ଫିଫା ବିଶ୍ବକପ୍: ଘାନାକୁ ହରାଇଲା ରୋନାଲ୍ଡୋ ସେନା
ଦୋହା : ଚଳିତ ଫିଫା ବିଶ୍ବକପ୍ର ଗୁରୁବାର ତୃତୀୟ ମ୍ୟାଚ୍ରେ ପର୍ତ୍ତୁଗାଲ ଓ ଘାନା ମୁହାଁମୁହିଁ ହୋଇଥିଲେ। ଷ୍ଟାଡିୟମ ୯୭୪ରେ ଖେଳାଯାଇଥିବା ଏହି ମ୍ୟାଚ୍କୁ ୩-୧ ଗୋଲ୍ରେ ଜିତି ନେଇଥିଲା ବିଶ୍ବ ମାନ୍ୟତାର ୯ ନମ୍ବର ପର୍ତ୍ତୁଗାଲ। ଏହି ବିଜୟ ସହ ପର୍ତ୍ତୁଗାଲ ପୂରା ୩ ପଏଣ୍ଟ କରାୟତ୍ତ କରିନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମ୍ୟାଚ୍ ଆରମ୍ଭରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନେତୃତ୍ବାଧୀନ ପର୍ତ୍ତୁଗାଲ ଆଧିପତ୍ୟ ବିସ୍ତାର କରିଥିଲା। ୩୧ତମ ମିନିଟ୍ରେ ରୋନାଲ୍ଡୋ ଘାନାର ଗୋଲ୍ ପୋଷ୍ଟକୁ ବଲ୍ ପଠାଇ ଦେଇଥିଲେ। ହେଲେ ଫାଉଲ ଯୋଗୁ ଗୋଲ୍ଟି ନାକଚ ହୋଇଯିବାରୁ ପର୍ତ୍ତୁଗାଲ ଅଗ୍ରଣୀ ନେଇପାରିନଥିଲା। ଏଥିସହ ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ୫ ଗୋଲ୍ ଦେଖିବାକୁ ମିଳିଥିଲା। ୬୩ତମ ମିନିଟ୍ରେ ରୋନାଲ୍ଡୋଙ୍କୁ ଘାନା ଖେଳାଳି ପେନାଲ୍ଟି ଏରିଆରେ ଫାଉଲ ମାରିବାରୁ ପର୍ତ୍ତଗାଲ୍କୁ ପେନାଲ୍ଟି ସଟ୍ ମିଳିଥିଲା। ରୋନାଲ୍ଡୋ (୬୫ ମିନିଟ୍) ଏହାକୁ ଗୋଲ୍ରେ ପରିଣତ କରି ପର୍ତ୍ତୁଗାଲ୍କୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହି ଅଗ୍ରଣୀ ବେଶୀ ସମୟ ରହିନଥିଲା। ଘାନାର ମହମ୍ମଦ କୁଦୁସଙ୍କ ପାସ୍କୁ ଆନ୍ଦ୍ରେ ଆୟେ ଗୋଲ୍ ଦେଇ ସ୍ଥିତି ସମାନ କରିଥିଲେ। ଏହାର ୫ ମିନିଟ୍ରେ ପରେ ବ୍ରୁନୋ ଫର୍ଣ୍ଣାଣ୍ଡିଜ୍ଙ୍କ ପାସ୍କୁ ଜୋଆଓ ଫେଲିକ୍ସ (୭୮ ମିନିଟ୍) ଘାନା ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ପର୍ତ୍ତୁଗାଲକୁ ପୁଣି ଥରେ ଆଗୁଆ କରିଥିଲେ। ଏହାର ୨ ମିନିଟ୍ ପରେ ବଦଳ ଖେଳାଳି ରାଫେଲ ଲିଆଓ (୮୦ ମିନିଟ୍)ଙ୍କ ଗୋଲ୍ ବଳରେ ପର୍ତ୍ତୁଗାଲ୍ ୩-୨ରେ ଆଗ୍ରଣୀ ପାଇଥିଲା। ଏହି ଗୋଲ୍ରେ ଫର୍ଣ୍ଣାଣ୍ଡିଜ୍ଙ୍କ ସହଯୋଗ ରହିଥିଲା। ୮୯ତମ ମିନିଟ୍ରେ ଘାନାର ଓସ୍ମାନ ବୁକାରି ଗୋଲ୍ ଦେଇ ପରାଜୟ ବ୍ୟବଧାନକୁ ୨-୩ କରିଥିଲେ।
୫ଟି ବିଶ୍ବକପ୍ରେ ଗୋଲ୍ ଦେବାରେ ରୋନାଲ୍ଡୋ ପ୍ରଥମ ପୁରୁଷ
ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ଖେଳାଳି ଭାବେ ୫ଟି ଭିନ୍ନ ଭିନ୍ନ ବିଶ୍ବକପ୍ରେ ଗୋଲ୍ କରିବାରେ ପ୍ରଥମ ପୁରୁଷ ଖେଳାଳି ହୋଇଛନ୍ତି। ଗୁରୁବାର ଘାନା ବିପକ୍ଷ ମ୍ୟାଚ୍ର ୬୫ ମିନିଟ୍ରେ ପର୍ତ୍ତୁଗାଲ୍କୁ ମିଳିଥିବା ପେନାଲ୍ଟି ରୋନାଲ୍ଡୋ ଗୋଲ୍ ପରିଣତ କରି ଏହି ଗୌରବ ଅର୍ଜନ କରିଥିଲେ। ଏହା ତାଙ୍କର ପଞ୍ଚମ ବିଶ୍ବକପ୍ରୁ ଅଷ୍ଟମ ଗୋଲ୍ ଥିଲା। ଏଥିରେ ୫ ଫିଲ୍ଡ ଏବଂ ୩ ପେନାଲ୍ଟି ଗୋଲ୍ ରହିଛି। ଏଥିସହ ପୁରୁଷ ଫୁଟ୍ବଲ୍ରେ ସର୍ବାଧିକ ଗୋଲ୍ କୀର୍ତ୍ତିମାନ ରଖିଥିବା ରୋନାଲ୍ଡୋଙ୍କ ଅନ୍ତର୍ଜାତୀୟ ଗୋଲ୍ ସଂଖ୍ୟା ୧୧୮ରେ ପହଞ୍ଚିଛି। ଏହି ଗୋଲ୍ ସହ ରୋନାଲ୍ଡୋ (୩୭ ବର୍ଷ ୨୯୨ ଦିନ) କାମେରୁନର ରୋଜର ମିଲ୍ଲା (୪୨ ବର୍ଷ ୩୯ ଦିନ, ୧୯୯୪ ବିଶ୍ବକପ୍)ଙ୍କ ପରେ ବିଶ୍ବକପ୍ରେ ଗୋଲ୍ ସ୍କୋର୍ କରିବାରେ ଦ୍ବିତୀୟ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ବିଶ୍ବକପ୍ରେ ଗୋଲ୍ କରିବାରେ ୟୁରୋପୀୟ ଦେଶ ସମୂହରେ ସେ ମଧ୍ୟ ସବୁଠୁ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ସେ ସ୍ବିଡେନ୍ର ଗୁନ୍ନାର ଗ୍ରେନ୍ (୩୭ ବର୍ଷ ୨୩୬ ଦିନ, ୧୯୫୮ ବିଶ୍ବକପ୍)ଙ୍କୁ ଟପିଛନ୍ତି।