ରାଜ୍ୟ ବକ୍ସିଂରେ ବିଦ୍ରୋହର ସ୍ବର, ବିସ୍ଫୋରକ ବୟାନ ଦେଲେ‌‌ ଦ୍ରୋଣାଚାର୍ଯ୍ୟ ବ୍ରଜଭୂଷଣ

ଭୁବନେଶ୍ବର: ଓଡ଼ିଶାରେ ମୁଷ୍ଟିଯୁଦ୍ଧ (ବକ୍ସିଂ) ଅତୀତରେ ବେଶ ସୁନାମ କମାଇଥିଲା, କିନ୍ତୁ ଏହାର ବର୍ତମାନ ରସାତଳକୁ ଚାଲିଗଲାଣି। କ୍ଷମତାଲୋଭରେ ରାଜ୍ୟ ସଂଘ ଏହି ଅଲିମ୍ପିକ୍‌ ଖେଳର ବିକାଶ ପ୍ରତି ଆଖି ବୁଜିଦେଇଛି। ଖେଳ ଓ ଖେଳାଳିଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦିଆନଯିବାରୁ ଆଉ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର‌ ଖେଳାଳି ବାହାରି ପାରୁନାହାନ୍ତି। ଏହି କାରଣରୁ ବହୁ ପୂର୍ବତନ‌ ଓ ବର୍ତମାନର ଖେଳାଳିଙ୍କ ଅସନ୍ତୋଷ କ୍ରମେ ବିଦ୍ରୋହର ରୂପ ନେଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଓଡ଼ିଶା ମୁଷ୍ଟିଯୁଦ୍ଧକୁ ନିଜ ମୁଷ୍ଟିରେ ଦୀର୍ଘ ୫୦ ବର୍ଷ ଧରି ରଖିଥିବା ‘ବହିଦାର’ଙ୍କୁ ‘ବହିସ୍କାର’ କରିବା ଲାଗି ମୁହଁ‌ ଖୋଲିଛନ୍ତି ରାଜ୍ୟର ପ୍ରଥମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜ ଭୂଷଣ ମହାନ୍ତି। ବ୍ରଜବାବୁଙ୍କ ବିଦ୍ରୋହ ପରେ ମଧ୍ୟ ଏଥି ସହ ଅନ୍ୟମାନେ ସମସ୍ବରରେ ବିଦ୍ରୋହ କରିଛନ୍ତି। ‘ଓଡ଼ିଶାରେ ମୁଷ୍ଟିଯୁଦ୍ଧର ସ୍ତର କ୍ରମେ ନିମ୍ନଗାମୀ ହୋଇଛି। ବକ୍ସିଂ ପାଇଁ ବର୍ତମାନର ସମ୍ପାଦକ ଅନିଲ ବହିଦାର କିଛି ବି କରୁନାହାନ୍ତି। ନିଜେ କିଭଳି ଜାତୀୟ ସଂଘ ସହ ରହିବେ ଏବଂ ବିଭିନ୍ନ ଦାୟିତ୍ବ ନେଇ ମୁନାଫା ଉଠାଇବେ ସେଥିରେ ଏକାଗ୍ରତା ରଖିଛନ୍ତି। ରାଜ୍ୟରେ ବକ୍ସିଂର ବିକାଶ ହେଉନି, ବରଂ ବିନାଶ ଚାଲିଛି’ ବୋଲି ବିସ୍ଫୋରକ ବୟାନ‌ ଦେଇଛନ୍ତି ବ୍ରଜଭୂଷଣ। ଜାତୀୟ ସଂଘ ଲାଗି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସମସ୍ତ ନିୟମ କାନୁନକୁ ଶ୍ରୀ ବହିଦାର ଖାମଖିଆଲ୍‌ ନଜରରେ ରଖି କାମ କରୁଛନ୍ତି। ପ୍ରତି ଜିଲ୍ଲାରେ ବକ୍ସିଂ ସଂଘ ଗଠନ ପରିବା ପରିବର୍ତେ ଜିଲ୍ଳା କ୍ରୀଡ଼ା ସଂଘମାନଙ୍କ ସହ ରହି କାମ ଚଳାଇବା ଫଳରେ ବକ୍ସିଂ ପ୍ରତି କେହି ସ୍ବତନ୍ତ୍ର ଧ୍ୟାନ ଦେଉନାହାନ୍ତି। ନିୟମିତ ଭାବେ ରାଜ୍ୟର‌‌ କୌଣସି ପ୍ରତିଯୋଗିତା ହେଉନାହିଁ। ‌ପଡିଆରେ କିଛି ଖେଳାଳିଙ୍କୁ ଡାକି ଚୟନ ପ୍ରକ୍ରିୟାରୁ ଖେଳାଳିଙ୍କୁ ଜାତୀୟ ପ୍ରତିଯୋଗିତା ପଠାଉଛନ୍ତି। ଆମ ରାଜ୍ୟରେ ପ୍ରତିଭାର ଅଭାବ ନାହିଁ, କିନ୍ତୁ ପ୍ରଶିକ୍ଷଣ ଓ ପରିଚାଳନାରେ ବଡ଼ ବିଡ଼ମ୍ବନା ରହିଛି‌ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ନିଜକୁ ସଂଘର ସର୍ବେସର୍ବା କହି ଚଳାଉଛନ୍ତି ବୋଲି ମଧ୍ୟ ରାଜ୍ୟର ଏହି‌ ଶ୍ରେଷ୍ଠ ବକ୍ସିଂ ବ୍ୟକ୍ତିତ୍ବ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ଓଡ଼ିଶା ବକ୍ସିଂ ସଂଘର ଅନ୍ୟତମ ବରିଷ୍ଠ ବ୍ୟକ୍ତି ତଥା ଉପ ସଭାପତି ସୁଦର୍ଶନ ସାହୁ ମଧ୍ୟ ଶ୍ରୀ ବହିଦାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ‌ ପ୍ରତିଯୋଗିତା ନ ହେବା, ଗୋପନରେ ଚୟନ କରାଯିବା, ଜିତିବା ଖେଳାଳିଙ୍କୁ ହରାଇବା ଓ ହାରିବା ଖେଳାଳିଙ୍କୁ ଜିତାଇବାର କାରସାଦି ସବୁ ତାଙ୍କୁ ଜଣା। ଜିଲ୍ଲାରେ ବକ୍ସିଂ ସଂଘ ନ ରହିବାରୁ ହଷ୍ଟେଲ, ଏକାଡେମି, ସ୍କୁଲ ଓ କଲେଜ ପିଲାମାନେ ବି ବକ୍ସିଂରୁ ବଞ୍ଚିତ ହେଉଛନ୍ତି। ଅଧିକ ପିଲା ଆସିଲେ ପ୍ରତିଦ୍ବନ୍ଦ୍ବିତା ସ୍ତର ବଢ଼ନ୍ତା ଏବଂ ଭଲ ‌ଖେଳାଳି ବାହ‌ାରନ୍ତେ। ହରିଆନା ଭଳି ଆମ ରାଜ୍ୟର ପ୍ରତିଭାମା‌ନେ ବି ଆଗକୁ ବଢ଼ିପାରନ୍ତେ ବୋଲି କହିଥ‌ିଲେ ଶ୍ରୀ ସାହୁ। ଅଯୋଗ୍ୟଙ୍କୁ ପରିଚାଳନା ଦାୟିତ୍ବ ଦେବା ଓ ପ୍ରଶିକ୍ଷିତ ପ୍ରଶିକ୍ଷକଙ୍କୁ ନ ଡାକିବା ଶ୍ରୀ ବହିଦାରଙ୍କ ମନମୁଖୀ କାରବାରର ପ୍ରମାଣ ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ। ବକ୍ସିଂର ଅନ୍ୟତମ ମୁଖ୍ୟ ତଥା ପୁରୁଣା କେନ୍ଦ୍ର ରାଉରକେଲାର ପୂର୍ବତନ ଖେଳାଳି ଓ ବରିଷ୍ଠ ବୈଷୟିକ ଅଧିକାରୀ ଅର୍ଜୁନ ଭୂୟାଁ ମଧ୍ୟ ସମାନ ସ୍ବର ଉତ୍ତୋଳନ କରିଛନ୍ତି। ହରିଆନା ପିଲାଙ୍କୁ ନେଇ ଓଡ଼ିଶା ପାଇଁ ଖେଳାଇ ନିଜ ପକେଟ୍‌ ଗରମ କରନ୍ତି ଶ୍ରୀ ବହିଦାର। କୌଣସି ଜିଲ୍ଲା ସଂଘ ଗଠନ ଦୂରର କଥା ଏବେ କିଛି ଜିଲ୍ଲାରେ ଥିବା ବକ୍ସିଂ ସଂଘକୁ ସେ ଅନୁବଂଧିତ କରିବାକୁ ବି ମନା କରିଦିଅନ୍ତି। ପିଲାଙ୍କଠାରୁ ପଇସା ନେଇ ଖେଳାଇବା ଓ ପ୍ରମାଣପତ୍ର ପ୍ରଦାନ କରାଯିବା ଭଳି ଅଭିଯୋଗ ମଧ୍ୟ ଆଣିଥିଲେ ଶ୍ରୀ ଭୂୟାଁ। ଆଉ ଜଣେ ପୂର୍ବତନ‌ ଖେଳାଳି ତଥା ଏନଆଇଏସ୍‌ ପ୍ରଶିକ୍ଷକ ଡକ୍ଟର ପ୍ରଦୀପ କୁମାର ଲେଙ୍କା ମଧ୍ୟ ରାଜ୍ୟ ସଂଘର ନିଷ୍କ୍ରିୟତା ବିରୋଧରେ ସ୍ବର ଉଠାଇଛନ୍ତି। ବକ୍ସିଂକୁ ଜିଲ୍ଲାସ୍ତରରେ ବିକଶିତ କରାନଗଲେ କିଛି ହେବନି। ବର୍ତମାନର ସଂଘ କିଛି ବି କରୁନି ବୋଲି କହିଥିଲେ ସୁରଟରେ ଏକ ପ୍ରତିଷ୍ଠାନରେ ବକ୍ସିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଭୁବନେଶ୍ବର ନିବାସୀ ଡକ୍ଟର ଲେଙ୍କା।

ସବୁ ଅଭିଯୋଗ ମିଛ: ବହିଦାର
ଓଡ଼ିଶାରେ ବକ୍ସିଂ ବିକାଶ ପଥରେ ରହିଛି। ଆମ ଖେଳାଳିମାନେ ଭଲ କରୁଛନ୍ତି। ମୁଁ ଲକ୍‌ଡାଉନ୍ ପାଇଁ ଦୀର୍ଘ ୪୯ ଦିନ ହେବ ବଲାଙ୍ଗୀରରେ ବଂଧୁଘରେ ଫସିଯାଇଛି। ସବୁ ଅଭିଯୋଗ ମିଛ କଥା, ଲକ୍‌ଡାଉନ୍ ପରେ ମୁଁ ସେସବୁର ପ୍ରମାଣ ଦେବି ବୋଲି କହିଥିଲେ ଓଡ଼ିଶା ବକ୍ସିଂ ସଂଘର ସମ୍ପାଦକ ଅନିଲ ବହିଦାର। ବ୍ରଜଭୂଷଣ ଦ୍ରୋଣାଚାର୍ଯ୍ୟ ହୋଇପାରନ୍ତି, କିନ୍ତୁ ବକ୍ସିଂ ପରିଚାଳନା ତାଙ୍କୁ ଜଣାନାହିଁ। ଓଡ଼ିଶା ପାଇଁ ସେ କ’ଣ କରିଛନ୍ତି ପ୍ରଥମେ କୁହନ୍ତୁ‌ ବୋଲି ପାଲଟା ପ୍ରଶ୍ନ କରିଥିଲେ ଶ୍ରୀ ବହିଦାର। ସେ କିଭଳି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଲେ ଆମ‌େ ଜାଣିଛୁ ବୋଲି ମଧ୍ୟ ନିଜ ରାଜ୍ୟର ଗୌରବ ପ୍ରତି ପ୍ରଶ୍ନ ଉଠାଇଥିଲେ ଶ୍ରୀ ବହିଦାର।

ସମ୍ବନ୍ଧିତ ଖବର