ବିଶ୍ବକପରେ ଖଳନାୟକ ସାଜିଛି ବର୍ଷା : ଗୋଟିଏ ଦିନରେ ଦୁଇଟି ମ୍ୟାଚ ବାତିଲ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ବକପରେ ସବୁଠାରୁ ବଡ଼ ଖଳନାୟକ ସାଜିଛି ବର୍ଷା । ବାରମ୍ବାର ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଉଥିବାରୁ ବିଶ୍ବକପର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଶ୍ବକପରେ ଶୁକ୍ରବାରଦିନ ଦୁଇଟି ମ୍ୟାଚ୍ ଥିବାବେଳେ ଦୁଇଟିଯାକ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ପ୍ରଥମ ମ୍ୟାଚଟି ଥିଲା ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ । ବର୍ଷା ଯୋଗୁଁ ଏହି ମ୍ୟାଚରେ ଗୋଟିଏ ବି ବଲ ପଡ଼ିପାରିନଥିଲା । ଏହା ଫଳରେ ବାଧ୍ୟ ହୋଇ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ ।

ସେହିପରି ୨ୟ ମ୍ୟାଚଟି ଥିଲା ଚିରାଚରିତ ପ୍ରତିଦ୍ବନ୍ଦୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ । ଏହି ମ୍ୟାଚ ବେଳକୁ ବର୍ଷା ଛାଡ଼ିଯାଇଥିଲେ ଯେ ପଡ଼ିଆ ଓଦା ଥିବାରୁ ମ୍ୟାଚକୁ ବାତିଲ କରାଯାଇଥିଲା । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା, କାରଣ ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ସାରିଛନ୍ତି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବାବେଳେ ଇଂଲଣ୍ଡ ଏକ ବର୍ଷା ବାଧିତ ମ୍ୟାଚରେ ଆୟର୍ଲାଣ୍ଡଠାରୁ ଡିଏଲ୍ ନିୟମ ଅନୁସାରେ ପରାସ୍ତ ହୋଇଥିଲା ।

କେବଳ ଆଜିର ମ୍ୟାଚ ନୁହେଁ, ଗତ ବୁଧବାର ହେବାକୁ ଥିବା ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ ବି ବାତିଲ ହୋଇଯାଇଥିଲା । ଗତ ସୋମବାର ଦିନ ଖେଳାଯାଇଥିବା ଜିମ୍ବାଓ୍ବେ-ଦକ୍ଷିଣ ଆଫ୍ରିକା ମ୍ୟାଚ ବି ବର୍ଷା ଯୋଗୁଁ ଫଳାଫଳଶୂନ୍ୟ ରହିଥିଲା ।

ରୋଚକ କଥା ହେଉଛି ମେଲବୋର୍ଣ୍ଣରେ ହେଉଥିବା ଅଧିକାଂଶ ମ୍ୟାଚରେ ବର୍ଷା ଖଳନାୟକ ସାଜୁଛି ।

 

ସମ୍ବନ୍ଧିତ ଖବର