ସନ୍ୟାସ ନେବ ସଚିନ୍‌ଙ୍କ ୧୦ ନମ୍ବର ଜର୍ସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ଆଉ ଦେଖିବାକୁ ମିଳିବନି ଜର୍ସି ନମ୍ବର ୧୦। କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକର ୨୦୧୨-୧୩ରେ ଅବସର ନେବା ପରେ ସେ ପିନ୍ଧୁଥିବା ଏହି ଜର୍ସି ନମ୍ବର-୧୦ ଏବେ ସନ୍ୟାସ ନେବ। ୧୦ ଲେଖାଥିବା ଜର୍ସି ଆଉ କୌଣସି ଭାରତୀୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପିନ୍ଧିବେନି ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି। ଜର୍ସିକୁ ଅବସର ଦେବାର ଆଇସିସିର କିଛି ନିୟମ ନଥିବାରୁ ବିସିସିଆଇ ବେସରକାରୀ ଭାବେ ଏହି ଘୋଷଣା କରିଛି। ଏଥିସହ ଭାରତରେ ସଚିନ୍‌ଙ୍କୁ କ୍ରିକେଟ୍‌ର ଦେବତା ମାନୁଥିବାରୁ ତାଙ୍କୁ ସମ୍ମାନ ଜଣାଇ କୌଣସି ଖେଳାଳି ମଧ୍ୟ ଏହି ନମ୍ବରର ଜର୍ସି ପିନ୍ଧିବେନି ବୋଲି କହିଛନ୍ତି। ଏହି ଲିଟିଲ୍‌ ମାଷ୍ଟର୍‌ଙ୍କ ଅବସର ପରେ କୌଣସି ଖେଳାଳି ୧୦ ନମ୍ବର ଜର୍ସି ପିନ୍ଧୁ ନଥିଲେ। ହେଲେ ଗତ ଶ୍ରୀଲଙ୍କା ଗସ୍ତବେଳେ ମୁମ୍ବାଇ ଦ୍ରୁତ ବୋଲର ସାର୍ଦୁଲ ଠାକୁର ନିଜର ଜନ୍ମ ତାରିଖ ୨୮ (୨+୮=୧୦) ଅନୁସାରେ ଏହି ନମ୍ବର ଜର୍ସି ପସନ୍ଦ କରିଥିଲେ ଏବଂ ପିନ୍ଧିଥିଲେ। ଫଳରେ ସାମାଜିକ ଗଣମାଧ୍ୟମରେ ସଂଖ୍ୟାଧିକ ପୂର୍ବତନ କ୍ରିକେଟର୍‌ଙ୍କ ସହ ଅଧିକାଂଶ ପ୍ରଶଂସକ ସାର୍ଦୁଲ୍‌ଙ୍କୁ ସମାଲୋଚନା କରିଥିଲେ। ଏହି ବିବାଦ ପରେ ବିସିସିଆଇ ଏପରି ନିଷ୍ପତ୍ତି ନେବାର ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଅଷ୍ଟ୍ରେଲୀୟ ଯୁବ କ୍ରିକେଟର୍‌ ଫିଲ୍‌ ହ୍ୟୁଗ୍‌ଙ୍କୁ ସମ୍ମାନ ଜଣାଇ ୬୪ ନମ୍ବର ଜର୍ସିକୁ କୌଣସି ଅଷ୍ଟ୍ରେଲିଆ ଖେଳାଳି ପିନ୍ଧୁନାହାନ୍ତି। ୨୦୧୪ରେ ଏକ ଘରୋଇ ପ୍ରତିଯୋଗିତା ବେଳେ ହ୍ୟୁଗ୍‌ଙ୍କ ବେକରେ ବଲ୍‌ ବାଜିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହ୍ୟୁଗ୍‌ଙ୍କ ବନ୍ଧୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍‌ କ୍ଲାକ୍‌ ଏହି ୬୪ ନମ୍ବର ଜର୍ସିକୁ କେହି ବ୍ୟବହାର ନକରିବାକୁ ବୋର୍ଡ ନିକଟରେ ଅନୁରୋଧ କରିଥିଲେ। ଏହାପରଠୁ ୬୪ ନମ୍ବର ଜର୍ସିକୁ ସନ୍ୟାସ ମିଳିଯାଇଥିଲା।

ସମ୍ବନ୍ଧିତ ଖବର