ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇ ଟି-୨୦ ବିଶ୍ବକପ୍ ଫାଇନାଲରେ ପ୍ରବେଶ କଲା ପାକିସ୍ତାନ

ସିଡନି : ଟି-୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଦିନେ ବିଶ୍ବକପରୁ ବିଦା ହେବା ସ୍ଥିତିରେ ଥିବା ପାକିସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଫାଇନାଲରେ ପ୍ରବେଶ କରିଛି । ବୁଧବାରଦିନ ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ ।

ଏହି ମ୍ୟାଚରେ ପାକିସ୍ତାନ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ଥିବାବେଳେ ପାକିସ୍ତାନ ଦଳର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳର ବିଜୟ ପାଇଁ ପଥ ପରିଷ୍କାର କରିଦେଇଥିଲେ । ବାବର ୫୩ ଓ ରିଜଓ୍ବାନ ୫୭ ରନ କରି ଆଉଟ ହୋଇଥିଲେ । ସେହିପରି ମହମ୍ମଦ ହ୍ୟାରିସ୍ ୩୦ ରନ କରିଥିଲେ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଦଳ ଆରମ୍ଭରୁ ଫିନ ଆଲେନଙ୍କ ଓ୍ବିକେଟ୍ ହରାଇଥିଲେ ବି ଡେଭନ କନଓ୍ବେ ଓ ଅଧିନାୟକ କେନ ଓ୍ବିଲିୟମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍ଥିତିକୁ ସୁଧାରିଥିଲେ । ଦଳ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୫୩ ରନ କରିଥିବାବେଳେ କେନ ଓ୍ବିଲିୟମସନ ୪୬ ରନ ଓ ଡେଭନ କନଓ୍ବେ ୨୧ ରନ କରିଥିଲେ । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି ୨ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ନଓ୍ବାଜ୍ ଗୋଟିଏ ଓ୍ବିକେଟ ନେଇଥିଲେ । କନଓ୍ବେ ରନ ଆଉଟ ହୋଇଥିଲେ ।

ଚଳିତ ବିଶ୍ବକପର ୨ୟ ସେମିଫାଇନାଲ ମ୍ୟାଚ ଆସନ୍ତା କାଲି ଅର୍ଥାତ ଗୁରୁବାରଦିନ ଆଡିଲେଡଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ।

 

ସମ୍ବନ୍ଧିତ ଖବର