ଆଇପିଏଲ୍‌ ଆୟୋଜନ ପାଇଁ ଏକାଧିକ ସହର ସନ୍ଧାନରେ ବିସିସିଆଇ

ନୂଆଦିଲ୍ଲୀ: କରୋନା ମହାମାରୀଜନିତ କଟକଣାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଆଗାମୀ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୧) ସଂସ୍କରଣକୁ ଗୋଟିଏ ସହରରେ ଆୟୋଜନ କରିବାର ଯୋଜନା ରଖିଥିଲା। ହେଲେ ଏବେ ଏହାକୁ ୪ କିମ୍ବା ୫ ସହରରେ ଆୟୋଜନ କରିବାକୁ ସ୍ଥିର କରିଛି। ସେଥିପାଇଁ ଏକାଧିକ ସହର ସନ୍ଧାନରେ ରହିଛି ବିସିସିଆଇ। ଏହିସବୁ ସମ୍ଭାବ୍ୟ ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ, କୋଲ୍‌କାତା, ଚେନ୍ନାଇ ଓ ହାଇଦ୍ରାବାଦର ନାମ ରହିଛି। ଅବଶ୍ୟ ଏହା କେତେଦୂର ସମ୍ଭବ ହୋଇପାରିବ ସେନେଇ ଆଲୋ‌ଚନାର ଆବଶ୍ୟକତା ରହିଛି। ତଥାପି ବିସିସିଆଇର ବରିଷ୍ଠ ଅଧିକାରୀମାନେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଯଦି ଏହି ଯୋଜନା ଆଗକୁ ବଢ଼େ ତାହାଲେ ୨୦୨୧ ଆଇପିଏଲ୍‌ ସଂସ୍କରଣ ନିଶ୍ଚିତ ଏକାଧିକ ସହରରେ ଆୟୋଜିତ ହୋଇପାରିବ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି। ଏକାଧିକ ସହରରେ ମ୍ୟାଚ୍‌ ଆୟୋଜନ ହୋଇପାରିଲେ ଅଧିକରୁ ଅଧିକ ପ୍ରଶଂସକ ଉପଭୋଗ କରିପାରିବେ। ତେବେ ଜୈବ ସୁରକ୍ଷା ବଳୟର ସ୍ଥିତି ଏବଂ ଗମନାଗମନର ବ୍ୟବସ୍ଥା ଭେନ୍ୟୁ ଚୂଡାନ୍ତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ। ଆଇପିଏଲ୍‌ରେ ଅଂଶଗ୍ରହଣକାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଆମର ପ୍ରାଥମିକତା ହେବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ତେବେ ଆଇପିଏଲ୍‌ ଆୟୋଜନ ପାଇଁ ଯଥେଷ୍ଟ ସମୟ ଥିବାରୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ଆଶା ବାନ୍ଧିଛି।

ସମ୍ବନ୍ଧିତ ଖବର