ଓସ୍‌ଜା ଜିତିଲା ୩ ପୁରସ୍କାର, ଏସ୍‌ଜେଏଫ୍‌ଆଇ ସମ୍ମିଳନୀ ଉଦ୍‌ଯାପିତ

ବେଙ୍ଗାଲୁରୁ: ବାଙ୍ଗାଲୋରର ଷ୍ଟାର ହୋଟେଲ ଲା’ ମାରିଡେନରେ ମଙ୍ଗଳବାର ରାତିରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବ ସହ ୪୧ତମ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ)ର ଜାତୀୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଗତ ୪ ଦିନ ଧରି ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ଜିତିଥିବା ଧାବିକା ଦୂତି ଚାନ୍ଦ, ସର୍ବାଧିକ ଥର ବିଶ୍ୱ ପ୍ରତିଯୋଗିତା ଜିତିଥିବା କ୍ୟୁ ସ୍ପୋର୍ଟସ୍‌ର ବିଜେତା ଖେଳାଳି ପଙ୍କଜ ଆଡଭାନୀ ଏବଂ ହକି ତାରକା ଏସଭି ସୁନୀଲ୍‌ ଅତିଥି ଭାବରେ ଯୋଗ ଦେଇଥିଲେ। ଏ ବର୍ଷ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ତିନିଟି ପୁରସ୍କାର ହାସଲ କରିଛି। ଟେନପିନ୍‌ ବୋଲିଂରେ ଓସ୍‌ଜାର ୩ ଜଣିଆ ଦଳ (ସଂବିତ ମହାପାତ୍ର, ସୁକେଶ ବେହେରା ଓ ଜଗଦୀଶ୍ୱର ଦାସ) କାଂସ୍ୟ ପଦକ ପାଇଛନ୍ତି। ତିନିଟି ମ୍ୟାଚ୍‌ରେ ଓଡ଼ିଶା ଦଳ ୩୫୫, ୩୫୫ ଏବଂ ୩୩୪ ସ୍କୋର କରି ତୃତୀୟ ସ୍ଥାନ ପାଇଥିଲା। ଟେନପିନ୍‌ ବୋଲିଂ ଭାରତୀୟ ସଂଘର ଉପସଭାପତି ପରଭେଜ୍‌ ଅହମ୍ମଦ ପ୍ରଦାନ କରିଥିଲେ ପଦକ। ସେହିପରି ସଂବିତ, ସୁକେଶ ଓ ଜଗଦୀଶ୍ୱରଙ୍କୁ ନେଇ ଗଠିତ ଦଳ ପେନାଲଟି କିକ୍‌ରେ ମଧ୍ୟ କାଂସ୍ୟ ପଦକ ପାଇଥିଲା। ପଙ୍କଜ ଆଡଭାନୀ ଏହି ପଦକ ପ୍ରଦାନ କରିଥିଲେ। ତୃତୀୟ ସଫଳତା ପାଇଛନ୍ତି ସୁକେଶ। ଜେକେ ବୋଷ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଉତ୍ତରାଞ୍ଚଳ ବିପକ୍ଷରେ ୨ ଛକା ସହ ଅପରାଜିତ ୫୨ ଏବଂ ବୋଲିଂରେ ଗୋଟିଏ ଓ୍ଵିକେଟ ପାଇଥିବା ସୁକେଶ ବେହେରାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ଗୌରବ ଦୂତି ଚାନ୍ଦ ଓଡ଼ିଆ କ୍ରୀଡ଼ା ସାମ୍ବାଦିକମାନଙ୍କ ସହ ଷ୍ଟେଜ ଉପରେ ଏକାଠି ଫଟୋ ଉଠାଇଥିଲେ। ପୁରସ୍କାର ପାଇଥିବା ୩ ସାମ୍ବାଦିକଙ୍କ ସହ ଓସ୍‌ଜାର ସମ୍ପାଦକ ସନାତନ ପାଣି ଓ ଉପସଭାପତି ସୁରେଶ ସ୍ୱାଇଁ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର