ପେସାଦାରଙ୍କୁ ଆକର୍ଷିତ କରିବାକୁ ନିଯୁକ୍ତି ଯୋଜନା : ଆଗ୍ରହ ଥିଲେ କ୍ରୀଡ଼ା ବିଭାଗକୁ ଆସ

ଭୁବନେଶ୍ବର : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ତଥା କ୍ରୀଡ଼ାକୁ ଭଲ ପାଉଥିବା ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ଏକ ଅଭିନବ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଓଡ଼ିଶାକୁ ଦେଶର ପ୍ରମୁଖ କ୍ରୀଡ଼ା ପ୍ରଦେଶ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ଅନ୍ତର୍ଗତ ରାଜ୍ୟ କ୍ରୀଡ଼ା ବିଭାଗ କ୍ରୀଡ଼ାପ୍ରେମୀ ଅଧିକାରୀମାନଙ୍କୁ ତା’ ଉକୃଷ୍ଟ ପେସାଦାର ଦଳରେ ସାମିଲ ହେବାକୁ ଆହ୍ବାନ କରିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର, ରାଷ୍ଟ୍ରାୟତ କଂପାନି, ସଶସ୍ତ୍ର ବାହିନୀ, ପ୍ରତିରକ୍ଷା ମନ୍ତ୍ରା‌ଳୟ, ରେଳବାଇ, ଜାତୀୟ କ୍ରୀଡ଼ା ମହାସଂଘ (ଭାରତ ସରକାରଙ୍କ ସ୍ବୀକୃତି ପ୍ରାପ୍ତ)ଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଯେ କୌଣସି ସରକାରୀ କର୍ମଚାରୀ ଏହି ଯୋଜନା ଅନୁସାରେ ଡେପୁଟେସନରେ ଆସି ରାଜ୍ୟ କ୍ରୀଡ଼ାରେ କାର୍ଯ୍ୟ କରିପାରିବେ। ଏଥିଲାଗି କିନ୍ତୁ ସେମାନଙ୍କୁ ଆନୁଷ୍ଠାନିକ ଭାବେ ଆବେଦନ କରିବାକୁ ପଡ଼ିବ। ଉପରୋକ୍ତ ବିଭାଗଗୁଡ଼ିକରୁ ଅବସର ନେଇସାରିଥିବା କର୍ମଚାରୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରଶିକ୍ଷକ, କ୍ରୀଡ଼ା ପ୍ରଶାସକ, କ୍ରୀଡ଼ା କୋଟାରେ ନିଯୁକ୍ତି ପାଇଥିବା ବ୍ୟକ୍ତି କିମ୍ବା କ୍ରୀଡ଼ାକୁ ଭଲପାଉଥିବା ଜଣେ ସାଧାରଣ କର୍ମଚାରୀଙ୍କୁ ମଧ୍ୟ ଏହି ଯୋଜନା‌ରେ ସାମିଲ କରାଯିବ। ଏଥିଲାଗି ସବିଶେଷ ବିବରଣୀ www.sportsodisha.gov.in ରୁ ମିଳିପାରିବ। ଚୟନ ହେଲେ ଏହି କର୍ମଚାରୀମାନଙ୍କୁ କ୍ରୀଡ଼ା କ୍ଷେତ୍ର, ମହାସଂଘ, କ୍ଲବ୍ ଏବଂ ଶୀର୍ଷ ସ୍ତରୀୟ ଖେଳାଳିଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ମିଳିବ। ଏଥିଲାଗି ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ଚଳିତ ମାସ ୧୮ ତାରିଖ ରାଖାଯାଇଛି। ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ କ୍ରୀଡ଼ା ସମ୍ମିଳନୀରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ବାରା କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ଲାଭ କରିଛି। ସେହିଭଳି ଓଡ଼ିଶାରେ ଅନେକ ବିଶ୍ବସ୍ତରୀୟ ହାଇଫର୍ଫମାନ୍ସ ସେଣ୍ଟର ସ୍ଥାପନ କରାଯାଇଥିଲା ବେଳେ ଏଠାରେ ମଧ୍ୟ ବହୁ ଅନ୍ତର୍ଜାତୀୟ କ୍ରୀଡ଼ା ଭିତ୍ତିଭୂମି ସ୍ଥାପନ କରାଯାଇଛି। ଏହି ଯୋଜନା ଦ୍ବାରା ରାଜ୍ୟ ବାହା‌ରେ କାର୍ଯ୍ୟ କରୁଥିବା ଦକ୍ଷ ଓଡ଼ିଆ ପ୍ରଶିକ୍ଷକ ଏବଂ କ୍ରୀଡ଼ା ପ୍ରଶାସକଙ୍କୁ ଓଡ଼ିଶା ଫେରି ନିଜ ରାଜ୍ୟର କ୍ରୀଡ଼ା ବିକାଶରେ ନିଜ ନିଜର ଯୋଗଦାନ ଦେଇପାରିବେ।

ସମ୍ବନ୍ଧିତ ଖବର