ପାକିସ୍ତାନରେ ଭାରତ ‌ଡେଭିସ କପ୍‌ ‌ଖେଳିବା ନେଇ ସରକାରଙ୍କ ଭୂମିକା ନାହିଁ: ରିଜିଜୁ

ନୂଆଦିଲ୍ଲୀ: ‌ପାକିସ୍ତାନରେ ଭାରତ ଡେଭିସ୍‌ କପ୍‌ ଖେଳିବା ନେଇ ସରକାର କୌଣସି ପ୍ରକାର ନକାରାତ୍ମକ ଚିନ୍ତା କରିନାହାନ୍ତି। ପାକିସ୍ତାନ ଗସ୍ତ କରିବାକୁ ମଧ୍ୟ ‌ମନା କରିନାହାନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ସୋମବାର କହିଛନ୍ତି। କାରଣ ଏହା ଏକ ଦ୍ବିପାକ୍ଷିକ ଶୃଙ୍ଖଳା ନୁହେଁ। ଏହା ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଏଥିପାଇଁ ସରକାରଙ୍କ କୌଣସି ପ୍ରକାର ହସ୍ତକ୍ଷପ ଜରୁରୀ ନାହିଁ। ଯଦି ଏହା ଦ୍ବିପାକ୍ଷିକ ଶୃଙ୍ଖଳା ହୋଇଥାନ୍ତା ତେବେ ପାକିସ୍ତାନରେ ଭାରତ ଖେଳିବା ନେଇ ରାଜନୈତିକ ନିଷ୍ପତ୍ତି ଉପରେ ନିର୍ଭର କରିବାକୁ ପଡ଼ିଥାନ୍ତା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଏସିଆ-ଓସେନିଆ ଗ୍ରୁପ୍‌ ୧ ଡେଭିସ୍‌ କପ୍‌ ଟାଇର ଅନ୍ତର୍ଗତ ଭାରତ-ପାକିସ୍ତାନ ମ୍ୟାଚ୍‌ ଆସନ୍ତା ମାସ ୧୪ ଓ ୧୫ ତାରିଖରେ ‌ଇସ୍‌ଲାମବାଦଠାରେ ଅନୁଷ୍ଠିତ ହେବାର ରହିଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଭାରତ-ପାକିସ୍ତାନ ମଧ୍ୟରେ କୂଟନୈତିକ ତିକ୍ତତା ଜାରି ରହିଛି। ଏପରିକି ପାକିସ୍ତାନରେ ‌ନ ଖେଳି ନିରପକ୍ଷ ସ୍ଥାନରେ ମ୍ୟାଚ୍ ଆୟୋଜନ କରିବାକୁ ଅନ୍ତର୍ଜାତୀୟ ଟେନିସ ସଂଘକୁ ଭାରତ ଅନୁରୋଧ କରି ବୋଲି ସଙ୍କେତ ଦେଇଥିଲା। ପାକିସ୍ତାନ କିନ୍ତୁ ମୁକାବିଲାକୁ ଅନ୍ୟତ୍ର ଘୁଞ୍ଚାଇବା ଲାଗି ରାଜି ନାହିଁ ବୋଲି ସ୍ପ‌ଷ୍ଟ କରି ଦେଇଥିଲା। ଫଳରେ ମ୍ୟାଚ୍‌ ଆୟୋଜନ ନେଇ ଆଶଙ୍କା ଉପୁଜିଥିଲା। ସୋମବାର ସର୍ବଭାରତୀୟ ଟେନିସ୍‌ ସଂଘ ଇସ୍‌ଲାମାବାଦରେ ସୁରକ୍ଷା ବ୍ୟବସ୍ଥାର ପୁନଃ ସମୀକ୍ଷା କରିବାକୁ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘକୁ ଅନୁରୋଧ କରିଛି। ସେହିଭଳି ଇସ୍‌ଲାମାବାଦରୁ ମ୍ୟାଚ୍‌ ସ୍ଥାନାନ୍ତର କରିବା ଦାବିରୁ ଆପାତତଃ ଓହରି ଯାଇଛି। ପାକିସ୍ତାନ ଟେନିସ୍‌ ସଂଘ ଇସ୍‌ଲାମାବାଦରେ ଭାରତୀୟ ଦଳକୁ କୌଣସି ବିପଦ ନାହିଁ ବୋଲି କହିଛି।

ସମ୍ବନ୍ଧିତ ଖବର