ପ୍ରଥମ ହଣ୍ଡ୍ରେଡ୍‌ ପ୍ରତିଯୋଗିତା: ସଦର୍ନ ବ୍ରେଭ୍‌କୁ ପୁରୁଷ, ଓଭାଲ ଇନ୍‌ଭିନ୍‌ସିବେଲ୍ସକୁ ମହିଳା ଟ୍ରଫି

ଲଣ୍ଡନ: ପ୍ରଥମ ଥର ଲାଗି ଆୟୋଜିତ ଦ ହଣ୍ଡ୍ରେଡ୍‌ କ୍ରିକେଟ୍‌ ପ୍ରତିଯୋଗିତାର ପୁରୁଷରେ ସଦର୍ନ ବ୍ରେଭ୍‌ ଏବଂ ମହିଳାରେ ଓଭାଲ୍‌ ଇନ୍‌ଭିନ୍‌ସିବେଲ୍ସ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି। ମାସେ ଧରି ଚାଲିଥିବା ୧୦୦ ବଲ୍‌ ବିଶିଷ୍ଟ କ୍ରିକେଟ୍‌ର ନୂଆ ଫର୍ମାଟ୍‌ ପ୍ରତିଯୋଗିତା ଶନିବାର ଶେଷ ହୋଇଛି। ପୁରୁଷ ଫାଇନାଲ୍‌ରେ ସଦର୍ନ ବ୍ରେଭ୍‌ ୩୨ ରନ୍‌ରେ ବିର୍ମିଂହାମ ଫୋନିକ୍ସକୁ ପରାସ୍ତ କରିଥିଲା। ପଲ୍‌ ଷ୍ଟିର୍ଲିଂଙ୍କ ଅର୍ଧଶତକ (୬୧ ରନ୍‌, ୩୬ ବଲ୍‌, ୨ ଚୌକା, ୬ ଛକା) ଏବଂ ରସ୍‌ ହ୍ବାଇଟ୍‌ଲେଙ୍କ ୪୪ ରନ୍ (୧୯ ବଲ୍‌, ୪ ଚୌକା, ୪ ଛକା) ବଳରେ ସଦର୍ନ ବ୍ରେଭ୍‌ ୧୬୮/୫ କରିଥିଲା। ଜବାବରେ ପୋନିକ୍ସ ଦଳ ୫ ୱିକେଟ୍‌ ହରାଇ ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଲିଅମ ଲିଭିଂଷ୍ଟୋନ୍‌ ୪୬ (୧୯ ବଲ୍‌, ୪ ଚୌକା, ୪ ଛକା) ଏବଂ ମୋଇନ ଅଲୀ ୩୬ ରନ୍‌ କରିଥିଲେ। ପଲ୍‌ ‌ଷ୍ଟିଲିଂ ଫାଇନାଲ୍‌ର ଏବଂ ଲିଅମ ଲିଭିଂଷ୍ଟୋନ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ମହିଳା ଫାଇନାଲ୍‌ରେ ଓଭାଲ୍‌ ଇନ୍‌ଭିନ୍‌ସିବେଲ୍ସ ୪୮ ରନ୍‌ରେ ସଦର୍ନ ବ୍ରେଭ୍‌କୁ ପରାସ୍ତ କରିଥିଲା। ଇନ୍‌ଭିନ୍‌ସିବେଲ୍ସ ନିର୍ଦ୍ଧାରିତ ୧୦୦ ବଲ୍‌ରେ ୬ ୱିକେଟ୍‌ ହରାଇ ୧୨୧ ରନ୍‌ କରିଥିଲା। ମାରିଜାନ କ୍ୟାପ୍‌ ଓ ଡାନ୍‌ ଭାନ୍ ନିକର୍କ ୨୬ ରନ୍‌ ଲେଖାଏଁ କରିଥିଲେ। ଜବାବରେ ବ୍ରେଭ୍ ଦଳ ୯୮ ବଲ୍‌ରେ ସମସ୍ତ ୱିକେଟ୍‌ ହରାଇ ୭୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମାରିଜାନ କ୍ୟାପ୍‌ ୪/୯ ବୋଲିଂ ସଫଳତା ପାଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ କ୍ୟାପ୍‌ ଫାଇନାଲ୍‌ର ଏବଂ ଡାନ୍‌ ଭାନ୍ ନିକର୍କ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର