କୁକ୍‌ଙ୍କୁ ‘ନାଇଟ୍’ ଉପାଧୀ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ଙ୍କୁ ମଙ୍ଗଳବାର ନାଇଟ୍ ଉପାଧୀ ମିଳିଛି। କ୍ରିକେଟ୍ ପ୍ରତି ଦେଇଥିବା ସେବା ଲାଗି ବକିଂହାମ ରାଜପ୍ରସାଦରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ବ୍ରିଟେନ୍ ରାଣୀ ତାଙ୍କୁ ଏହି ସମ୍ମାନଜନକ ଉପାଧୀ ପ୍ରଦାନ କରିଛନ୍ତି। ୨୦୦୭ ମସିହାରେ ଇଆନ୍ ବୋଥାମଙ୍କ ପରେ ଉପାଧୀ ପାଇବାରେ କୁକ୍ ପ୍ରଥମ କ୍ରିକେଟର ହୋଇଛନ୍ତି। ୩୪ ବର୍ଷୀୟ କୁକ୍ ଏଥିନେଇ ବେଶ୍ ଉଲ୍ଲସିତ ଥିବା ପ୍ରକାଶ କରିଛନ୍ତି। ୨୦୧୮ ମସିହା ସେପ୍ଟେମ୍ବର ମାସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା କୁକ୍ ୩୩ ଟେଷ୍ଟ ଶତକ ହାସଲ କରିଛନ୍ତି। ସେ ମଧ୍ୟ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୧୬୧ ଟେଷ୍ଟ ଖେଳିଛନ୍ତି। ଟେଷ୍ଟ୍‌ କ୍ରିକେଟରେ କୁକ୍ (୧୨୭୪୨) ଇଂଲଣ୍ଡର ସର୍ବାଧିକ ରନ୍ ସଂଗ୍ରହକାରୀ। ୫୯ ଟେଷ୍ଟ୍‌ରେ ଇଂଲଣ୍ଡର ନେତୃତ୍ବ ‌ନେଇଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୧୭୫ କ୍ୟାଚ୍ ନେଇଛନ୍ତି। ସେ ବି ୯୨ ଦିନିକିଆ ଓ ୪ ଟ୍ବେଣ୍ଟି-୨୦ରେ ଇଂଲଣ୍ଡର ପ୍ରତିନିଧିତ୍ବ କରିଛନ୍ତି।

ସମ୍ବନ୍ଧିତ ଖବର