଆଫ୍ରିକା‌ ହଠାତ୍ ବିପର୍ଯ୍ୟୟ ସୃଷ୍ଟି କରିପାରେ। ନ୍ୟୁଜିଲାଣ୍ଡ ଭଲ କରୁଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଗତ ବିଶ୍ବକପ୍ ସେମିଫାଇନାଲ୍ ପରାଜୟର ପ୍ରତି‌ଶୋଧ ନେବା ଲକ୍ଷ୍ୟରେ ରହିବ। ପ୍ରାରମ୍ଭିକ ପରାଜୟ ସହ ଏବି ଡି’ଭିଲିୟର୍ସଙ୍କ ବିଶ୍ବକପ୍ ଖେଳିବା ପ୍ରସ୍ତାବ ନେଇ ସୃଷ୍ଟି ହୋଇଥିବା ବିବାଦ ଦକ୍ଷିଣ ଆଫ୍ରିକା ଅଭିଯାନକୁ ଢେର ପ୍ରଭାବିତ କରିଛି। ୨୦୧୮ରେ ଅବସର ନେଇଥିବା ଡି’ଭିଲିୟର୍ସ ବିଶ୍ବକପ୍‌ରେ ଖେଳିବାର ପ୍ରସ୍ତାବ ଦେଇଥିଲେ। ଚୟନ ସମିତି କିନ୍ତୁ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା। ସେମାନେ ପୂରା ଠିକ୍ କରିଥିଲେ ବୋଲି ମୁଁ କହି ପାରିବି। କାରଣ ଖେଳ ସବୁବେଳେ ବ୍ୟକ୍ତିଠାରୁ ବଡ଼ ହୋଇଥାଏ। ହେଲେ ଦକ୍ଷିଣ ଆଫ୍ରିକାର ହ୍ୟାଟ୍ରିକ୍ ପରାଜୟ ପରେ ଡି’ଭିଲିୟର୍ସଙ୍କ ପ୍ରସ୍ତାବକୁ ନେଇ ବିତର୍କ ବଢ଼ି ଯାଇଥିଲା। ଏହା ମଧ୍ୟ ଦକ୍ଷିଣ ଆଫ୍ରିକା ପ୍ରଦର୍ଶନରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ବ୍ୟାଟିଂ ହିଁ ସେମାନଙ୍କୁ ନିରାଶ କରିଥିଲା। ହାସିମ ଆମଲାଙ୍କ ଭଳି ଖେଳାଳି ସଂଘର୍ଷ କରିବା ବିସ୍ମୟର କଥା। ବାଉନ୍ସର ହିଁ ତାଙ୍କୁ ଘାଇଲା କରିଥିଲା। ନ୍ୟୁଜିଲାଣ୍ଡ ବୋଲରମାନେ ଅବଶ୍ୟ ବେଶି ବାଉନ୍ସର ପକାନ୍ତି ନାହିଁ। ବୋଲ୍ଟ ଓ ହେନରିଙ୍କ ଭଳି ବୋଲର ସୁଇଂ ଉପରେ ଅଧିକ ନିର୍ଭରଶୀଳ। ଇନ୍ ସୁଇଂ ବୋଲିଂ ଦକ୍ଷତା ପାଇଁ ବୋଲ୍ଟ ଡାହାଣ ହାତୀ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ଘାତକ ସାବ୍ୟସ୍ତ ହୋଇ ଥାଆନ୍ତି। ଜିମି ନୀସାମଙ୍କ ରୂପରେ ନ୍ୟୁଜିଲାଣ୍ଡ ପାଖରେ ଜଣେ ଭଲ ଅଲରାଉଣ୍ଡର ଅଛନ୍ତି। ରସ୍ ଟେଲର ଏବଂ ‌କେନ୍ ୱିଲିୟମସନଙ୍କ ଉପସ୍ଥିତି ପାଇଁ ନ୍ୟୁଜିଲାଣ୍ଡ ବ୍ୟାଟିଂକ୍ରମ ବେଶ୍ ସୁଦୃଢ଼। ଅଷ୍ଟ୍ରେଲିଆ, ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍‌କୁ ନେଇ ଅଧିକ ଚର୍ଚା ହେଉଛି। ଯାହା ନ୍ୟୁଜିଲାଣ୍ଡ ପାଇଁ ଭଲ। ସେମାନେ ବିନା ହୋ ହଲ୍ଲାରେ ଆଗକୁ ବଢ଼ି ଚାଲିଛନ୍ତି।

ସମ୍ବନ୍ଧିତ ଖବର