ବିଶ୍ବର ସବୁଠୁ ପ୍ରଭାବୀ ୧୦୦ ମହିଳାଙ୍କ ମଧ୍ୟରେ ଓଡ଼ିଆ କ୍ରିକେଟର୍‌ ପରିମିତା

କ୍ରିକେଟ୍‌ ଅବସୋସ ନାହିଁ

ଭୁବନେଶ୍ବର (ସୁରେଶ ସ୍ବାଇଁ): ଓଡ଼ିଶା ପାଇଁ ବଡ଼ ଗର୍ବ ଓ ଗୌରବ ଆଣିଛନ୍ତି ପୂର୍ବତନ ମହିଳା କ୍ରିକେଟର୍‌ ଡକ୍ଟର ପରିମିତା ମହାନ୍ତି। ଓଡ଼ିଶାରେ ମହିଳା କ୍ରିକେଟ ସଂଘର୍ଷରତ ଥିବା ସମୟରେ ଦୀର୍ଘ ଏକ ଦଶନ୍ଧି ଧରି ଖେଳିଥିବା ପରିମିତା ଏବେ ବିଶ୍ବର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୟୁରୋପ ଓ ଆମେରିକାରେ ବେଶ ଗୁରୁତ୍ବ ପାଉଥିବା ‘ଅପଲିଟିକାଲ୍ସ ୧୦୦ ମୋଷ୍ଟ ଇନ୍‌ଫ୍ଲୁଏନସିଆଲ୍‌ ପିପୁଲ୍‌ ଇନ୍‌ ଜେଣ୍ଡର୍‌ ପଲିସି ୨୦୨୧’ ତାଲିକା‌ରେ ସ୍ଥାନ ପାଇ ଓଡ଼ିଶା ପାଇଁ ନୂଆ ଏକ ପରିଚୟ ଆଣିଛନ୍ତି ପରିମିତା। ଅଣରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ବିଶ୍ବର ୧୧୦୦ ମହିଳାଙ୍କ ମଧ୍ୟରୁ ଏହି ୧୦୦ ଜଣଙ୍କୁ ମନୋନୀତ କରାଯାଇଛି। ଯେଉଁଥିରେ ଏହି ଭୁବନେଶ୍ବର ମହିଳାଙ୍କ ସହିତ ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ, ହାଇତିର ପୂର୍ବତନ ପ୍ରଧାନମନ୍ତ୍ରୀ ମାଇକେଲ୍‌ ପିଏର ଲୁଇସ୍‌ ଏବଂ ୟୁଏନ୍‌ଏଫ୍‌ସିସିସିର ପୂର୍ବତନ ମୁଖ୍ୟ କ୍ରିଷ୍ଟିଆନୋ ଫିଗରସ୍ ପ୍ରମୁଖ ରହିଛନ୍ତି। ଅକ୍ଷୟ ଶକ୍ତି ଓ ପାଣିପାଗ ପରିବର୍ତନ ଉପରେ ଭାରତରେ ଜଣେ ଆଗଧାଡ଼ିର ପରିଚିତ ବ୍ୟକ୍ତିତ୍ବ ଡକ୍ଟର ପରିମିତା ଏବେ ଜାତି ସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଅଧୀନ ବ୍ୟାଙ୍କକ୍‌ସ୍ଥିତ ଏସିଆ ପାସିଫିକ୍ କାର୍ଯ୍ୟାଳୟରେ ପ୍ରୋଗ୍ରାମ୍‌ ମ୍ୟା‌ନେଜର୍‌ ଭାବେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ୧୮ ବର୍ଷ ଧରି ଅକ୍ଷୟ ଶକ୍ତି, ପାଣିପାଗ ପରିବର୍ତନ, ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣ ଏବଂ ପାଣିପାଗ ପରିବର୍ତନ କ୍ଷେତ୍ରରେ ଅଭିଜ୍ଞତା ହାସଲ କରିବା ସହ ଏସିଆ ପାସିଫିକ୍ ଅଞ୍ଚଳରେ ଉପେକ୍ଷିତ ବର୍ଗର ସାମାଜିକ ଓ ଆର୍ଥିକ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିବାରୁ ଏବେ ଅନ୍ତର୍ଜାତୀୟ ସ୍ବୀକୃତି ଅର୍ଜନ କରିଛନ୍ତି। ଜେଣ୍ଡର ସମ୍ପର୍କିତ ନୀତି ନିର୍ଦ୍ଧାରଣ ଓ ଯୋଜନା ପ୍ରସ୍ତୁତିରେ ବି ୧୫ରୁ ଊର୍ଧ୍ବ ଦେଶରେ କାମ କରିସାରିଛନ୍ତି। ପୂର୍ବରୁ ସେ ୨୦୧୦ରେ ନାସକମ୍‌ ଦ୍ବାରା ନୂଆଦିଲ୍ଲୀରେ ସୋସିଆଲ୍‌ ଇନ୍ନୋଭେସନ୍‌ ଆୱାର୍ଡ ଏବଂ ୨୦୧୨ରେ ଗ୍ରାଫିକାଲ୍‌ ସିଷ୍ଟମ୍ ଡିଜାଇନ୍ ଆଚିଭମେଣ୍ଟ୍‌ ଆୱାର୍ଡ ପାଇଥିଲେ।

କ୍ରିକେଟ୍‌ ଅବସୋସ ନାହିଁ
ବିଶ୍ବର ୧୦୦ ପ୍ରବାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ନିଜକୁ ବହୁତ ଖୁସି ଓ ଗର୍ବିତ ମନେ କରୁଛନ୍ତି ପରିମିତା। ୟୁରୋପ ଓ ଆମେରିକା ସମେତ ବିଶ୍ବର ପ୍ରାୟ ୧୫୦ ଦେଶରେ ଏହି ତାଲିକାକୁ ଢ଼େର ଗୁରୁତ୍ବ ମିଳିଥାଏ। ଏହି ମର୍ଯ୍ୟାଦାଜନକ ତାଲିକାକୁ ମଧ୍ୟ ବିଶ୍ବ ବ୍ୟାଙ୍କ ଢେର ପ୍ରାଧାନ୍ୟ ଦେଇଥାଏ। ଓଡ଼ିଶାରୁ ଆସି ଏଭଳି ଏକ ଏଲିଟ୍‌ ତାଲିକାରେ ସ୍ଥାନ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ‘ସମ୍ବାଦ’ ସହ ବ୍ୟାଙ୍କକ୍‌ରୁ କଥା‌ ହେବାବେଳେ ପ୍ରକାଶ କରିଥିଲେ ପରିମିତା। ଓଡ଼ିଶା ପାଇଁ ୧୯୯୩ରୁ ୨୦୦୧ ମସିହା ପର୍ଯ୍ୟନ୍ତ ବିଭିନ୍ନ ଅନ୍ତଃରାଜ୍ୟ ଓ ପୂର୍ବାଞ୍ଚଳ କ୍ରିକେଟ୍‌ ପ୍ରତିଯୋଗିତା ଖେଳିଥିଲେ। ଜଣେ ପ୍ରାରମ୍ଭିକ ତଥା ଶୀର୍ଷକ୍ରମ ବ୍ୟାଟର୍‌ ଭାବେ ନିଜ ସମୟରେ ଖୁବ୍ ନାମ କମାଇଥିଲେ। ବିହାର ବିପକ୍ଷରେ ବ୍ୟକ୍ତିଗତ ଶ୍ରେଷ୍ଠ ପାଳି ୬୫* ରନ୍‌ କରିଥିଲେ। ‘‘ଅଧିନାୟିକା ରଶ୍ମିତା ମହାନ୍ତିଙ୍କ ମାର୍ଗଦର୍ଶନ କଥା ଏବେ ବି ମନେ ପଡ଼େ। କ୍ରିକେଟରେ ଆଗକୁ ବଢ଼ି ପାରିନଥିଲେ ବି ଅବସୋସ ନାହିଁ। ଅକ୍ଷୟ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ମୁଁ ବି ବେଶ ଅଗ୍ରହୀ ଥିଲି। ଏଥିରେ ସଫଳତା ଏବଂ ସ୍ବୀକୃତି ପାଇବା ସହ ସାମାଜିକ ବିକାଶରେ ନିଜ ଯୋଗଦାନ ରଖିପାରିଥିବାରୁ ଖୁସି ବୋଲି କହିଥିଲେ ୪୫ ବର୍ଷୀୟା ପରିମିତା।

ସମ୍ବନ୍ଧିତ ଖବର