କଟକ : ରାଜ୍ୟରେ ଚିଟ୍ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ପଞ୍ଚମ ପର୍ଯ୍ୟାୟରେ ଆସ୍ଥା ଇଣ୍ଟରନ୍ୟାସନାଲ ସମେତ ୨୦ଟି ଅର୍ଥଲଗାଣକାରୀ ସଂସ୍ଥାର ୫ ହଜାର କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରିଛନ୍ତି। ୨୦୧୮, ଫେବ୍ରୁଆରି ୫ରେ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଥିବା ଆସ୍ଥା ଗ୍ରୁପ୍ର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଶେଖର ଲେଙ୍କା, ସିଏମ୍ଡି ସନ୍ତୋଷ କିଶନ ସପ୍କଲେ ଓ ଏମ୍ଡି ଚନ୍ଦ୍ରସିଂ ଶିବାଜୀଭାଇ ଚୌହାଣଙ୍କୁ ୨ ହଜାର ୯୬୫ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ୨୦୧୮, ମାର୍ଚ୍ଚ ୧୭ରେ ପକ୍ଷ ରଖିବାକୁ କମିସନ୍ ନୋଟିସ୍ ଜାରି କରିଥିଲେ। ମାର୍ଚ୍ଚ ୨୦ରେ ସନ୍ତୋଷ କିଶନ ସପ୍କଲେ ଓ ଚନ୍ଦ୍ରସିଂ ଶିବାଜୀଭାଇ ଚୌହାଣଙ୍କ ପକ୍ଷରୁ ପୃଥକ ପିଟିସନ୍ କମିସନଙ୍କ ନିକଟରେ ଝାରପଡ଼ା ଜେଲ ଅଧୀକ୍ଷକଙ୍କ ଜରିଆରେ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ସେମାନଙ୍କ ସଂସ୍ଥାର କାର୍ଯ୍ୟାଳୟ, ବ୍ୟାଙ୍କ ଆକାଉଣ୍ଟ ଓ କଂପ୍ୟୁଟର ସର୍ଭର ପୁଲିସ ଜବତ କରିଛି ଏବଂ ସେମାନେ ଏବେ ଜେଲରେ ଅଛନ୍ତି। ଏପରି ପରିସ୍ଥିତିରେ ନୋଟିସ୍ରେ ପ୍ରଦାନ କରାଯାଇଥିବା ଜମାକାରୀଙ୍କ ତାଲିକା ଯାଞ୍ଚ କରିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ କମିସନଙ୍କ ନୋଟିସ୍ ପାଇ ଶ୍ରୀ ଲେଙ୍କା କିମ୍ବା ତାଙ୍କ ପ୍ରତିନିଧି ଶୁଣାଣି ସମୟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ କମିସନ୍ ଆସ୍ଥାର ୨ ହଜାର ୯୬୫ ଜଣ କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରିଛନ୍ତି। ସେହିଭଳି ଆଇ କୋର୍ ଇ ସର୍ଭିସେସ୍ ଲିମିଟେଡ୍ର ୧ ହଜାର ୭୫ ଜଣ ଓ ଫ୍ୟୁଚର ସିକ୍ୟୋର୍ ଏଗ୍ରୋ ସଂସ୍ଥାର ୭୮୩ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍ ଚିହ୍ନଟ କରିଛନ୍ତି। ଅନ୍ୟ ୧୭ଟି ସଂସ୍ଥାର ମଧ୍ୟ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍ ଚିହ୍ନଟ କରିଛନ୍ତି। ପଞ୍ଚମ ପର୍ଯ୍ୟାୟର ସତ୍ୟପାଠ ଯାଞ୍ଚ କରି କମିସନ୍ ଏହି ସବୁ ସଂସ୍ଥାକୁ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାରମ୍ବାର ନୋଟିସ୍ ସତ୍ୱେ ଏହି ସବୁ ସଂସ୍ଥାର ପଦାଧିକାରୀ କିମ୍ବା ସେମାନଙ୍କ ପ୍ରତିନିଧି କମିସନଙ୍କ ନିକଟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଦାଖଲ ସତ୍ୟପାଠ ଆଧାରରେ କମିସନ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏହି ୨୦ଟି ସଂସ୍ଥା ମଧ୍ୟରେ ରାଜ୍ୟ ବାହାରର କେତେକ ସଂସ୍ଥା ମଧ୍ୟ ରହିଥିବା ଜଣା ପଡିଛି। ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ କମିସନ୍ ନୋଟିସ୍ ଜାରି କରିଛନ୍ତି।