ଜନ ଧନ ଯୋଜନାକୁ ୭ ବର୍ଷ ପୂରିଲା

ନୂଆଦିଲ୍ଲୀ: ଘରେ ଘରେ ବ୍ୟାଙ୍କ ସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଜନ ଧନ ଯୋଜନା ସାତ ବର୍ଷର ଯାତ୍ରା ପୂରଣ କରିଛି। ୨୦୧୪ ଅଗ‌ଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ୨୦୨୧ ଅଗଷ୍ଟ ୨୧ ସୁଦ୍ଧା ଏହି ଯୋଜନା ଅଧୀନରେ ୪୩.୦୪ କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି। ସେଥି ମଧ୍ୟରୁ ୫୫.୪୭% ଖାତା ମହିଳାଙ୍କ ନାମରେ ଖୋଲାଯାଇଥିବା ବେଳେ ୬୬.୬୯% ଖାତା ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳରେ ଖୋଲାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷରେ ୧୭.୯୦ କୋଟି ଖାତା ଖୋଲାଯାଇଥିଲା। ସେହିଦିନ ଠାରୁ ନିରନ୍ତର ଭାବେ ଜନ ଧନ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ବର୍ତ୍ତମାନ ୩୬.୮୬ କୋଟି ଜନ ଧନ ଖାତା ସକ୍ରିୟ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ‌ଯଦି କୌଣସି ଖାତାରେ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି କାରବାର ହୁଏ ନାହିଁ ତାହାକୁ ଅଚଳ ବର୍ଗରେ ସାମିଲ କରାଯାଏ। ମାତ୍ର ୮.୨% ଜନ ଖାତାରେ ଜିରୋ ବାଲାନ୍ସ ରହିଛି। ଜନ ଧନ ଖାତାଗୁଡ଼ିକରେ ୧,୪୬,୨୩୦ କୋଟି ଟଙ୍କା ଜମାର ରାଶି ରହିଛି। ପ୍ରତି ଖାତାରେ ହାରାହାରି ଭାବେ ୩୩୯୮ ଟଙ୍କା ରଖାଯାଇଛି। ଜନ ଧନ ଖାତା ଖୋଲିଥିବା ଗ୍ରାହକଙ୍କୁ ୩୧.୨୩ କୋଟି ରୁପେ ଡେବିଟ୍ କାର୍ଡ ଦିଆଯାଇଛି। ଜନ ଧନ ଯୋଜନା ଅସଂଖ୍ୟ ଭାରତୀୟଙ୍କ ନିକଟରେ ଆର୍ଥିକ ସେବା ପହଞ୍ଚାଇଥିବା ବେଳେ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଇ ସଶକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର