ଦାୟିତ୍ବ ନେଲେ ପିଟି ଉଷା, ଭାରତୀୟ ଅଲିମ୍ପିକ ସଂଘର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ : ଅଲିମ୍ପିଆନ୍‌ ଧାବିକା ପିଟି ଉଷା ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ପ୍ରଥମ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଏଲ୍‌ ନାଗେଶ୍ବର ରାଓଙ୍କ ନୀରିକ୍ଷଣରେ ହୋଇଥିବା ନିର୍ବାଚନରେ ଉଷାଙ୍କ ନାମକୁ ଘୋଷଣା କରାଇଛି। ଏହି ପଦବି ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିଲା ବେଳେ ଆରମ୍ଭରୁ ନିର୍ଦ୍ବନ୍ଦ୍ବରେ ଜିତିସାରିଥିଲେ। ତେବେ ଶନିବାର ତାଙ୍କ ନାମକୁ ଔପଚାରିକ ଭାବେ ଘୋଷଣା କରାଯାଇଛି। ଏପରିକି ପ୍ରଥମ ଅଲିମ୍ପିଆନ୍‌ ଓ ପ୍ରଥମ ଆନ୍ତର୍ଜାତିକ ପଦକ ବିଜେତା ଭାବେ ଆଇଓଏ ମୁଖ୍ୟ ପଦରେ ବସିଛନ୍ତି।

ସେହିପରି ମହାରାଜା ଯାଦବେନ୍ଦ୍ର ସିଂହଙ୍କ ପରେ ନିଜ ଦେଶକୁ ପ୍ରତିନିଧିତ୍ବ କରିଥିବା ଓ ଆଇଓଏ ମୁଖ୍ୟ ପଦରେ ଅବସ୍ଥାପିତ ହେବାରେ ସେ ପ୍ରଥମ କ୍ରୀଡ଼ାବିତ୍‌। ମହାରାଜା ଯାଦବେନ୍ଦ୍ର ସିଂହ ୧୯୩୪ରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା ବେଳେ ୧୯୩୮ରୁ ୧୯୬୦ ପର୍ଯ୍ୟନ୍ତ ଆଇଓଏର ସଭାପତି ଆସନରେ ବସିଥି‌ଲେ। ଆଇଓଏ ନିର୍ବାଚନକୁ ନେଇ ପୂର୍ବରୁ ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା। କୋର୍ଟରେ ମାମଲା ଚାଲିଥିଲା ବେଳେ ଆନ୍ତର୍ଜାତିକ ଅଲିମ୍ପିକ ସମିତି ଏହାକୁ ନିଲମ୍ବନ କରିବାକୁ ଧମକ ‌ମଧ୍ୟ ଦେଇଥି‌ଲା। ଶେଷରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନୀରିକ୍ଷଣରେ ସମ୍ବିଧାନରେ ଏକାଧିକ ସଂଶୋଧନ ଅଣାଯାଇ ନିର୍ବାଚନ ପ୍ରକ୍ରିୟା ଶେଷ କରାଯାଇଛି।

ସମ୍ବନ୍ଧିତ ଖବର