ଆଇପିଏଲ୍‌ରେ ନର୍‌ଜେ ବୋଲିଂ କଲେ ଦ୍ରୁତତମ ବଲ୍, ବେଗ ଘଣ୍ଟା ପ୍ରତି ୧୫୬.୨୨ କିମି

ଦୁବାଇ: ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଇତିହାସରେ ଦ୍ରୁତତମ ବଲ୍‌ ବୋଲିଂ କରିବାର କୀର୍ତ୍ତିମାନ ରଚିଛନ୍ତି ଦିଲ୍ଲୀ କ୍ୟାପିଟାଲ୍‌ସର ଅନ୍‌ରିଚ୍‌ ନର୍‌ଜେ। ଏହି ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଚଳିତ ଋତୁରେ ଆଇପିଏଲ୍‌ ପଦାର୍ପଣ କରି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି। ରାଜସ୍ଥାନ ରୟାଲ୍‌ସ ବିପକ୍ଷ ବୁଧବାର ମ୍ୟାଚ୍‌ରେ ଅବିଶ୍ବସନୀୟ ଭାବେ ନର୍‌ଜେ ଏକ ବଲ୍‌କୁ ଘଣ୍ଟା ପ୍ରତି ୯୭ ମାଇଲ ବା ୧୫୬.୨୨ କିମି ବେଗରେ ବୋଲିଂ କରିଥିଲେ। ନର୍‌ଜେ ମଧ୍ୟ କୀର୍ତ୍ତିମାନ ଭଙ୍ଗକାରୀ ବଲ୍‌ ବୋଲିଂ କରିବାର ପରବର୍ତୀ ବଲ୍‌ରେ ଜୋସ୍‌ ବଟ୍ଟଲର୍‌ଙ୍କ ୱିକେଟ୍‌ ଦଖଲ କରିଥିଲେ। ଆଉ ସେହି ବଲ୍‌କୁ ସେ ୧୫୫.୨୧ କିମି ଗତିରେ ପକାଇଥିଲେ। ଏଥି ସହିତ ସେ ନିଜ ଦେଶର ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ (୧୫୪.୪୦ କିମି, ପୂର୍ବରୁ ଥିବା ଡେକାନ୍‌ ଚାର୍ଜର୍ସ ଦଳ ପକ୍ଷରୁ)ଙ୍କ କୀର୍ତ୍ତିମାନକୁ ଭଙ୍ଗ କରିଦେଇଥିଲେ। କେବଳ ସେତିକି ନୁହେଁ ଆଇପିଏଲ୍‌ ଇତିହାସରେ ଦ୍ରୁତତମ ବଲ୍‌ ବୋଲିଂ କରିଥିବା ତାଲିକାର ଶୀର୍ଷ-୧୦ ମଧ୍ୟରେ ନର୍‌ଜେଙ୍କ ନାମ ୫ ଥର ଦେଖିବାକୁ ମିଳିଛି। ପୁଣି ଶୀର୍ଷ-୧୦ ତାଲିକାର ପ୍ରଥମ ୮ଟି ସ୍ଥାନ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲରଙ୍କ କବ୍‌ଜାରେ ରହିଥିଲା ବେଳେ ଅନ୍ୟ ଦୁଇଟି ସ୍ଥାନରେ ଇଂଲଣ୍ଡର ଜୋଫ୍ରା ଆର୍ଚର ଏବଂ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ ରହିଛନ୍ତି।

୨୬ ବର୍ଷ ବୟସ୍କ ନର୍‌ଜେ ଚଳିତ ଋତୁରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳରେ ଜଣେ ବଦଳ ଖେଳାଳି ଭାବେ ସାମିଲ ହୋଇଥିଲେ। ଇଂଲଣ୍ଡ ଅଲ୍‌ରାଉଣ୍ଡର କ୍ରିସ୍‌ ୱକ୍‌ସଙ୍କ ବଦଳରେ ‌ସ୍ଥାନ ପାଇଥିବା ନର୍‌ଜେ ଆଇପିଏଲ୍‌ ପଦାର୍ପଣ କରିଥିଲା ବେଳେ ନିଜକୁ ଜଣେ ପ୍ରତିଭାଶାଳୀ ଏବଂ ପ୍ରଭାବୀ ଖେଳାଳି ଭାବେ ପ୍ରମାଣିତ କରିପାରିଛନ୍ତି। ବିଶେଷକରି ନର୍‌ଜେ-ରବାଦା ଦ୍ରୁତ ବୋଲିଂ ଯୋଡ଼ିଙ୍କ ଅବଦାନ ହିଁ ପ୍ରଥମ ଥର ଲାଗି ଆଇପିଏଲ୍‌ ଟ୍ରଫି ଜିତିବାର ଆଶା ବାନ୍ଧିଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଉଭୟେ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ମିଳିତ ଭାବେ ୨୮ ୱିକେଟ୍‌ ଅକ୍ତିଆର କରିସାରିଲେଣି। ଏହି ଦୁଇଜଣଙ୍କ ଅବଦାନ ବଳରେ ଦିଲ୍ଲୀ ମଧ୍ୟ ଏପର୍ଯ୍ୟନ୍ତ ୮ ମ୍ୟାଚ୍‌ରୁ ୬ ବିଜୟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ନର୍‌ଜେ ୮ ମ୍ୟାଚ୍‌ରୁ ୭.୩୪ ଇକୋନୋମୀ ହାରରେ ୧୦ ୱିକେଟ୍‌ ଦଖଲ କରିଥିଲା ବେଳେ ରବାଦା ୧୮ ୱିକେଟ୍‌ ନେଇ ସର୍ବାଗ୍ରେ ରହିଛନ୍ତି। ଏହା ପୂର୍ବରୁ ୨୦୧୯ ଋତୁରେ ନର୍‌ଜେଙ୍କୁ କୋଲ୍‌କାତା ନାଇଟ୍‌ ରାଇଡର୍ସ କିଣିଥିଲା ବେଳେ ଆହତ ଯୋଗୁଁ ପୂରା ଋତୁ ଖେଳିପାରିନଥିଲେ। ଏଠାରେ ସୂଚନାଯୋଗ୍ୟ, ନର୍‌ଜେ ଦକ୍ଷିଣ ଆଫ୍ରିକା ପାଇଁ ୬ ଟେଷ୍ଟ୍‌, ୭ ଦିନିକିଆ ଆନ୍ତର୍ଜାତିକ ଏବଂ ୨୦ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ମୋଟ ୩୫ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର