ଭୁବନେଶ୍ୱର: ରାଜଧାନୀର ବାଟେଘାଟେ ବୁଲୁବୁଲୁ ନଜର ପଡ଼ିଲା ମଞ୍ଚ ନାଟକର ଠିକଣା ରବୀନ୍ଦ୍ର ମଣ୍ଡପ ଉପରେ। ମଣ୍ଡପର ଫାଟକ ପାଖରେ ଝାଲ୍ମୁଢ଼ି ବିକ୍ରି କରୁଛନ୍ତି ଜଣେ ବୟସ୍କ ବ୍ୟକ୍ତି। ନା ତାଙ୍କର ପ୍ରଶାନ୍ତ କୁମାର ଦାସ। ବୟସ ୫୦ରୁ ଅଧିକ ହେବ। ମଞ୍ଚ ନାଟକ ସହ ଜଡ଼ିତ ଥିବା ଲୋକମାନେ ଊଣାଅଧିକେ ତାଙ୍କୁ ଜାଣନ୍ତି। ହୁଏତ ପ୍ରଶାନ୍ତ କହିଲେ କମ୍ ଲୋକ ଚିହ୍ନବେ, ଝାଲ୍ମୁଢ଼ି ବାବୁଲି ଭାଇ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ନାଟକ ଦେଖିବାକୁ ଆସୁଥିବା ନାଟ୍ୟପ୍ରେମୀମାନେ ତାଙ୍କ ହାତତିଆରି ସୁଆଦିଆ ଝାଲ୍ମୁଢ଼ି ଖାଇବାକୁ ଭୁଲନ୍ତି ନାହିଁ। ସେଥିରେ ତାଙ୍କ ପରିବାର ଚଳେ। ତାଙ୍କୁ ଦେଖିବା ପରେ କିଛି କଥା ଜାଣିବାକୁ ଇଚ୍ଛା ହେଲା। ଦଶ ଟଙ୍କାର ଝାଲ୍ ମୁଢ଼ି ଖାଇବା ପରେ…! ଆପଣଙ୍କ ଝାଲ୍ମୁଢ଼ି ତ ବହୁତ ଟେଷ୍ଟି? ଏଠି କ’ଣ ସବୁ ଦିନ ଆସନ୍ତି? କେବେଠାରୁ ଝାଲ୍ମୁଢ଼ି ବିକ୍ରି କରୁଛନ୍ତି? ପାଖରେ କିଛି ଗରାଖ ଥିଲେ। ପ୍ରଶ୍ନ ଶୁଣି ସେ ଠିକ୍ ଧରି ନେଲେ ଓ କହିଲେ, ଆପଣ ବୋଧ ହୁଏ ସାମ୍ବାଦିକ? ହଉ, ହେଲା। ପଚାରୁଛନ୍ତି ଯେତେବେଳେ ଶୁଣନ୍ତୁ…
Sambad is now on WhatsApp
Join and get latest news updates delivered to you via WhatsApp
ଦୁଃଖ କଥା କ’ଣ କହିବି ଆଜ୍ଞା! ୮୦ ଦଶକର କଥା। ଜଗତ୍ସିଂହପୁରରେ ଦଳେଇ ଘାଇ ଭାଙ୍ଗିଥାଏ। ବଢ଼ି ପାଣି ପଶି ଗାଁଗଣ୍ଡା ବୁଡ଼ିଥାଏ। ମୋ ଗାଁ ନାଉଗାଁ ବ୍ଲକ୍ ଜାମୁଗାଁ ପଞ୍ଚାୟତର ସୁଣ୍ଠଳରେ ବି ପାଣି ପଶିଥାଏ। ଖାଇବାକୁ ମିଳୁ ନଥାଏ। ବାସି ପଖାଳ ମୁଠାଏ ମିଳିବା କଷ୍ଟକର। ନିଅଣ୍ଟିଆ ମାଣ୍ଡିଆ ଯାଉ ବେଲାରେ ବଞ୍ଚିବାକୁ ପଡ଼ୁଥିଲା। ଅଭାବ, ଅନଟନ, ଅନାହାରର ସେ ଦିନ ସବୁ ମନେ ପଡ଼ିଲେ ଦେହ ଶୀତେଇ ଉଠୁଛି। ସେଇ ଦୁର୍ଦ୍ଦଶା ମୋ ଜୀବନର ମୋଡ଼ ବଦଳାଇଦେଲା। ଖେଳିବା ବୁଲିବା ବୟସରେ ରୋଜଗାର ପାଇଁ ଗାଁ ମାଟି ଛାଡ଼ିବାକୁ ବାଧ୍ୟ ହେଲି। ଭାଇ ଭଉଣୀ ଚାରି ଜଣ। ମୁଁ ବଡ଼ ପୁଅ।
ସେତେବେଳେ ମୋ ବୟସ ୧୦ କି ୧୨ ହେବ। ପେଟ ପୋଷିବାକୁ ପିଉସାଙ୍କ ସହ ରାଜଧାନୀ ଚାଲି ଆସିଲି। ଚାକିରି କରିବି ଭାବିଥିଲି। ହେଲେ ଗାଁ ସ୍କୁଲ୍ ମାଡ଼ି ନଥିବା ମୋ ଭଳି ଅପାଠୁଆକୁ କିଏ ବା ଚାକିରି ଦେବ? ସେତେବେଳେ ଭୁବନେଶ୍ବର କହିଲେ ହାତଗଣତି କେତେଗୁଡ଼ିଏ କୋଠା। ମୋତ ଗୋଟେ କୋଠା ନିକଟରେ ପେଟ ପୋଷିବାକୁ ଛୋଟ ଜାଗାଟିଏ ମିଳିଲା। ତାହା ଥିଲା ସଚିବାଳୟ। ସକାଳୁ ମୁଁ ସେଠାକୁ ଚାଲିଆସେ। ଦୋକାନରୁ ବାଦାମ କିଣି ସଚିବାଳୟ କଡ଼ରେ ବିକ୍ରି କରେ। କିଛି ଦିନ ସେଠି ବାଦାମ ବେପାର କରିବା ପରେ ପାନ ଭାଙ୍ଗିବା ଆରମ୍ଭ କଲି। କିନ୍ତୁ ସମୟକ୍ରମେ ସେଠି ବେପାର କରିବା ସମ୍ଭବ ହେଲା ନାହିଁ। ୯୦ ମସିହା ବେଳେକୁ ଝାଲ୍ମୁଢ଼ି ବେପାର କଲି। ସେବେଠାରୁ ଦୀର୍ଘ ୩୨ ବର୍ଷ ଧରି ଏଇଠି ଝାଲ୍ମୁଢ଼ି ବେପାର କରୁଛି। ରାଜଧାନୀ ପାଲଟି ଯାଇଛି ମୋ ପାଇଁ ଭାତହାଣ୍ଡି। ଏଇ ରବୀନ୍ଦ୍ରମଣ୍ଡପ ଓ ନାଟୁଆଙ୍କ ସହ ମୋର ଯେମିତି କେଉଁ ଯୁଗର ସମ୍ପର୍କ। ନାଟୁଆଙ୍କ ଦେଖିଲେ ପେଟ ପୂରିଯାଏ। ରବୀନ୍ଦ୍ର ମଣ୍ଡପ ମାଟିରେ ପାଦ ଥୋଇଦେଲେ ମନ ଆନନ୍ଦରେ ଭରି ଉଠେ। ସେତେବେଳେ ୨୫ ପଇସାରେ ଗୋଟେ ଠୁଙ୍ଗା ଝାଲ୍ମୁଢ଼ି ବିକୁଥିଲି। ଏବେ ଦଶ ଟଙ୍କାରେ ଦେଉଛି। ଗାଁରେ ମୋର ସ୍ତ୍ରୀ ଓ ଚାରି ଜଣ ଝିଅ। ଝିଅମାନେ ପାଠ ପଢ଼ୁଛନ୍ତି। ତାଙ୍କୁ ମଣିଷ କରିବାକୁ ଖରା, ବର୍ଷା, ଶୀତ, କାକର ସହି ଏଠି ବେପାର କରୁଛି। ପୂର୍ବରୁ ଦିନକୁ ନଅ ଶହରୁ ହଜାରେ ଟଙ୍କାର ବେପାର ହେଉଥିଲା। ହେଲେ କରୋନା ଆସିବା ପରେ ରବୀନ୍ଦ୍ର ମଣ୍ଡପରେ ନାଟକ ବନ୍ଦ ହୋଇଗଲା। ଯେଉଁ ରାଜଧାନୀ ମୋ ଭାତହାଣ୍ଡି ଥିଲା, ସେଠି ଖାଇବାକୁ ମିଳିଲାନି। ବାଧ୍ୟ ହୋଇ ଗାଁକୁ ଚାଲିଗଲି। ହେଲେ ମନେ ମନେ ମୋ ପ୍ରିୟ ଜାଗାକୁ ଝୁରୁଥିଲି। ଏବେ ଗାଁରୁ ଫେରିଛି। ହେଲେ ଆଗଭଳି ଆଉ ବେପାର ନାହିଁ। ଆଜ୍ଞା ଦଇବ ଦଉଡ଼ି ମଣିଷ ଗାଈ…. ଯେଣିକି ଟାଣଇ ସେଣିକି ଯାଇ। ମୁଁ ତ ମୋ କର୍ମ କରୁଛି। ସବୁ ସେଇ କାଳିଆ ସାଆନ୍ତ ଉପରେ ଛାଡ଼ି ଦେଇଛି। ସେ ରଖିଲେ ରଖିବ ମାରିଲେ ମାରିବ।