ହକି ପରେ ରଗ୍‌ବି ପ୍ରାୟୋଜକ: ଓଡ଼ିଶା ହେବ ଭାରତୀୟ ରଗ୍‌ବିର ଘର: ମୁଖ୍ୟମନ୍ତ୍ରୀ

ଭାରତୀୟ ରଗ୍‌ବିକୁ ୩ ବର୍ଷ ପାଇଁ ଓଡ଼ିଶା ଦେବ ଆର୍ଥିକ ସହାୟତା, ଏସୀୟ ପ୍ରତିଯୋଗିତାରୁ ପ୍ରତିଦ୍ବନ୍ଦ୍ବିତାକୁ ଫେରିବ ରଗ୍‌ବି ଇଣ୍ଡିଆ

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସର ଐତିହାସିକ ସଫଳତା ପରେ ଆଉ ୧୦ ବର୍ଷ ପାଇଁ ( ମୋଟ ୧୫ ବର୍ଷ) ଭାରତୀୟ ହକିର ପ୍ରା‌‌ୟୋଜକ ଓ ପୃଷ୍ଠପୋଷକ ହେବାର ପ୍ରଶଂସନୀୟ ପଦକ୍ଷେପ ନେଇଥିବା ଓଡ଼ିଶା ସରକାର ରଗ୍‌ବି ବିକାଶର ଗୁରୁଦାୟିତ୍ବ ମଧ୍ୟ ନିଜ କାନ୍ଧରେ ବହନ କରିବେ। ଓଡ଼ିଶା ଆଗାମୀ ତିନି ବର୍ଷ ପାଇଁ ଭାରତୀୟ ରଗ୍‌ବିର ପ୍ରାୟୋଜକ ରହିବ।

ଏକଥା ଶନିବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତା’ ସହ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟ ନେଇ କାର୍ଯ୍ୟକରୁଥିବା ରଗ୍‌ବି ଇଣ୍ଡିଆକୁ ଏକ ଭିଡିଓ ବାର୍ତ୍ତାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘‘ ଓଡ଼ିଶା ଦ୍ବାରା ଗ୍ରହଣ କରାଯାଉଥିବା ବିଭିନ୍ନ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମରେ ରଗ୍‌ବିର ସ୍ବତନ୍ତ୍ର ସ୍ଥାନ ରହିଛି। ଆମର ବହୁ ବାଳକ, ବାଳିକା ଏବେ ରଗ୍‌ବି ଖେଳୁଛନ୍ତି ଏବଂ ଜାତୀୟ ଦଳରେ ବି ସ୍ଥାନ ପାଉଛନ୍ତି। ଆଗାମୀ ସମୟରେ ଓଡ଼ିଶା ଭାରତୀୟ ରଗ୍‌ବିର ଘର ହେବ। ଭାରତୀୟ ରଗ୍‌ବିକୁ ସମସ୍ତ ପ୍ରକାର ସହାୟତା ଦେବାକୁ ଆମେ ପ୍ରସ୍ତୁତ। ଆଶା କରୁଛି ଏହି ସହବନ୍ଧନ ଢେର କିଛି ବର୍ଷ ପର୍ଯ୍ୟନ୍ତ ଚାଲିବ’’ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ। ଭୁବନେଶ୍ବରରେ ଭାରତୀୟ ୧୮ ବର୍ଷରୁ କମ୍ ଦଳର ପ୍ରଶିକ୍ଷଣ ଶିବିର ଆୟୋଜିତ ହେବା ନେଇ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଥିଲେ।

ଓଡ଼ିଶା କରୁଥିବା ସହାୟତାକୁ ପ୍ରଶଂସା କରିବା ସହ ଆଗାମୀ ସମୟରେ ଭାରତ ଏସିଆ ମହାଦେଶରେ ଏକ ରଗ୍‌ବି ମହାଶକ୍ତି ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରଗ୍‌ବି ଇଣ୍ଡିଆ ବୋର୍ଡ ସଦସ୍ୟ ତଥା ପ୍ରତିଷ୍ଠିତ ଅଭିନେତା ରାହୁଲ ବୋଷ କହିଥିଲେ। ସେ ମଧ୍ୟ ଭାରତୀୟ କ୍ରୀଡ଼ାର ବିକାଶ ଲାଗି ନେଉଥିବା ବିଭିନ୍ନ ସ୍ବାଗତଯୋଗ୍ୟ କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରିଥିଲେ। ‘‘ଓଡ଼ିଶା ସରକାରଙ୍କ ସହଯୋଗରେ ଆମେ ଏବର୍ଷଠାରୁ ଅନେକ ନୂଆ ପଦକ୍ଷେପ ନେଇଛୁ। ତଦନୁଯାୟୀ ଚଳିତବର୍ଷଠାରୁ ଭାରତୀୟ ଖେଳାଳିଙ୍କୁ ସାପ୍ତାହିକ ଭିତ୍ତିରେ ଦରମା ମିଳିବ। ତା’ ସହ ଅନ୍ୟ ଏକ ମହତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଆମେ ଏବର୍ଷଠାରୁ ଖେଳାଳିଙ୍କୁ ବୀମା ପ୍ରଦାନ କରିବୁ। ସଂପ୍ରତି ଆମେ ୨୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପହଞ୍ଚି ସାରିଲାଣୁ। ଆଗାମୀ ସମୟରେ ଭାରତ ବର୍ଷ‌ର ପ୍ରତିଟି କୋଣ ଅନୁକୋଣ‌ରେ ପହଞ୍ଚିବା ସହ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତୀୟ ଦଳକୁ ପହଞ୍ଚାଇବା ଆମର ପ୍ରଥମ ଲକ୍ଷ୍ୟ’’ ବୋଲି ଶ୍ରୀ ବୋଷ କହିଥିଲେ।

ଏହି ଅବସରରେ ରଗ୍‌ବି ଇଣ୍ଡିଆ ତା’ର ଭବିଷ୍ୟତ ଯୋଜନା ନେଇ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲା। ତଦନୁଯାୟୀ ସେପ୍ଟେମ୍ବର ୧୮ ଓ ୧୯ ଦୁଇ ଦିନ ଧରି ଉଜ୍‌ବେକିସ୍ତାନର ତାସକେଣ୍ଟଠାରେ ଆୟୋଜିତ ହେବାକୁ ଥିବା ୧୮ ବର୍ଷରୁ କମ୍ ଏସିଆନ୍ ରଗ୍‌ବି ସେଭେନ୍ସ ଚାମ୍ପିଅନସିପ୍‌ରେ ଭାରତ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରଗ୍‌ବିକୁ ପ୍ରତ୍ୟାବର୍ତ୍ତନ କରିବ। ଏଥିନେଇ କିଟ୍ ବିଶ୍ବବିଦ୍ୟାଳୟଠାରେ ୧୩ ରାଜ୍ୟର ୫୨ ଜଣ ବାଳିକାଙ୍କୁ ନେଇ ଚଳିତ ମାସ ୧୪ ତାରିଖରୁ ପ୍ରଶିକ୍ଷଣ ଏବଂ ଚୟନ ଶିବିର ଆରମ୍ଭ ହୋଇଛି। ଏଥିରେ ମଧ୍ୟ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଶିବିର ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାରଙ୍କ ସହ କିଟ୍, ଆର୍ଥିକ ସେବା ପ୍ରଦାନକାରୀ କଂପାନି ସୋସାଇଟ୍‌ ଜେନେରାଲ, ବିଏଲ୍‌କେ (କିଟ୍ ପାର୍ଟନର), ଫାଷ୍ଟ ଆଣ୍ଡ ଅପ୍ ( ନ୍ୟୁଟ୍ରିସନ୍ ପାର୍ଟନର), ବ୍ଲେଡ୍ ଇଣ୍ଡିଆ (ଜାତୀୟ ଦଳର ପାର୍ଟନର) ଏବଂ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପର୍ଫର୍ମାନ୍ସ ମଧ୍ୟ ଭାରତୀୟ ରଗ୍‌ବିର ପ୍ରାୟୋଜକ ରହି‌ବେ ବୋଲି ଶ୍ରୀ ‌ବୋଷ ସୂଚନା ଦେଇଥି‌ଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା, କିଟ୍‌ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଇଣ୍ଡିଆନ୍ ରଗ୍‌ବି ଫୁଟବଲ୍ ୟୁନିୟନ୍ ସଭାପତି ବିକ୍ରମ ଆହୁଜା, ଓଡ଼ିଶା ରଗ୍‌ବି ଫୁଟବଲ୍ ଆସୋସିଏସନ୍ ସଭାପତି ପ୍ରିୟଦର୍ଶୀ ମିଶ୍ର, ରଗ୍‌ବି ଇଣ୍ଡିଆ ସିଇଓ ନାସିର ହୁସେନ ଓ ସୋସାଇଟ୍ ଜେନେରାଲର ଚିଫ୍ କଣ୍ଟ୍ରି ଅଫିସର ଟବି ଲ’ସନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ କିଟ୍‌ରେ ଚାଲିଥିବା ଭାରତୀୟ ୧୮ ବର୍ଷରୁ କମ୍ ବାଳିକା ଦଳର ପ୍ରଶିକ୍ଷଣ ଶିବିରକୁ ଦକ୍ଷିଣ ଆଫ୍ରିକାର ରଗ୍‌ବି କିଂବଦନ୍ତି ତଥା ଚାରି ଥର ବିଶ୍ବ ରଗ୍‌ବି ପ୍ଲେୟାର ଅଫ୍ ଦି ଇୟର ହେଣ୍ଡ୍ରିକ୍ସ ନାଥ୍ ବୋଥା, ରଗ୍‌ବି ସେଭେନ୍ସ ବିଶେଷଜ୍ଞ ଲୁଡୱିଚ୍ ଭାନ୍ ଡେଭେଣ୍ଟର, ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ବିଶେଷଜ୍ଞ ଜାନି ବ୍ରୁକ୍ସ ଏବଂ ଭାରତୀୟ ମହିଳା ରଗ୍‌ବି ଦଳର ଅଧିନାୟିକା ବାହବିଜ୍ ବରୁଚା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର