ସୁନ୍ଦରୀ ଆଲିସାଙ୍କ ଟୋକିଓ ସ୍ବପ୍ନ

ବର୍ଲିନ: ଜର୍ମାନୀର ଚର୍ଚିତ ଧାବିକା ଆଲିସା‌ ସ୍କମିଟଙ୍କୁ ବିଶ୍ବର ସବୁଠାରୁ ସୁନ୍ଦରୀ ଆଥଲେଟ୍‌ର ମାନ୍ୟତା ମିଳିଛି। ୨୧ ବର୍ଷୀୟା ଆଲିସା ସଂପ୍ରତି ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବା ଚେଷ୍ଟା ଚଳାଇଛନ୍ତି। ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ସ୍ଥଗିତ ହୋଇଥିଲେ ମଧ୍ୟ ଏଥିନେଇ ସେ ଆଦୌ ବିଚଳିତ ନାହାନ୍ତି। ନିଜ ଅଭ୍ୟାସ ଓ ପ୍ରଶିକ୍ଷଣକୁ ସେ ଆହୁରି ତୀବ୍ରତର କରିଛନ୍ତି। ୨୦୧୭ରେ ଆଲିସାଙ୍କୁ ତାଙ୍କ ଆକର୍ଷଣୀୟ ଚେହେରା ଲାଗି ‘ବିଶ୍ବ ଟ୍ରାକ୍ ଆଣ୍ଡ ଫିଲ୍ଡ’ ଜଗତର ସବୁଠାରୁ ସୁନ୍ଦରୀ ତାରକାର ଉପାଧୀ ମିଳିଥିଲା। ସଂପ୍ରତି ସେ ଜର୍ମାନୀ କ୍ରୀଡ଼ା ଜଗତର ସବୁଠାରୁ ଲୋକପ୍ରିୟ ନାୟିକା‌। ସେଥିପାଇଁ ଏହି ମଧ୍ୟମ ଦୂର ଧାବିକାଙ୍କୁ ବଡ଼ ବଡ଼ କଂପାନି ନିଜ ନିଜ ବିଜ୍ଞାପନରେ ନେବାକୁ ବ୍ୟଗ୍ର। ଦୁଇ ବର୍ଷ ପୂର୍ବେ ୟୁରୋପୀୟ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଜର୍ମାନୀ ରିଲେ ଦଳକୁ ରୌପ୍ୟ ପଦକ ଜିତାଇବାରେ ଆଲିସା‌ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ମଧ୍ୟ ୟୁରୋପୀୟ ୨୩ ବର୍ଷରୁ କମ୍ ଦୌଡ଼କୁଦରେ ଜର୍ମାନୀ ଦଳକୁ କାଂସ୍ୟ ପଦକ ଜିତାଇଥିଲେ। ଆଲିସାଙ୍କ ପସନ୍ଦ ହେଉଛି ୨୦୦ ଓ ୪୦୦ ମିଟର ଦୌଡ଼। ଜର୍ମାନୀର କିଂବଦନ୍ତି ଧାବିକା ମାରିଟା କୋଚ୍‌ଙ୍କୁ ସେ ନିଜର ଆଦର୍ଶ ମାନନ୍ତି। କୋଚ୍‌ଙ୍କ ନାଁରେ ଏବେବି ୪୦୦ ମିଟର ବିଶ୍ବ କୀର୍ତ୍ତିମାନ (୪୭.୬ ସେକେଣ୍ଡ) ରହିଛି। ଯାହାକୁ ସେ ୧୯୮୫ ମସିହାରେ ହାସଲ କରିଥିଲେ। ଆଲିସା ଦୌଡ଼କୁଦରେ ସକ୍ରୀୟ ରହିବା ସହ ମଡେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି।

ସମ୍ବନ୍ଧିତ ଖବର