ରାଇଜିଂ ଷ୍ଟୁଡେଣ୍ଟସ୍‌ ବିଜେତା

ଭାରତୀୟ ମହିଳା ଫୁଟ୍‌ବଲ୍‌ ଲିଗ୍‌ 

କଟକ: ପେନାଲ୍‌ଟି କିକ୍‌ରେ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ୍‌ସ ଦଳ ଭାରତୀୟ ମହିଳା ଫୁଟ୍‌ବଲ୍‌ ଲିଗ୍‌ ଦ୍ୱିତୀୟ ସଂସ୍କରଣର ବିଜେତା ହୋଇଛି। ସିଲଂର ଜବାହରଲାଲ୍‌ ନେହେରୁ ଷ୍ଟାଡିୟମରେ ଶନିବାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ ମ୍ୟାଚ୍‌ରେ ଗତବର୍ଷର ବିଜେତା ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍‌କୁ ୫-୪ ପେନାଲ୍‌ଟି କିକ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍‌ସ ପରାସ୍ତ କରିଥିଲା। ମ୍ୟାଚ୍‌ର ନିର୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଅତିରିକ୍ତ ସମୟରେ ଆଉ ଗୋଲ୍‌ ନହେବାରୁ ପୋନାଲ୍‌ଟି କିକ୍‌ କରାଯାଇଥିଲା। ଏଥିରେ ରାଇଜିଂ ଷ୍ଟୁଡେଣ୍ଟ୍‌ସ ୬-୫ (୧-୧) ଗୋଲ୍‌ରେ ବିଜୟୀ ହୋଇଥିଲା। ପ୍ରଥମାର୍ଧର ୧୩ ମିନିଟ୍‌ରେ ଆସେମ ରୋଜା ଦେବୀ ପ୍ରଥମ ଗୋଲ୍‌ ଦେଇ ଇଷ୍ଟର୍ଣ୍ଣ ସ୍ପୋର୍ଟିଂକୁ ଅଗ୍ରଣୀ ରଖିଥିଲେ। ଏହାପରେ ଉଭୟ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଦ୍ୱିତୀୟାର୍ଧର ୭୧ ମିନିଟ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍‌ର ସଂଜୁ  ଗୋଟିଏ ଗୋଲ୍‌ ଦେଇ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ନିର୍ଧାରିତ ସମୟରେ ଫଳାଫଳ ନବାହାରିବାରୁ ଅତିରିକ୍ତ ସମୟ ଖେଳାଯାଇଥିଲା। ହେଲେ ସେଥିରେ ମଧ୍ୟ ଉଭୟ ଦଳ ଗୋଲ୍‌ ଦେବାରେ ବିଫଳ ହୋଇଥିଲେ। ଫଳରେ ପେନାଲ୍‌ଟି କିକ୍‌ର ସହାୟତା ନିଆଯାଇଥିଲା। ଏଥିରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୫ଟି ଗୋଲ୍‌ରୁ ଫଳାଫଳ ନମିଳିବାରୁ ଦ୍ୱିତୀୟ ପର୍ଯ୍ୟାୟ ୩ଟି ଗୋଲ୍‌ରେ ରାଇଜିଂ ଜିତି ଯାଇଥିଲା। ମୋଟ ୮ ସୁଯୋଗରୁ ରାଇଜିଂ ସର୍ବାଧିକ ୫ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ବିଜେତା ରାଇଜିଂ ଷ୍ଟୁଡେଣ୍ଟ୍‌ସକୁ ୧୦ ଲକ୍ଷ ଓ ଇଷ୍ଟର୍ଣ୍ଣ ସ୍ପୋର୍ଟିଂକୁ ୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ସର୍ବାଧିକ ୧୨ ଗୋଲ୍‌ ଦେଇଥିବା ବାଲା ଦେବୀଙ୍କୁ ୧ ଲକ୍ଷ, ଶ୍ରେଷ୍ଠ ଗୋଲ୍‌ ରକ୍ଷକ ଭାବେ ପାନ୍ଥୋଇ ଚାନୁ, ଉଦୀୟମାନ ଖେଳାଳି ଭାବେ ପରମେଶ୍ୱରୀ ଦେବୀଙ୍କୁ ୧.୨୫ ଲକ୍ଷ ଲେଖାଏଁ, ଡଙ୍ଗମେଇ ଗ୍ରେସ୍‌ଙ୍କୁ ୭୫ ହଜାର ଟଙ୍କା ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର