‌ବିଶାଖାପାଟଣା ଟେଷ୍ଟ୍‌ରେ ରୋହିତ ଶର୍ମାଙ୍କ ରେକର୍ଡ

ବିଶାଖାପାଟଣା : ବିଶାଖାପାଟଣା ଟେଷ୍ଟ୍‌ରେ ଏକାଧିକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୭୬ ରନ୍ କରିଥିବା ରୋହିତ ଦ୍ବିତୀୟ ଇନିଂସରେ ୧୨୭ ରନ୍‌ କରିଛନ୍ତି। ଏଭଳି କରି ୩୨ ବର୍ଷୀୟ ରୋହିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଖେଳିଥିବା ପ୍ରଥମ ଟେଷ୍ଟ୍‌ର ଉଭୟ ଇନିଂସରେ ଶତକ ଅର୍ଜନ କରିବାରେ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି। କୌଣସି ଟେଷ୍ଟ୍‌ର ଦୁଇଟି ଇନିଂସରେ ଶତକ ଅର୍ଜନ କରିବାରେ କିନ୍ତୁ ସେ ଷଷ୍ଠ ଭାରତୀୟ। ତାଙ୍କ ପୂର୍ବରୁ ବିଜୟ ହଜାରେ, ସୁନୀଲ ଗାଭାସ୍କର (ତିନି ଥର ଲେଖାଏଁ), ରାହୁଲ ଦ୍ରାବିଡ଼ (ଦୁଇ ଥର), ବିନୋଦ କାମ୍ବଲି ଓ ଅଜିଙ୍କ୍ୟ ରାହାଣେ (ଥରେ ଲେଖାଏଁ) କୌଣସି ଟେଷ୍ଟ୍‌ର ଦୁଇଟି ଯାକ ପାଳିରେ ଶତକ ଅର୍ଜନ କରିବାର ଗୌରବ ହାସଲ କରି ସାରିଛନ୍ତି।

ଏହାସହିତ ରୋହିତ ମଧ୍ୟ ଏକ ଟେଷ୍ଟ୍‌ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାରେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମଙ୍କ ୨୩ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଛନ୍ତି। ଆକ୍ରମ ୧୯୯୬ ମସିହାରେ ଜିମ୍ବାୱେ ବିପକ୍ଷ ଟେଷ୍ଟ୍‌ରେ ୧୨ ଛକା ମାରିଥିଲେ। ବିଶାଖାପାଟଣାରେ ୧୩ ଛକା ମାରି ରୋହିତ ତାଙ୍କୁ ଅତିକ୍ରମ କରିଛନ୍ତି। ରୋହିତ ବିଶାଖାପାଟଣା

ଟେଷ୍ଟ୍‌ର ପ୍ରଥମ ଇନିଂସରେ ୬ଟି ଛକା ମାରିଥିଲା ବେଳେ ଦ୍ବିତୀୟରେ ୭ ଛକା ମାରି ଏହି ଅନନ୍ୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଗୋଟିଏ ଟେଷ୍ଟ୍‌ରେ ସର୍ବାଧିକ ଛକା ମାରିବାରେ ରୋହିତ ମଧ୍ୟ ପ୍ରଥମ ଭାରତୀୟ। ଏଥିରେ ସେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ନଭଜ୍ୟୋତ ସିଂହ ସିଦ୍ଧୁଙ୍କୁ ପଛରେ ପକାଇଛନ୍ତି। ରୋହିତଙ୍କ ପୂର୍ବରୁ ସିଦ୍ଧୁ ଗୋଟିଏ ଟେଷ୍ଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ୮ ଛକା ମାରିଥିଲେ। ଏହା ସେ ୧୯୯୪ରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତ ତାଙ୍କଠାରୁ ପାଞ୍ଚଟି ଛକା ଅଧିକ ମାରିଛନ୍ତି। ପ୍ରଥମ ଥର ପାଇଁ ଓପନିଂ କରି ରୋହିତ ମଧ୍ୟ ସର୍ବାଧିକ ୩୦୩ ରନ୍ (ଉଭୟ ପାଳିକୁ ମିଶାଇ) କରିଛନ୍ତି। ଏହି କ୍ଷେତ୍ରରେ ସେ ଶ୍ରୀଲଙ୍କାର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତିଲକରତ୍ନେ ଦିଲସାନଙ୍କୁ ଟପିଛନ୍ତି। ଦିଲସାନ୍ ୨୦୦୯ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଥର ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଖେଳି ୨୧୫ ରନ୍ (୯୨ ଓ ୧୨୩*) କରିଥିଲେ।

ସମ୍ବନ୍ଧିତ ଖବର