ରୋହିତ ନ ଖେଳିଲେ ଟିଭି ଦେଖିବିନି: ସେହୱାଗ

ନୂଆଦିଲ୍ଲୀ: ଇଅନ୍ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଶୁକ୍ରବାର ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳକୁ ୮ ୱିକେଟରେ ପରାସ୍ତ କରିଥିଲା । ଟେଷ୍ଟ ସିରିଜରେ ୩-୧ରେ ଜିତିଥିବା ଟିମ୍ ଇଣ୍ଡିଆର ଶ୍ରେୟାସ ଆୟରଙ୍କ ବ୍ୟତୀତ କୌଣସି ଭାରତୀୟ ଖେଳାଳି ଏହି ମ୍ୟାଚରେ ସେତେଟା ପ୍ରଭାବ ପକାଇ ପାରିନଥିଲେ । ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ସୁଯୋଗ ଦେଇଥିଲେ। ତେବେ ମ୍ୟାଚ୍ ପୂର୍ବରୁ ସେ କହିଥିଲେ ଯେ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ଓପନର୍ ଭାବରେ ଖେଳିବେ ଏବଂ ଧାୱନ ତୃତୀୟ ଓପନର୍ ହେବେ।

କିନ୍ତୁ ପ୍ରଥମ ଟି -୨୦ ମ୍ୟାଚରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା ଏବଂ ଧାୱନ ଖେଳିଥିଲେ। ଆଉ ଏହାକୁ ନେଇ ଭାରତର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହୱାଗ କ୍ୟାପଟେନ କୋହଲିଙ୍କ ଏହି ନିଷ୍ପତ୍ତିକୁ ନେଇ ଖୁସି ନାହାଁନ୍ତି । ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ପରେ ବୀରେନ୍ଦ୍ର ସେହୱାଗ କହିଛନ୍ତି ଯେ, ‘ବିରାଟ କୋହଲି କହୁଛନ୍ତି ଯେ ରୋହିତ ଶର୍ମା ପ୍ରଥମ କିଛି ମ୍ୟାଚ୍ ଖେଳିବେ ନାହିଁ। କିନ୍ତୁ ଯଦି ଭାରତ ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ୍ ହାରିବ ତେବେ ଏହି ରଣନୀତି ଜାରି ରହିବ କି? ପରାଜୟ ଦଳ ଉପରେ ଏକ ବଡ଼ ପ୍ରଭାବ ସୃଷ୍ଟି କରେ | ଯଦି ମୁଁ ଅଧିନାୟକ ଥାଆନ୍ତି, ମୁଁ ମୋର ଶ୍ରେଷ୍ଠ ୧୧ଙ୍କୁ ଖେଳିବାକୁ ଦେଇଥା’ନ୍ତି | ଜନସାଧାରଣ ମଧ୍ୟ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କୁ ଦେଖିବାକୁ ଆସନ୍ତି | ମୁଁ ମଧ୍ୟ ରୋହିତ ଶର୍ମାଙ୍କର ଜଣେ ପ୍ରଶଂସକ, ଯଦି ସେ ଖେଳନ୍ତି ନାହିଁ, ତେବେ ମୋର ଟିଭି ବନ୍ଦ ରହିବ | ମ୍ୟାଚ୍ ଦେଖିବାକୁ ମନ ହେବ ନାହିଁ ‘|

ସୂଚନା ଥାଉ କି ଶୁକ୍ରବାର ଟସ୍‌ ପଡିବା ବେଳେ ଘୋଷିତ ଭାରତୀୟ ଏକାଦଶକୁ ନେଇ ପ୍ରଶଂସକମାନେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଖୁବ୍ ବର୍ଷିଥିଲେ। ବିଶେଷ କରି ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ କିଷନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିବାରୁ ସେମାନେ ସାମାଜିକ ଗଣମାଧ୍ୟମରେ କୋହଲିଙ୍କୁ କଟୁ ସମାଲୋଚନା କରିଥିଲେ । ସୂଚନାଯୋଗ୍ୟ, ପ୍ରଥମ ଟ୍ବେଣ୍ଟି-୨୦ ‌‌ଗୋଟିଏ ଦିନ ପୂର୍ବରୁ କୋହଲି କହିଥିଲେ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ। ଶୁକ୍ରବାର ଟସ୍ ପଡ଼ିବାବେଳେ କିନ୍ତୁ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି ବୋଲି କହିଥିଲେ। କେଏଲ୍‌ ରାହୁଲଙ୍କ ସହ ଶିଖର ଧାୱନ ପାଳି ଆରମ୍ଭ କରିଥିଲେ ମଧ୍ୟ ଉଭୟ ବିଫଳ ହୋଇଥିଲେ। କୋହଲି ବ୍ୟକ୍ତିଗତ ଭାବେ ମଧ୍ୟ ଟସ୍ ହାରିବା ସହ ଶୂନରେ ଆଉଟ୍ ହୋଇଥିଲେ।

ସମ୍ବନ୍ଧିତ ଖବର