ଫାଓ ଜିତିଲା ଟାଟା-ଉତ୍କଳିକା କପ୍‌

ଭୁବନେଶ୍ୱର: ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ) ଏକାଦଶ ଟାଟା-ଉତ୍କଳିକା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୬ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାର ଗୁରୁବାର ଫାଇନାଲ୍‌ରେ ଫାଓ ୪-୨ ଟାଏବ୍ରେକର୍‌ରେ ଜାମ୍‌ସେଦ୍‌ପୁରର ଟାଟା ଫୁଟ୍‌ବଲ୍‌ ଏକାଡେମି (ଟିଏଫ୍‌ଏ)କୁ ପରାସ୍ତ କରିଛି। ନିର୍ଧାରିତ ସମୟ ମଧ୍ୟରେ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଶେଷ ହେବା ପରେ ବିଜେତା ଲାଗି ଟାଏବ୍ରେକର୍‌ର ସହଯୋଗ ନିଆଯାଇଥିଲା। ଏଥିରେ ସୁନୀଲ ସର୍ଦାର, ଡି ଶ୍ରୀନାଥ, କାର୍ତିକ ଭୋଳ ଓ ରୁଦ୍ର ପ୍ରଧାନଙ୍କ ଜରିଆରେ ଫାଓ ନିଜର ୫ ପେନାଲ୍‌ଟି କିକ୍‌ରୁ ପ୍ରଥମ ଚାରିଟିକୁ ଗୋଲ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଟିଏଫ୍‌ଏ ପକ୍ଷରୁ ବାସେତ୍‌ ହାଁସ୍‌ଦା ଓ ଗୋରାଚାନ୍ଦ୍‌ ମାର୍ଣ୍ଡି ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଫାଓ ଏକାଦଶର ଗୋଲ୍‌ ରକ୍ଷକ ସୌମ୍ୟ ଦାସ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ଗୋରାଚାନ୍ଦ ମାର୍ଣ୍ଡି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେହିଭଳି ବାରବାଟୀ ସ୍ପୋର୍ଟିଂର ସେଖ୍‌ କମଲୁଦ୍ଦିନ୍‌ଙ୍କୁ ଶ୍ରେଷ୍ଠ ଗୋଲ୍‌ରକ୍ଷକ, ଫାଓର କାର୍ତିକ ଭୋଳଙ୍କୁ ଶ୍ରେଷ୍ଠ ରକ୍ଷଣଭାଗ, ଟିଏଫ୍‌ଏର ମହମ୍ମଦ ଫିରୋଜ ଖାନ୍‌ଙ୍କୁ ଶ୍ରେଷ୍ଠ ମଧ୍ୟଭାଗ ଏବଂ ଫାଓର ବିଜୟ ବେହେରାଙ୍କୁ ଶ୍ରେଷ୍ଠ ପୁରଭାଗ ଖେଳାଳି ପୁରସ୍କାର ମିଳିଥିଲା। ରାଜୁ ମହାନ୍ତି, ଶିବଶଙ୍କର ପଣ୍ଡା, ରାଜେନ୍ଦ୍ର ବାରିକ, ପ୍ରଦୀପ୍ତ ନାୟକ ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ସୁଶାନ୍ତ ମହାନ୍ତି ମ୍ୟାଚ୍‌ କମିସନର ଥିଲେ।
ଉଦ୍‌ଯାପନୀ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୨୫୦୦୦ ଏବଂ ୧୫୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଅନୁଗୁଳ-ସୁକିନ୍ଦା ରେଳବାଇ ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟ, ଟାଟା ଷ୍ଟିଲ୍‌ର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ମଣିକାନ୍ତ ନାୟକ, ଆବାସିକ କାର୍ଯ୍ୟନିର୍ବାହୀ ନୃସିଂହ ଚରଣ ମହାପାତ୍ର, ଫାଓ ଉପସଭାପତି ଭକ୍ତ ବଲ୍ଲଭ ଦାସ, ଭୁବନେଶ୍ୱର ଦୌଡ଼କୁଦ ସଂଘ ଯୁଗ୍ମ ସମ୍ପାଦକ ନବ ରଂଜନ ପଟ୍ଟନାୟକ, ଆୟୋଜକ ସଂଘର ସଭାପତି ତପନ କୁମାର ମହାନ୍ତି, ଉପସଭାପତି ଅକ୍ଷୟ କୁମାର ଦାସ ଓ ପ୍ରଫୁଲ୍ଲ ମିଶ୍ର, ସମ୍ପାଦକ ଦିଲ୍ଲୀପ ଦାସ, ଅମୀୟକାନ୍ତ ମିଶ୍ର ଏବଂ ଚୌଧୁରୀ ପ୍ରିୟନାଥ ମିଶ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ସ୍ଥାନୀୟ ଖେଳାଳି ସୌମ୍ୟ ଦାସ, ରାଜେଶ ନାୟକ ଏବଂ କାର୍ତିକ ଭୋଳଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର