ଧୋନି-କୋହଲିଙ୍କ ମଧୁର ମୁହୂର୍ତ୍ତକୁ ମନେପକାଇଲା ଆଇସିସି

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଏବର ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପଡ଼ିଆ ହେଉ କି ବାହାରେ ଏହି ଦୁଇ ତାରକା ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଭଲ ସଂପର୍କ ରହିଛି। ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପୂର୍ବତନ ଅଧିନାୟକ ‌ଧୋନି ଏବଂ କୋହଲିଙ୍କର ୨୦୧୪ ଟି-୨୦ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ୍‌ର ଏକ ବିଶେଷ ମୁହୂର୍ତ୍ତର ଭିଡିଓକୁ ନିଜ ଟ୍ବିଟର୍‌ ପୃଷ୍ଠାରେ ପ୍ରକାଶ କରିଛି। ଏହାର ଶିରୋନାମାରେ ଆଇସିସି ଲେଖିଛି ‘‘୨୦୧୪ ଟି-୨୦ ବିଶ୍ବକପ୍‌ର ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ୍‌ର ଏହି ଭିଡିଓକୁ ସମୀକ୍ଷା କର। ‌ଏମ୍ଏସ୍‌ ଧୋନି ମ୍ୟାଚ୍‌ ଶେଷ କରିବା ଲାଗି ବିରାଟ କୋହଲିଙ୍କୁ କିଭଳି ସୁନ୍ଦର ଭଙ୍ଗୀରେ ଇସାରା କରୁଛନ୍ତି’’।

ଏହି ମ୍ୟାଚ୍‌ର ୧୯ତମ ଓଭରର ଶେଷ ‌ବଲ୍‌ ପୂର୍ବରୁ ସ୍କୋର୍‌ ବରାବର ଥିଲା। ଧୋନି ବ୍ୟାଟିଂ କରୁଥିଲେ, ଅପରପକ୍ଷରେ ବୋଲିଂ କରୁଥିଲେ ବୁରାନ ହେଣ୍ଡ୍ରିକ୍ସ। ହେଣ୍ଡ୍ରିକ୍ସ ଧୀମା ଏବଂ ସଟ୍‌ ବଲ୍‌ ପକାଇଥିଲେ। ଧୋନି ଚାହିଁଥିଲେ ସେହି ବଲ୍‌ରେ ବିଜୟ ସୂଚକ ରନ୍‌ କରିପାରିଥା’ନ୍ତେ। ହେଲେ ତାହା ନକରି ସେ ବିଜୟ ସୂଚକ ରନ୍‌ କରିବାକୁ କୋହଲିଙ୍କୁ ସୁଯୋଗ ଦେଇଥିଲେ। ଖାସ୍ ସେଇଥିପାଇଁ ଧୋନି ସେହି ବଲ୍‌ରୁ କୌଣସି ରନ୍‌ ‌ନନେବା ଉଦେଶ୍ୟରେ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ଅନ୍ୟପଟରେ ଥିବା କୋହଲି ଏହା ଦେଖି ମୁରୁକି ହସୁଥିଲେ। ତେବେ ଶେଷ ଓଭର ବୋଲିଂ କରିବାକୁ ଆସିଥିବା ଡେଲ୍‌ ଷ୍ଟେନ୍‌ଙ୍କ ପ୍ରଥମ ବଲ୍‌କୁ ଚୌକା ମାରି କୋହଲି ବିଜୟ ମୁଣ୍ଡି ମାରିଥିଲେ ଏବଂ ଭାରତ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା। ସୂଚନାଯୋଗ୍ୟ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ୍‌ (୫୮ ରନ୍‌)ଙ୍କ ଅର୍ଧଶତକ ବଳରେ ୧୭୨/୪ କରିଥିଲା। ଜବାବରେ କୋହଲି ଅପରାଜିତ ୭୨* ରନ୍‌ (୪୪ ବଲ୍‌, ୨ ଛକା, ୫ ଚୌକା) ବଳରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର