ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଟି-୨୦ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ୭୪ ରନରେ ୭ ଓ୍ଵିକେଟ ହରାଇଲା

ଆଡିଲେଡ ଓଭାଲ : ଅଷ୍ଟ୍ରେଲିଆର ଆଡିଲେଡ ଓଭାଲଠାରେ ଚାଲିଥିବା ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୨୩୪ ରନ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ୧୫ ଓଭରରେ ୭ ଓ୍ଵିକେଟ ହରାଇ ମାତ୍ର ୭୪ ରନ କରିପାରିଛି । ଶ୍ରୀଲଙ୍କାର ଓପନର କୁଶଲ ମେଣ୍ଡିସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବାବେଳେ ଧନୁଷ୍କା ଗୁଣଶେଖର ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଏମାନଙ୍କ ପରେ ଆସିଥିବା ଭାନୁଷ୍କା ରାଜପକ୍ଷେ ୨ ରନ ଓ ଓସାଡା ଫର୍ଣ୍ଣାଡୋ ୧୩ ରନ କରି ଆଉଟ ହୋଇଥିଲେ ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଶ୍ରୀଲଙ୍କା ଆଗରେ ୨୩୪ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଅଷ୍ଟ୍ରେଲିଆ ଇନିଂସର ମୁଖ୍ୟାଂଶ ଥିଲା ଓପନର ଡେଭିଡ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ । ନିଜର ଜନ୍ମ ଦିନରେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୬ ବଲରେ ଏକ ସ୍ମରଣୀୟ ଶତକ ହାସଲ କରିଥିଲେ । ସେହିପରି ଅନ୍ୟତମ ଓପନର ଆରନ ଫିଞ୍ଚ୍‌ ମାତ୍ର ୩୬ ବଲରେ ୬୪ ଓ ୩ ନମ୍ବର ସ୍ଥାନରେ ଆସିଥିବା ଗ୍ଲେନ ମାକ୍ସେଓ୍ଵଲ ୨୮ ବଲରେ ୬୨ ରନ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା ।

ସମ୍ବନ୍ଧିତ ଖବର