ସ୍ମିଥ୍‌ ଟେଷ୍ଟ୍‌ରେ ଶ୍ରେଷ୍ଠ, କୋହଲି ସବୁ ଫର୍ମାଟରେ: ସେନ୍ ୱର୍ନ

ମାଞ୍ଚେଷ୍ଟର: ଚଳିତ ଆସେସ୍ ଶୃଙ୍ଖଳାରେ ୧୪୭.୨୫ ହାରରେ ମୋଟ ୫୮୯ ରନ୍ ସଂଗ୍ରହ କରି ସାରିଥିବା ଷ୍ଟିଭେନ୍ ସ୍ମିଥ୍‌ ଟେଷ୍ଟ୍ କ୍ରିକେଟ୍‌କୁ ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି। ବଲ୍‌କୁ ବାଲି କାଗଜରେ ଘସିବା ବିବାଦରେ ଫସି ସ୍ମିଥ୍ ୧୨ ମାସ ନିଲମ୍ବିତ‌ ହେବା ପରେ କେବଳ ଭଲ ବ୍ୟାଟିଂ କରୁନାହାନ୍ତି, ବିରାଟ କୋହଲିଙ୍କଠାରୁ ୧ ନମ୍ବର ମାନ୍ୟତା ମଧ୍ୟ ଛଡ଼ାଇ ନେଇଛନ୍ତି। କୋହଲି-ସ୍ମିଥ୍‌ଙ୍କ ମଧ୍ୟରେ ଚାଲିଥିବା ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ବିତର୍କ କିନ୍ତୁ ଥମିବାର ନାଁ ଧରୁନାହିଁ। ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସେନ୍ ୱର୍ନଙ୍କ ମତରେ କେବଳ ଟେଷ୍ଟ୍ କ୍ରିକେଟ୍‌ ଦେଖିଲେ କୋହଲିଙ୍କଠାରୁ ସ୍ମିଥ୍ ନିଶ୍ଚିତ ସାମାନ୍ୟ ଆଗରେ ରହିବେ। କିନ୍ତୁ ସବୁ ଫର୍ମାଟରେ କୋହଲି ହିଁ ଶ୍ରେଷ୍ଠ। କୋହଲି ନିଶ୍ଚିତ ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକକୁ ଅତିକ୍ରମ କରିଯିବେ। ଟେଷ୍ଟ୍ କ୍ରିକେଟ୍‌ରେ ମୋତେ ଯଦି ଜଣେ ବ୍ୟାଟସମ୍ୟାନ୍‌କୁ ବାଛିବାକୁ କୁହାଯିବ ତେବେ ମୁଁ ସ୍ମିଥଙ୍କ ନାମ ନେବି। ତାଙ୍କ ବିନା ନିଶ୍ଚିତ କୋହଲି ଶ୍ରେଷ୍ଠ ଏବଂ ‌ସେ ଜଣେ କିମ୍ବଦନ୍ତୀ ହୋଇଥିବାରୁ ମୁଁ ଖୁସୀ’ ବୋଲି ୱର୍ନ ପ୍ରକାଶ କରିଛନ୍ତି। ବିରାଟ ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌। ସବୁ ଫର୍ମାଟରେ ମୁଁ ନିଶ୍ଚିତ ତାଙ୍କୁ ବାଛିବି। ଦିନିକିଆରେ ମୁଁ ଭିଭିଆନ୍ ରିଚାର୍ଡସଙ୍କୁ ମହାନ ଭାବେ ଦେଖିଥିଲି। ବର୍ତମାନ ବିରାଟ କୋହଲି ଦିନିକିଆର ମହାନ ଖେଳାଳି। ମୋ ମତରେ ସେ ରିଚାର୍ଡସଙ୍କୁ ବି ପଛରେ ପକାଇ ଦେଇଛନ୍ତି। ୩୦ ବର୍ଷୀୟ କୋହଲି ଅଦ୍ୟାବଧି ୬୮ ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି। ନିଜ ବୁଟ୍‌କୁ ଝୁଲାଇବା ବେଳକୁ ସେ ନିଶ୍ଚିତ ସର୍ବାଧିକ ଶତକ ହାସଲକାରୀ ହୋଇସାରିଥିବେ। ମୋ ମତରେ ସଚିନଙ୍କ କୀର୍ତ୍ତିମାନ ନିଶ୍ଚିତ ବିପଦରେ ରହିଛି ବୋଲି ୭୦୮ ଟେଷ୍ଟ୍ ୱିକେଟ୍ ନେଇଥିବା ଏହି କିମ୍ବଦନ୍ତୀ ସ୍ପିନର୍ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର