ଅଶ୍ବିନ୍‌-ଜାଦେଜା ପ୍ରଥମ ପସନ୍ଦ ଟେ‌ଷ୍ଟ୍‌ ସ୍ପିନର: କୋହଲି

କୋହଲିଙ୍କ ଅଧିନାୟକ ଅର୍ଧଶତକ

ପୁନେ : ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ରବୀନ୍ଦ୍ର ଜାଦେଜା ଟେ‌ଷ୍ଟ୍‌ କ୍ରିକେଟ୍‌ରେ ପ୍ରଥମ ପସନ୍ଦ ସ୍ପିନର। ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଥିବା ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ବୁଧବାର ଏକଥା କହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ନାଲି ବଲ୍‌ରେ ଉଭୟ ଅଶ୍ବିନ୍‌ ଓ ଜାଦେଜା କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ଆମକୁ ଉପଯୋଗୀ ରନ୍‌ ଦେଇପାରୁଥିବାରୁ ସେମାନେ ଦଳ ପାଇଁ ପ୍ରଥମ ପସନ୍ଦର ଟେଷ୍ଟ୍‌ ସ୍ପିନର। ସେହି ଦୁଇ ଜଣଙ୍କ ପାଇଁ ଦଳରେ ସନ୍ତୁଳନ ରକ୍ଷା ହୋଇପାରିଛି ବୋଲି କହିଛନ୍ତି କୋହଲି। ଅଶ୍ବିନ୍‌ ଓ ଜାଦେଜାଙ୍କ ବ୍ୟତୀତ ପ୍ରଥମ ଥର ପାଇଁ ପାଳି ଆରମ୍ଭ କରିବାର ସୁଯୋଗକୁ ସଦ୍‌ବ୍ୟବହାର କରିଥିବାରୁ ରୋହିତ ଶର୍ମାଙ୍କୁ ମଧ୍ୟ କୋହଲି ପ୍ରଶଂସାରେ ପୋତି ପକାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ପଦାର୍ପଣ କରିଥିବା ରୋହିତ ପ୍ରଥମ ପାଳିରେ ୧୭୬ ଓ ଦ୍ବିତୀୟ ପାଳି‌ରେ ୧୨୭ ରନ୍‌ କରି ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଉଭୟ ପାଳିରେ ତାଙ୍କ ପ୍ରଦର୍ଶନ ଦେଖିଲା ଭଳି ଥିଲା। ତାଙ୍କ ବ୍ୟାଟିଂ କମାଲ ଦଳ ପାଇଁ ବଡ଼ ବୋନସ୍‌ ସଦୃଶ ଥିଲା ବୋଲି କୋହଲି କହିଛନ୍ତି।

କୋହଲିଙ୍କ ଅଧିନାୟକ ଅର୍ଧଶତକ

ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲି ପୁନେ ଟେଷ୍ଟ୍‌ରେ ଆଉ ଏକ ଅନନ୍ୟ କୀର୍ତ୍ତିମାନର ଅଧିକାରୀ ହେବେ। ଗୁରୁବାରର ଟସ୍ ପରେ ୫୦ ଟେଷ୍ଟ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇବାରେ ସେ ଦ୍ବିତୀୟ ଭାରତୀୟ ହେବେ। ସଂପ୍ରତି ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ସମାନ ୪୯ ଟେଷ୍ଟ୍‌ରେ ଭାରତର ନେତୃତ୍ବ ନେଇଛନ୍ତି। କୋହଲି ପୁନେରେ କିନ୍ତୁ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବ୍‌ରେ ଯୋଗଦେବେ। ୫୦ କିମ୍ବା ତା’ଠାରୁ ଅଧିକ ଟେଷ୍ଟ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇବାରେ ଧୋନିଙ୍କ ପରେ ଦ୍ବିତୀୟ ଭାରତୀୟ ତାରକା ହେବେ। ଧୋନି ୨୦୦୮ରୁ ୨୦୧୪ ମଧ୍ୟରେ ୬୦ ଟେଷ୍ଟ୍‌ରେ ଭାରତର ନେତୃତ୍ବ ନେଇଥିଲେ। କୋହଲି ମୋଟ ଉପରେ ୮୦ ଟେଷ୍ଟ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ସେଥିମଧ୍ୟରେ ସେ ୨୫ ଶତକ, ୬ ଦ୍ବିଶତକ ଏବଂ ୨୨ ଅର୍ଧଶତକ ସହ ୬୮୦୦ ରନ୍ କରିଛନ୍ତି। ସେ ମଧ୍ୟ ୨୩୯ ଦିନିକିଆରୁ ୪୩ ଶତକ ଏବଂ ୫୪ ଅର୍ଧଶତକ ବଳରେ ୧୧୫୨୦ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର