ଓଜନ କମାଇବାର ରହସ୍ୟ ଖୋଲିଲେ ସାନିଆ

ହାଇଦ୍ରାବାଦ: ପାକିସ୍ତାନୀ କ୍ରିକେଟର୍‌ ସୋଏବ୍‌ ମଲ୍ଲିକଙ୍କୁ ୨୦୧୦ ଏପ୍ରିଲରେ ବିବାହ ପରେ ୨୦୧୮ ଏପ୍ରିଲରେ ପୁତ୍ର ସନ୍ତାନ (ଇଜ୍‌ହାନ୍‌ ମିର୍ଜା ମଲ୍ଲିକ)କୁ ଜନ୍ମ ଦେଇଥିଲେ ଭାରତୀୟ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା। ମାତୃତ୍ବ ଲାଭ କରିବାର ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ସେ ଟେନିସ୍‌ କୋର୍ଟକୁ ଓହ୍ଲାଇନଥିଲେ। ଏହାପରେ ଚଳିତ ବର୍ଷ ସେ ପେସାଦାର ଟେନିସ୍‌କୁ ପ୍ରତ୍ୟାବର୍ତନ କରିଥିଲେ। ହେଲେ ଏହି ଦୁଇ ବର୍ଷର ବିରତି ମଧ୍ୟରେ ତାଙ୍କ ଶାରୀରିକ ଓଜନ ବଢ଼ିଯାଇଥିଲା। ଯାହାକି ତାଙ୍କ ଓଜନ ୮୯ କେଜି ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। କିନ୍ତୁ ସେ ଏହି ଓଜନକୁ କମାଇପାରିଛନ୍ତି। ଏବେ ତାଙ୍କ ଓଜନ ୮୯ କେଜିରୁ ହ୍ରାସ ପାଇ ୬୩ କେଜି ହୋଇଛି। ତେବେ ୨୬ କେଜି ଓଜନ ହ୍ରାସ କିପରି କରିପାରିଲେ ତା’ର ରହସ୍ୟ ଖୋଲିଛନ୍ତି ୩୩ ବର୍ଷିୟା ସୁନ୍ଦରୀ ସାନିଆ। ଏପରିକି ଉଭୟ ଓଜନବିଶିଷ୍ଟ ଶରୀରର ଭିଡିଓ ଓ ଫଟୋଚିତ୍ର ସେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।

ପୁଅକୁ ଜନ୍ମ ଦେବା ପରେ ମୋର ଓଜନ ବଢ଼ି ଯାଇଥିଲା। ଏହା ଅଧିକାଂଶ ମା’ଙ୍କ କ୍ଷେତ୍ରରେ ଘଟିଥାଏ। ଏନେଇ ଚିନ୍ତା ବି ବଢ଼ିଥିଲା। ହେଲେ ଜିମ୍‌ରେ ନିଜକୁ ଝାଳବୁହା ବ୍ୟାୟାମ କରାଇଥିଲି। ୪ ମାସ ଧରି କଠୋର ବ୍ୟାୟାମ କରିବା ପରେ ଫଳ ପାଇଥିଲି। ଟେନିସ୍‌ କୋର୍ଟକୁ ଫେରିବା ପୂର୍ବରୁ ଫିଟ୍‌ନେସ୍‌ ପାଇଁ ଏଭଳି କରିବାକୁ ବାଧ୍ୟ ହୋଇଥିଲି। ଏବଂ ସୁଫଳ ମଧ୍ୟ ପାଇଲି। ତେଣୁ ମୁଁ ଯଦି ଓଜନ ଏତେ ପରିମାଣରେ କମାଇପାରିଲି, ତାହାଲେ ଅନ୍ୟ ଯେକେହି ବି ଚାହିଁଲେ ଏଭଳି କରିପାରିବେ ବୋଲି ସାନିଆ ପରାମର୍ଶ ଦେଇଛନ୍ତି। କୋର୍ଟକୁ ପ୍ରତ୍ୟାବର୍ତନ ପରେ ନିକଟରେ ସାନିଆ ମଧ୍ୟ ୪୨ତମ ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର