ବାରବାଟୀ ଟି-୨୦: ଭାରତ ପାଇଁ ଆଶା ସଂଚାର କଲେ ଭୁବନେଶ୍ବର କୁମାର, ଦକ୍ଷିଣ ଆଫ୍ରିକା ୨୯/୩

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଭୁବନେଶ୍ବର କୁମାର ପ୍ରଶଂସନୀୟ ବୋଲିଂ କରିଛନ୍ତି। କମ ସମୟ ମଧ୍ୟରେ ୩ଟି ୱିକେଟ ନେଇ ଭାରତୀୟ ଦର୍ଶକଙ୍କର ହୃଦୟ ଜିତିଛନ୍ତି। ତାଙ୍କର ପାଖରେ ଥିବା ଅଭିଜ୍ଞତାକୁ ଆଜି ବାରବାଟୀରେ ପ୍ରମାଣିତ କରିଛନ୍ତି। ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଛି। ମାତ୍ର ୨୯ ରନ୍‌ରେ ଅତିଥି ଟିମ୍‌ ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇଛି।

ଭୁବନେଶ୍ବର କୁମାର ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟର ରିଜା ହେଣ୍ଡରିକ୍ସଙ୍କୁ ୪ ରନ୍‌ରେ ଆଉଟ କରିଥିଲେ। ରିଜା ୪ ରନ୍‌ ସଂଗ୍ରହ କରି ଭୁବନେଶ୍ବରଙ୍କ ହାତରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ। ପ୍ରିଟୋରିୟସଙ୍କୁ ଆଉଟ୍‌ କରି ୨ୟ ସଫଳତା ଆଣିଥିଲେ। ଭାନ୍‌ ଡେର ଦୁସାନଙ୍କୁ ‌ଭୁବନେଶ୍ବର କୁମାର ୧ ରନ୍‌ରେ ବୋଲ୍ଡ କରିଥିଲେ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଛି। ବାରବାଟୀରେ ହୋଇଥିବା ଶୃଙ୍ଖଳାର ୨ୟ ମ୍ୟାଚରେ ଅତିଥି ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ତେମ୍ବା ବଭୂମା ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଦକ୍ଷିଣ ଆଫ୍ରିକା ସଫଳ ରଣନୀତି କରି ଆୟୋଜକ ଭାରତକୁ ୧୪୮ ରନ୍‌ରେ ଅଟକାଇ ଦେଇଥିଲା। ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ପୂରା ଟିମ୍‌ ନର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ଏହି ରନ୍‌ କରିଛି। ଦକ୍ଷିଣ ଆଫ୍ରିକାର ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ଭଲ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲେ। ଈଶାନ କିଶନ ଓ ଶ୍ରେୟସ ଆୟରଙ୍କ ବ୍ୟତୀତ ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ସମ୍ବନ୍ଧିତ ଖବର