ଡିଆରଏସ୍‌କୁ ନେଇ ଅଷ୍ଟ୍ରେଲିଆରେ କନ୍ଦଳ

ହେଡିଂଲେ: ହେଡିଂଲେ ଟେଷ୍ଟ୍‌ରେ ଡିଆରଏସ୍‌ର ଦୁର୍ବଳ ଉପଯୋଗ ନେଇ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏଥିଲାଗି ସେଠାକାର ବହୁ ପୂର୍ବତନ ଖେଳାଳି ଅଷ୍ଟ୍ରେଲିଆ ଟେଷ୍ଟ୍‌ ଅଧିନାୟକ ଟିମ୍ ‌ପେନ୍‌ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଡିଆରଏସ୍‌କୁ ଅଯଥାରେ ଶେଷ କରି ଦେଇ ନଥିଲେ, ଇଂଲଣ୍ଡ ପରିବର୍ତେ ଅଷ୍ଟ୍ରେଲିଆ ହେଡିଂଲେ ଟେଷ୍ଟ୍‌ରେ ୧ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରି ଥାଆନ୍ତା ବୋଲି ସେମା‌ନେ ଯୁକ୍ତି ବାଢ଼ିଛନ୍ତି। ମ୍ୟାଚ୍‌ର ସ୍ଥିତି ଏବଂ ଅଷ୍ଟ୍ରେଲିଆର ଡିଆର୍‌ଏସ୍ ଉପଯୋଗ ସମୟ ତଥା ସ୍ଥିତିକୁ ତର୍ଜମା କଲେ, ସେମାନଙ୍କ ଯୁକ୍ତି ଯେ ପୂରା ଠିକ୍ ତାହା ସ୍ପଷ୍ଟ ହୋଇଯାଉଛି। ରୋମାଞ୍ଚଭରା ହେଡିଂଲେ ଟେଷ୍ଟ୍‌ରେ ଘରୋଇ ଇଂଲଣ୍ଡ ସମ୍ମୁଖରେ ଅଷ୍ଟ୍ରେଲିଆ ୩୫୯ ରନ୍‌ର ଅସାଧ୍ୟ ତଥା କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଇଂଲଣ୍ଡ ମଧ୍ୟ ୨୮୬ ରନ୍‌ରେ ୯ ୱିକେଟ୍ ହରାଇ ପରାଜୟ ଦ୍ବାର ଦେଶରେ ଥିଲା। ହେଲେ ଇଂଲଣ୍ଡକୁ ବିଶ୍ବକପ୍ ବିଜୟ ଉପହାର ଦେଇଥିବା ବେନ୍ ଷ୍ଟୋକ୍ସ (୧୩୫*) ଏକାଦଶ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଜ୍ୟାକ୍ ଲିଚ୍‌ (୧* ରନ୍, ୧୭ ବଲ୍)ଙ୍କ ସହ ମିଶି ଅସମାପ୍ତ ଦଶମ ୱିକେଟ୍‌ରେ ୭୬ ରନ୍ ଅମଳ କରି ଇଂଲଣ୍ଡକୁ ଐତିହାସିକ ବିଜୟ ଉପହାର ଦେଇଥିଲେ। ଷ୍ଟୋକ୍ସଙ୍କ ସାହାସିକ ବ୍ୟାଟିଂ ସହ ଇଂଲଣ୍ଡ ପାଳିର ଶେଷ ୩ ଓଭରରେ କରିଥିବା ଗୁରୁତର ତ୍ରୁଟି ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଇଂଲଣ୍ଡ ପାଳିର ୧୨୪ତମ ଓଭରରେ ମାର୍କସ ହାରିସ ବିସ୍ଫୋରକ ବ୍ୟାଟିଂ କରୁଥିବା ଷ୍ଟୋକ୍ସଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ। ସେହି ଓଭରର ବଲ୍ ଲେଗଷ୍ଟମ୍ପ୍‌ ବାହାରେ ପିଚ୍ ହୋଇ ଲିଚ୍‌ଙ୍କ ପ୍ୟାଡ୍‌ରେ ବାଜିବା ସତ୍ତ୍ବେ ପେନ୍ କିଛି ନଦେଖି ନଶୁଣି ରିଭ୍ୟୁ ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ ରିଭ୍ୟୁ ହରାଇଥିଲା। ୧୨୫ତମ ଓଭରରେ ଲିଚ୍‌ଙ୍କ ଏକ ନିଶ୍ଚିତ ରନ୍ ଆଉଟକୁ ବୋଲର ନାଥନ ଲାୟନ ହାତଛଡ଼ା କରିଥିଲେ। ଏହି ଓଭରର ଶେଷ ବଲ୍‌ରେ ଷ୍ଟୋକ୍ସ ଏଲବିଡବ୍ଲ୍ୟୁ ଆଉଟ୍ ଥିଲେ। ହେଲେ ଅମ୍ପାୟାର ଜୋଏଲ ୱିଲସନ୍ ଏହାକୁ ନାକଚ କରି ଦେଇଥିଲେ। ରିଭ୍ୟୁ ସରି ଯାଇଥିବାରୁ ପେନ୍ ଅସହାୟ ଭାବେ ତାଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ ହୋଇଥିଲେ। ପରବର୍ତୀ ଓଭରରେ ଷ୍ଟୋକ୍ସ ଚୌକା ମାରି ଇଂଲଣ୍ଡକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଏହି ନିଷ୍ପତ୍ତିର ରିଭ୍ୟୁ କରିଥିଲେ କିନ୍ତୁ ଅଷ୍ଟ୍ରେଲିଆ ୧ ରନ୍‌ରେ ବିଜୟୀ ହୋଇ ପାରି ଥାଆନ୍ତା।

ପେନ୍‌ଙ୍କ ମୁଣ୍ଡ ଖରାପ ହୋଇଯାଇଥିଲା: ଇଆନ ଚାପେଲ
ବଲ୍ ଲେଗ୍ ଷ୍ଟିକ୍‌ର ଢେର ବାହାରେ ପିଚ୍ ହୋଇଥିଲେ ମଧ୍ୟ ମାର୍କ ଲିଚ୍‌ଙ୍କ ବିପକ୍ଷରେ ଟିମ୍ ପେନ୍ ରିଭ୍ୟୁ ନେବାକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ ତୀବ୍ର ସମାଲୋଚନା କରିଛନ୍ତି। ଅଷ୍ଟ୍ରେଲିଆ ପରାଜୟର ଏହା ସବୁଠାରୁ ବଡ଼ କାରଣ ବୋଲି ସେ କହିଛନ୍ତି। ହେଡିଂଲେ ଟେଷ୍ଟର ‌ଶେଷ ଏକ ଘଣ୍ଟାରେ ପେନ୍‌ଙ୍କ ମୁଣ୍ଡ ଖରାପ ହୋଇ ଯାଇଥିଲା। ସେ ଯେମିତି କିଛି ବୁଝି ପାରୁ ନଥିଲେ। ପୂର୍ବତନ ଅଧିନାୟକ ମାର୍କ ଟେଲର ଏବଂ ପୂର୍ବତନ ୱିକେଟ୍ ରକ୍ଷକ ଇଆନ ହେଲି ମଧ୍ୟ ପେନ୍‌ଙ୍କୁ ସମାଲୋଚନା କରିଛନ୍ତି। ଚଳିତ ଆସେସ ଶୃଙ୍ଖଳାରେ ପେନ୍‌ଙ୍କ ଦୁର୍ବଳ ଅଧିନାୟକତ୍ବ ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି ବୋଲି ଉଭୟ ମତ ପ୍ରକାଶ କରିଛନ୍ତି।

