ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫି କ୍ରିକେଟ୍‌:ସ୍କାନ୍‌ ଫାଇନାଲ୍‌ରେ

ରାଜନଗର,: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ର ବଡ଼ପଲ୍ଲୀ ମିନି ଷ୍ଟାଡ଼ିୟମ୍‌ରେ ଚାଲିଥିବା ରାଜ୍ୟସ୍ତରୀୟ ୩୬ତମ ଚଞ୍ଚଳା ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ପୁରୀର ମହାବୀର ସ୍ପୋର୍ଟିଂକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରି ଭୁବନେଶ୍ୱରର ସ୍କାନ୍‌ ସ୍ପୋର୍ଟିଂ ଫାଇନାଲ୍‌ ପ୍ରବେଶ କରିଛି।
ଟସ୍‌ ଜିତି ବ୍ୟାଟିଂ ନେଇଥିବା ମହାବୀର ସ୍ପୋର୍ଟିଂ ୨୯.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା। ଦେବାଶିଷ ଦାସ ୨୨ ଓ ଦିବ୍ୟଜ୍ୟୋତି ରଥ ୬୨ ରନ୍‌ କରିଥିିଲେ। ସ୍କାନ୍‌ ପକ୍ଷରୁ କାହ୍ନା ମହାନ୍ତି ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ସ୍କାନ୍‌ ସ୍ପୋର୍ଟିଂ ୨୧.୫ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୬୬ ରନ୍‌ କରିନେଇଥିଲା। କାହ୍ନା ମହାନ୍ତି ୨୪ ବଲ୍‌ରୁ ୩୪ ଓ ସାର୍ଥକ ପ୍ରଧାନ ୫୨ ବଲ୍‌ରୁ ୭୩ ରନ୍‌ କରିଥିଲେ। ସାର୍ଥକ ପ୍ରଧାନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। କୋଇଲିପୁର ସେବା ସମବାୟ ସମିତି ସଂପାଦକ ଘନଶ୍ୟାମ ଜେନା, ଔପଦା ସରପଞ୍ଚ ସୁବାସଚନ୍ଦ୍ର ଖଟୁଆ, ଯୁଧିଷ୍ଠିର ବଳ, ପଲ୍ଲୀଶ୍ରୀ ଯୁବକ ସଂଘ ସଭାପତି ଶ୍ରୀନିବାସ ବଳ, ସଂପାଦକ ଅଭିମନ୍ୟୁ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ଦୁଇ କଟକ ଦଳ ରାଇଜିଂ ଷ୍ଟୁଡେଣ୍ଟ୍‌ ଓ ୟୁନିୟନ ସ୍ପୋର୍ଟିଂ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର