ସଚିନ-ୱାର୍ନରଙ୍କ ଯୁଗ୍ମ କୀର୍ତ୍ତିମାନକୁ ଭାଙ୍ଗିଲେ ରୋହିତ

କୋହଲି ଯୋଡ଼ିଲେ ଆଉ ଏକ କୀର୍ତ୍ତିମାନ

ଗୌହାଟୀ,  : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ୧୫୨* ରନ୍‌ର ପାଳି ଖେଳି ରୋହିତ ଶର୍ମା ଏକାଥରକେ ଦୁଇଜଣ ମହାନ କ୍ରିକେଟର୍‌ଙ୍କ କୀର୍ତ୍ତିମାନକୁ ଟପି ଯାଇଛନ୍ତିି। ଦିନିକିଆରେ ଅଧଡଜନେ ଦେଢ଼ ଶହରୁ ଅଧିକ ରନ୍ ପାଳି ଖେଳିବାରେ ସେ ବିଶ୍ବର ପ୍ରଥମ କ୍ରିକେଟର୍‌ ହୋଇଛନ୍ତି। ଏହି କ୍ରମରେ ରୋହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କୁ ଟପି ଯାଇଛନ୍ତି। ଉଭୟ ସଚିନ ଏବଂ ୱାର୍ନର ଦିନିକିଆରେ ପାଞ୍ଚ ଥର ଲେଖାଏଁ ୧୫୦ରୁ ଅଧିକ ରନ୍ ପାଳି ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ , ଶ୍ରୀଲଙ୍କାର ସନଥ ଜୟସୂରିୟା ଓ ଦକ୍ଷିଣ ଆଫ୍ରିକାର ହାସିମ ଆମଲା ଚାରିଟି ଲେଖାଏଁ ୧୫୦+ ପାଳି ଖେଳିଛନ୍ତି।

ମୁମ୍ବାଇ,  : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ଆଉ ଏକ କୀର୍ତ୍ତିମାନ ଯୋଡ଼ିଛନ୍ତି। ୩୬ତମ ଶତକ ଅର୍ଜନ କରିବା ସହ କୋହଲି ଦ୍ରୁତତମ ୧୦,୦୦୦ ରନ୍‌ ଠାରୁ ଏବେ ମାତ୍ର ୮୧ ରନ୍ ଦୂରରେ ରହିଛନ୍ତି। ୨୦୧୮ରେ ବ୍ୟକ୍ତିଗତ ରନ୍ ସଂଗ୍ରହରେ ସେ ସଂପ୍ରତି ଚତୁର୍ଥ ସ୍ଥାନରେ ରହିଛନ୍ତି। କୋହଲି ୧୦ ଦିନିକିଆରୁ ୮୮୯ ରନ୍ କରିଥିଲା ବେଳେ ଇଂଲଣ୍ଡର ଜନି ବେୟାରଷ୍ଟୋ, ଜୋ ରୁଟ୍ ଓ ଜାସନ ରାଏ ପ୍ରଥମ ତିନି ସ୍ଥାନରେ ରହିଛନ୍ତି। ତେବେ ଏହି ତିନି ଜଣଙ୍କ ରନ୍ ସଂଗ୍ରହ ହାରଠାରୁ କୋହଲି ଯଥେଷ୍ଟ ଉପରେ ରହିଛନ୍ତି। କୋହଲି ଚଳିତ ବର୍ଷ ୧୨୭ ହାରରେ ରନ୍ କରିଛନ୍ତି। ଅନ୍ୟପକ୍ଷରେ ବେୟାରଷ୍ଟୋ (୨୨ ମ୍ୟାଚ୍, ୧୦୨୫ ରନ୍)ଙ୍କ ହାର ହେଉଛି ୪୬.୫୯, ରୁଟ (୨୩ ମ୍ୟାଚ୍, ୯୩୬ ରନ୍)ଙ୍କ ହାର ହେଲା ୪୬.୫୯ ଓ ଜାସନ (୨୧ ଦିନିକିଆ, ୮୯୦ ରନ୍)ଙ୍କ ହାର ମାତ୍ର ୪୨.୩୮।

ସମ୍ବନ୍ଧିତ ଖବର