ଦୋଷ ମାନିଲେ ପେନ୍, ଲାଙ୍ଗର
ହେଡିଂଲେ ଟେଷ୍ଟ୍‌ ସହ ଚଳିତ ଆସେସ୍‌ରେ ଅଷ୍ଟ୍ରେଲିଆ ଡିଆରଏସ୍‌ର ସୁଦୁପଯୋଗ କରିବା ନେଇ ସଂପୂର୍ଣ୍ଣ ବିଫଳ ହୋଇଛି। ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନ୍ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ଆମେ ପୂରା ଶୃଙ୍ଖଳାରେ ଡିଆରଏସ୍‌ ଉପଯୋଗକୁ ନେଇ ବିଫଳ ହୋଇଛୁ। ହେଡିଂଲେ ଟେଷ୍ଟ୍‌ରେ ଖେଳ ଉତ୍ତେଜନାପୂର୍ଣ୍ଣ ମୁହୂର୍ତରେ ଥିବାରୁ ସମ୍ଭବତଃ ଏମିତି ଭୁଲ ହୋଇଥିଲା। ହେଲେ ରିଭ୍ୟୁ ଥାଉ କି ନଥାଉ ଅମ୍ପାୟାର ମଧ୍ୟ ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଇବା ଉଚିତ ବୋଲି ଲାଙ୍ଗର ମ୍ୟାଚ୍ ପରେ କହିଥିଲେ। ‌ପେନ୍ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ। ଏପରିକି ଡିଆରଏସ୍ ନେବା ନିଷ୍ପତ୍ତି ଅନ୍ୟ ଜଣକୁ ଦେବେ ବୋଲି କହିଥିଲେ। ଡିଆରଏସ୍‌କୁ ନେଇ ମୁଁ ଠିକ୍ ନିଷ୍ପତ୍ତି ନେଇନି। ଏହା ଆମ ନିୟନ୍ତ୍ରଣରେ ବି ନଥାଏ। କେବେ କେବେ ଏମିତି ଭୁଲ ହୋଇ ଯାଇଥାଏ ବୋଲି ସେ ଦୁଃଖର ସହ କହିଥିଲେ।

କ୍ରିକେଟ୍ ପଡ଼ିଆର ଦୁଇ ଶ୍ରେଷ୍ଠ ମୁହୂର୍ତ ମଧ୍ୟରୁ ଅନ୍ୟତମ: ଷ୍ଟୋକ୍ସ
ହେଡିଂଲେ ଟେଷ୍ଟ୍‌ ବିଜୟକୁ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସ ନିଜ କ୍ରିକେଟ୍ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ ଭାବେ ବର୍ଣ୍ଣନା କରିଛନ୍ତି। ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମୁଁ ଏହାକୁ ବିଶ୍ବାସ କରି ପାରୁ ନାହିଁ। ବିଶ୍ବକପ୍ ବିଜୟ ସହ ଏହି ବିଜୟ ସମ୍ଭବତଃ କ୍ରିକେଟ୍ ପଡ଼ିଆରେ ମୋର ଦୁଇଟି ଶ୍ରେଷ୍ଠ ମୁହୂର୍ତ। ଆଉ ଥରେ ଏମିତି ଘଟିବ ବୋଲି ମୁଁ ଆଶା କରି ପାରୁ ନାହିଁ। ମୋ ସହ ଜ୍ୟାକ୍ ଲିଚ୍ ମଧ୍ୟ ପ୍ରଶଂସାର ପାତ୍ର। ସେ ଅଦମ୍ୟ ସାହସର ନିଦର୍ଶନ ଦେଇଥିଲେ। ମୁଁ ୫ ବଲ୍ ଖେଳି ଶେଷ ବଲ୍‌କୁ ରନ୍ ନେବି ବୋଲି ଆମେ ଯୋଜନା କରିଥିଲୁ। ସେ ସେହି ଅନୁସାରେ ହିଁ କାର୍ଯ୍ୟ କରିଥିଲେ। ଏବଂ ଆମେ ଶେଷରେ ବିଜୟର ସ୍ବାଦ ଚାଖିଥିଲୁ।

ସମ୍ବନ୍ଧିତ ଖବର