ସଞ୍ଜୟ ବେହେରା ଓସିଏ ସଂପାଦକ ନିର୍ବାଚିତ

କଟକ: ସଞ୍ଜୟ ବେହେରା ଓଡିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଂଜୟ ବେହେରା ୪୫ ଖଣ୍ଡ ଭୋଟ ପାଇଛନ୍ତି। ସେ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ନବରଂଜନ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ଅର୍ଥତତ୍ତ୍ୱ ଚିଟଫଣ୍ଡ (ଏଟି) ଠକେଇ ମାମଲାରେ ଗିରଫ ଆଶୀର୍ବାଦ ବେହେରାଙ୍କ ପୁଅ ହେଉଛନ୍ତି ସଞ୍ଜୟ ବେହେରା।

ନିର୍ବାଚନରେ ସମ୍ପାଦକ ଭାବେ ବିଜୟୀ ହେବା ପରେ ସଞ୍ଜୟ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ହେଉଛି ଧର୍ମର ବିଜୟ। ଯେଉଁମାନେ ନିଜର ବହୁ ମୂଲ୍ୟର ଭୋଟ ଦେଇ ମୋତେ ବିଜୟୀ କରାଇଛନ୍ତି, ସେମାନଙ୍କ ପାଖରେ ମୁଁ ଋଣୀ । ସଞ୍ଜୟ କହିଛନ୍ତି, ହୀନ ଚକ୍ରାନ୍ତ କରୁଥିବା ଲୋକଙ୍କୁ ଉଚିତ ଜବାବ ମିଳିଛି। ବାପାଙ୍କ ଆଶୀର୍ବାଦରୁ ମୁଁ ନିର୍ବାଚନରେ ବିଜୟୀ ହୋଇଛି। ତେଣୁ ବାପାଙ୍କ ଆଶାକୁ ନିଶ୍ଚିତ ଭାବେ ପୂରଣ କରିବି।

ଓସିଏ ଯୁଗ୍ମ ସଂପାଦକ ଭାବେ ମେହେତାବ୍‌ ଖାନ୍‌ ନିର୍ବାଚିତ ହୋଇଛନ୍ତି। ମେହେତାବ୍‌ ଖାନ ନିର୍ବାଚନରେ ସୁଜିତ୍‌ କୁମାର ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ଅନୀଲ କୁମାର ବିଶ୍ୱାଳଙ୍କ ବିପକ୍ଷରେ ବିକାଶ ପ୍ରଧାନ ନିର୍ବାଚିତ ହୋଇ କୋଷାଧ୍ୟକ୍ଷ ହୋଇଛନ୍ତି।

ସମ୍ବନ୍ଧିତ ଖବର