ସ୍ୱର୍ଣ୍ଣଲତାଙ୍କ ଏଭରେଷ୍ଟ ସ୍ୱପ୍ନ ୨୭ରୁ ଅଭିଯାନ

ଭୁବନେଶ୍ୱର: କଳ୍ପନା ଦାସଙ୍କ ପରେ ଆଉ ଜଣେ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ ‘ଏଭରେଷ୍ଟ’ର ଶିଖର ଛୁଇଁବା ଲାଗି ସଜବାଜ ହେଉଛନ୍ତି। ବଡ଼ କଥା ହେଲା ଓଡ଼ିଶାରେ ପର୍ବତାରୋହଣ ଭଳି ଦୁଃସାହସିକ କ୍ରୀଡ଼ାର ପ୍ରଚାର ପ୍ରସାର ଲାଗି ୨୦୧୬ରୁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ’ରେ ସାମିଲ ହୋଇ ସ୍ୱର୍ଣ୍ଣଲତା ଏକମାତ୍ର ପର୍ବତାରୋହୀ ଭାବେ ଏଭରେଷ୍ଟ ଅଭିଯାନରେ ଯିବା ଲାଗି ମନୋନୀତ ହୋଇଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗର ନିକଟସ୍ଥ ଜାଗଢ଼ିଆ ଗ୍ରାମର ଏହି ୨୦ ବର୍ଷୀୟା ଆଦିବାସୀ ଝିଅ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନରେ ସାମିଲ ହେବା ପରେ ଏଭରେଷ୍ଟ ବେସ୍‌କ୍ୟାମ୍ପ, ମାଉଣ୍ଟ ରୁଦୁଗାଇରା ଓ ମାଉଣ୍ଟ ଆକନକାଗୁଆ ବେସ୍‌କ୍ୟାମ୍ପ ସହ ହିମାଳୟ ପାର୍ବତ୍ୟାଞ୍ଚଳରେ ଥିବା ବହୁ ଛୋଟ ବଡ଼ ଗିରିଶୃଙ୍ଗକୁ ସଫଳତାର ସହ ଆରୋହଣ କରିଥିଲେ। ଏହି ଅଭିଞ୍ଜତାରୁ ହିଁ ଏଭରେଷ୍ଟ ଉପରେ ପାଦ ଥାପିବା ଲାଗି ତାଙ୍କୁ ଆତ୍ମବିଶ୍ୱାସ ମିଳିଛି। ସଂପ୍ରତି ସେ ଉତ୍ତରକାଶୀରେ ରହି ଏଥିଲାଗି ମାନସିକ ଏବଂ ଶାରୀରିକ ଭାବେ ପ୍ରସ୍ତୁତି ଚଳାଇଛନ୍ତି। ସେ ମଧ୍ୟ ଭୁବନେଶ୍ୱର ଏବଂ କୋଲକାତାରେ ଅନୁଷ୍ଠିତ ମାରାଥନରେ ଅଂଶ ଗ୍ରହଣ କରି ନିଜକୁ ଫିଟ୍‌ ରଖିଛନ୍ତି। ସ୍ୱର୍ଣ୍ଣଲତାଙ୍କ ସହ ପୁନମ ଏବଂ ସନ୍ଦୀପ ତୋଲିଆ ନାମକ ଆଉ ଦୁଇ ପର୍ବତାରୋହୀ ମଧ୍ୟ ଚଳିତ ମାସରେ ଏଭରେଷ୍ଟ ଅଭିଯାନରେ ଯିବେ। ଏହି ପ୍ରତୀକ୍ଷିତ ଅଭିଯାନ ଚଳିତ ମାସ ୨୭ ତାରିଖରେ ଆରମ୍ଭ ହେବ। ପାଖା ପାଖି ଦୁଇ ମାସ ପରେ ସ୍ୱର୍ଣ୍ଣଲତା ଏଭରେଷ୍ଟ ଉପରେ ପହଞ୍ଚିବେ। ତେବେ ଏହା ପାଗ ଏବଂ ପରିବେଶ ଉପରେ ଅଧିକ ନିର୍ଭର କରିବ।

ସ୍ୱର୍ଣ୍ଣଲତା ଆସନ୍ତା ୨୭ରେ ଦିଲ୍ଲୀରୁ କାଠମାଣ୍ଡୁ ଯିବା ପରେ ସେଠାରୁ ଜିରି ନାମକ ସ୍ଥାନରୁ ବାହାରି ହିମାଳୟ ବେସ୍‌କ୍ୟାମ୍ପରେ ପହଞ୍ଚିବେ। ସେଠାରେ ଏକମାସରୁ ଅଧିକ ସମୟ ରହି ପରିବେଶ ସହ ନିଜକୁ ଖାପ ଖୁଆଇବା ପରେ ଏଭରେଷ୍ଟ ଚଢ଼ିବା ଆରମ୍ଭ କରିବେ। ଟାଟା ଷ୍ଟିଲ୍‌ ଦୁଃସାହସିକ ପ୍ରତିଷ୍ଠାନ ବା ଟିଏସ୍‌ଏଏଫ୍‌ ଏ ଦିଗରେ ତାଙ୍କୁ ବୈଷୟିକ ସହାୟତା ପ୍ରଦାନ କରିବ। ଜିରି ବାଟ ଦେଇ ଦେଶର ପ୍ରଥମ ମହିଳା ପର୍ବତାରୋହୀ ବଚ୍ଛେନ୍ଦ୍ରୀ ପାଲ ଏଭରେଷ୍ଟ ଉପରେ ପାଦ ଥାପି ଥିଲେ। ସ୍ୱର୍ଣ୍ଣଲତା ସଂପ୍ରତି ତାଙ୍କଠାରୁ ପାହାଡ଼ଚଢ଼ାର କଳା କୌଶଳ ଶିଖୁଥିବାରୁ ସେ ମଧ୍ୟ ଖୁବଶୀଘ୍ର ଏଭରେଷ୍ଟ ଚଢ଼ିବା କୀର୍ତ୍ତିମାନର ଅଧିକାରୀ ହୋଇପାରିବେ ବୋଲି ଆଶା କରାଯାଉଛି। ବୁଧବାର ଏକ ସ୍ଥାନୀୟ ହୋଟେଲରେ ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟାଟା ଷ୍ଟିଲ୍‌ର ଆବାସିକ ମୁଖ୍ୟ କାର୍ଯ୍ୟନିର୍ବାହୀ ମଣିକାନ୍ତ ନାୟକ, ଏଭରେଷ୍ଟ ବିଜୟୀ ତଥା ଟିଏସ୍‌ଏଏଫ୍‌ର ବରିଷ୍ଠ ପ୍ରବନ୍ଧକ ହେମନ୍ତ ଗୁପ୍ତା, ରାଜ୍ୟ କ୍ରୀଡ଼ା ବିଭାଗର ଓଏସ୍‌ଡି ଚଞ୍ଚଲ ରଣା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଣ୍ଣଲତାଙ୍କ ସଂଘର୍ଷପୂର୍ଣ୍ଣ ପାହାଡ଼ଚଢ଼ା ଅଭିଯାନ ଉପରେ ଆଲୋକପାତ କରିଥିଲେ।

ଯାଜପୁରରୁ ଜିରି
ଯାଜପୁରରୁ ଜିରି ଦେଇ ଏଭରେଷ୍ଟ ଉପରେ ପାଦ ଥାପିବା ଲାଗି ସ୍ୱର୍ଣ୍ଣଲତା ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଏକ ଗରିବ ପରିବାରରୁ ଆସି ନିଜ ଏକାଗ୍ରତା ଏବଂ ନିଷ୍ଠା ବଳରେ ଟାଟା ଷ୍ଟିଲ୍‌ ଦୁଃସାହସିକ ପ୍ରତିଷ୍ଠାନରେ ପହଞ୍ଚି ପାରିଛନ୍ତି। ସେ ହେଉଛନ୍ତି ଜାଗଢ଼ିଆ ଗ୍ରାମର କୃଷକ ମହେଶ୍ୱର ଦଳେଇ ଏବଂ ପ୍ରମିଳା ଦଳେଇଙ୍କ ତୃତୀୟ ସନ୍ତାନ। ୪ ଭଉଣୀ ଏବଂ ଗୋଟିଏ ଭାଇଙ୍କ ମଧ୍ୟରେ ବଢ଼ିଥିବା ସ୍ୱର୍ଣ୍ଣଲତା ଯାଜପୁରର ଜେନାପୁର ମହାବିଦ୍ୟାଳୟରେ ତୃତୀୟ ବର୍ଷର କଳା ସ୍ନାତକ ଛାତ୍ରୀ। ନିଜ ଲକ୍ଷ୍ୟରେ ସଫଳ ହେଲେ ଏଭରେଷ୍ଟ ଚଢ଼ିବାରେ ସେ ରାଜ୍ୟର ସପ୍ତମ ପର୍ବତାରୋହୀ ହେବେ। ତାଙ୍କ ପୂର୍ବରୁ ୬ ଜଣ ଓଡ଼ିଆ କଳ୍ପନା ଦାସ, ଗଣେଶ ଜେନା, ଯୋଗବ୍ୟାସ ଭୋଇ, କ୍ୟାପଟେନ୍‌ ଦେବୀଦତ୍ତ ପଣ୍ଡା, ସ୍ୱର୍ଗତ ପ୍ରଦୀପ ସାହୁ ଏବଂ ତାଙ୍କ ପତ୍ନୀ ଚେତନା ସାହୁ ସଫଳତାର ସହ ଏଭରେଷ୍ଟ ଆରୋହଣ କରି ସାରିଛନ୍ତି। ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନରେ ପ୍ରଥମେ ୫୦ ପିଲା ମନୋନୀତ ହୋଇଥିଲେ। ଯାହାକୁ ପରେ ୩୦କୁ କମାଇ ଦିଆ ଯାଇଥିଲା। ଏହା ପରେ ୧୫ ଜଣିଆ ସଂକ୍ଷିପ୍ତ ଦଳ ବଛାଯାଇ ସେମାନଙ୍କୁ ଟିଏସ୍‌ଏଏଫ୍‌ରେ ପ୍ରଶିକ୍ଷଣ ଦିଆ ଯାଇଥିଲା। ଏହି ୧୫ ଜଣିଆ ଦଳରୁ ଏଭରେଷ୍ଟ ଯିବାଲାଗି ମନୋନୀତ ହେବାରେ ସ୍ୱର୍ଣ୍ଣଲତା ହେଉଛନ୍ତି ଏକମାତ୍ର ଭାଗ୍ୟଶାଳୀ ପର୍ବତାରୋହୀ। ଦେଶର ପ୍ରଥମ ଏଭରେଷ୍ଟ ବିଜୟିନୀ ବଚ୍ଛେନ୍ଦ୍ରୀ ପାଲଙ୍କୁ ଭେଟିବା ପରେ ହିଁ ଏଭରେଷ୍ଟ ଚଢ଼ିବା ଲାଗି ତାଙ୍କ ମନରେ ଆଗ୍ରହ ଜାତ ହୋଇଥିଲା। ପର୍ବତାରୋହଣ ଆରମ୍ଭ କରିବାର ମାତ୍ର ଦୁଇ ବର୍ଷ ଭିତରେ ଏଭରେଷ୍ଟ ଚଢ଼ିବାର ସ୍ୱପ୍ନ୍‌ ଦେଖୁଥିବା ସ୍ୱର୍ଣ୍ଣଲତା ଏବେ ଓଡ଼ିଶା ଝିଅଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଟାଟା ଷ୍ଟିଲ ତାଙ୍କର ଏହି ଅଭିଯାନକୁ ପ୍ରାୟୋଜିତ ଏବଂ ଟାଟା ଷ୍ଟିଲ୍‌ ଦୁଃସାହସିକ ପ୍ରତିଷ୍ଠାନ ବା ଟିଏସ୍‌ଏଏଫ୍‌ ଏହାକୁ ଆୟୋଜନ କରିବ।

ସମ୍ବନ୍ଧିତ ଖବର