ଆହତ ସତ୍ତ୍ବେ ଅଭ୍ୟାସ ଆରମ୍ଭ, ବିସିସିଆଇ ଚାପ ଆଗରେ ମୁଣ୍ଡ ନୋଇଲା ‘ସିଏ’

ଭାରତୀୟ ଦଳକୁ ହୋଟେଲ ସୁବିଧା ଦେବାକୁ ବାଧ୍ୟ ହେଲା

ବ୍ରିସବେନ୍: ଆଘାତ ଜନିତ ସମସ୍ୟା ସହ ଜୁଝୁଥିବା ଭାରତୀୟ କ୍ରିକେଟ୍ ଦଳ ବ୍ରିସବେନ୍‌ର ଗାବା ଷ୍ଟାଡିୟମ୍‌ରେ ବୁଧବାର ପ୍ରଥମ ଅଭ୍ୟାସ ଅଧିବେଶନ କରିଛି। ହୋଟେଲ୍‌ରେ ନିମ୍ନମାନର ସୁବିଧାସୁଯୋଗ ମିଳୁଥିବା ଅଭିଯୋଗ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆର ସ୍ଥିତି ସୁଧାରିବା ପ୍ରତିଶ୍ରୁତି ଭିତରେ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ଅଧିବେଶନରେ ଦଳର ଫିଟ୍ ଖେଳାଳିଙ୍କ ସହ ଶତପ୍ରତିଶତ ଫିଟ୍ ନଥିବା କିଛି ଖେଳାଳି ବି ଅଂଶଗ୍ରହଣ କରିଥିଲେ। ସବୁଠାରୁ ବଡ଼ କଥା ହେଲା ତଳିପେଟ ମାଂସପେଶୀ ମୋଡ଼ି ହେବା ପରେ ବ୍ରିସବେନ୍‌ ଟେଷ୍ଟ୍‌ରୁ ବାଦ୍ ପଡ଼ି ସାରିଥିବା ଘାତକ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ମଧ୍ୟ ଏହି ଅବସରରେ ପଡ଼ିଆ ଭିତରେ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା, ଶୁବମନ ଗିଲ୍, ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସହ ଅନ୍ୟମାନେ ପୂରା ଏକାଗ୍ରତାର ସହ ଅଭ୍ୟାସ କରିଥିଲେ। ଅଭ୍ୟାସ ପୋଷାକରେ ନଥିଲେ ମଧ୍ୟ ବୁମ୍‌ରା ଢେର କିଛି ସମୟ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ବିସିସିଆଇ ମଧ୍ୟ ଟ୍ବିଟ୍ କରି ଭାରତୀୟ ଖେଳାଳି ଗସ୍ତର ଅନ୍ତିମ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ସୂଚନା ଦେଇଛି। ‘‘ସିଡ୍‌ନିରେ ଐତିହାସିକ ଟକ୍କର ପରେ ଏବେ ପୁଣି ଥରେ ଏକାଠି ହେବାର ସମୟ ଆସିଯାଇଛି। ଆମେ ଗାବାରେ ଖେଳାଯିବାକୁ ଥିବା ଚୂଡ଼ାନ୍ତ ଟେଷ୍ଟ୍ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛୁ’’ ବୋଲି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ନିଜ ଟ୍ବିଟର୍‌ ପୃଷ୍ଠାରେ ଲେଖିଛି।

ସିଡ୍‌ନି ଟେଷ୍ଟ୍ ‌ଖେଳିଥିବା ଦଳର ୩ରୁ ୪ ଜଣ ଖେଳାଳି ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ଭାରତ ବ୍ରିସବେନ୍‌ରେ ନୂଆ ଦଳୀୟ ସମୀକରଣ ନେଇ ପଡ଼ିଆକୁ ଓହ୍ଲାଇବ। ସେହିଦୃଷ୍ଟିରୁ ବୁଧବାର ଅଭ୍ୟାସ ଅଧିବେଶନର ଢେର ମହତ୍ବ ଥିଲା ବେଳେ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଢେର ସମୟ ନେଟ୍‌ରେ ବୋଲିଂ କରିବା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ବୁଢ଼ା ଆଙ୍ଗୁଠି ଭାଙ୍ଗିବା ପରେ ସେ ଗାବାରେ ଖେଳିବାର କୌଣସି ସମ୍ଭାବନା ନଥିବାରୁ ତାଙ୍କ ସ୍ଥାନ ନେବା ଦୌଡ଼ରେ ୱାସିଂଟନ ସୁନ୍ଦରଙ୍କ ସହ କୁଲଦୀପ ମଧ୍ୟ ସାମିଲ ହୋଇଛନ୍ତି। ସୁନ୍ଦରଙ୍କ ସହ ଦୁଇ ଯୁବ ବୋଲର ସାର୍ଦୁଲ ଠାକୁର ଓ ଟି ନଟରାଜନ ମଧ୍ୟ ଆଜି ଜୋରଦାର ଅଭ୍ୟାସ କରିଥିଲେ। ଏହି ଦୁଇ ଜଣଙ୍କ ଭିତରୁ ଜଣେ ବୁମ୍‌ରାଙ୍କ ସ୍ଥାନ ନେବା ଏକପ୍ରକାର ନିଶ୍ଚିତ। ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ବୁମ୍‌ରା ଓ ଭୁବନେଶ୍ବର କୁମାରଙ୍କ ଭଳି ବରିଷ୍ଠ ଓ ଅଭିଜ୍ଞ ବୋଲର ନଥିବାରୁ ଶୃଙ୍ଖଳା ନିର୍ଣ୍ଣାୟକ ବ୍ରିସବେନ୍ ଟେଷ୍ଟ୍‌ରେ ମହମ୍ମଦ ସିରାଜ ହିଁ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃତ୍ବ ନେବେ। ନଭଦୀପ ସୈନି ମଧ୍ୟ ଦଳରେ ରହିବେ। ବୁଧବାର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ନେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ଖେଳାଳିଙ୍କୁ ଦଳର ଆଭିମୁଖ୍ୟ ଓ ଲକ୍ଷ୍ୟ ବିଷୟରେ ବିସ୍ତୃତ ବିବରଣୀ ଦେଉଥିବା ଲକ୍ଷ୍ୟ କରାଯାଇଥିଲା। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର, କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର ଶ୍ରୀଧର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଚାରି ଟିକିଆ ଶୃଙ୍ଖଳାର ପ୍ରଥମ ତିନିଟି ଟେଷ୍ଟ୍ ପରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ଏଣୁ ଶେଷ ଟେଷ୍ଟ୍‌ରେ ଭାରତ ବିଜୟୀ ହେଲେ କିମ୍ବା ଡ୍ର’ ରଖିପାରିଲେ ଗତ ଶୃଙ୍ଖଳା ଜିତିଥିବା ଆଧାରରେ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିବ।

ବିସିସିଆଇ ଚାପ ଆଗରେ ମୁଣ୍ଡ ନୋଇଲା ‘ସିଏ’
ଭାରତୀୟ ଦଳକୁ ହୋଟେଲ ସୁବିଧା ଦେବାକୁ ବାଧ୍ୟ ହେଲା
ବ୍ରିସ୍‌ବେନ୍‌ରେ ହୋଟେଲରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ନେଇ ଅଭିଯୋଗ କରିବାରୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ହସ୍ତକ୍ଷେପ କରିଥିଲା। ଏପରିକି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଦେଇଥିବା ପୂର୍ବ ପ୍ରତିଶ୍ରୁତି ଉପରେ ଅଟଳ ରହିଥିଲା। ଶେଷରେ ବିସିସିଆଇର ଚାପ ଆଗରେ ମୁଣ୍ଡ ନୋଇଲା କ୍ରିକେଟ୍‌ ଅଷ୍ଟ୍ରେଲିଆ। ହୋଟେଲରେ ସମସ୍ତ ସୁବିଧା‌ ସୁଯୋଗ ଯୋଗାଇଦେବାକୁ ବ‌ାଧ୍ୟ ହୋଇଛି କ୍ରିକେଟ୍‌ ଅଷ୍ଟ୍ରେଲିଆ। ବିସିସିଆଇର ପ୍ରମୁଖ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସେଠାର କର୍ତ୍ତୃପକ୍ଷଙ୍କୁ ମାମଲା ହସ୍ତାନ୍ତର କରାଯାଇଥିଲା। ଭାରତୀୟ ଦଳର ସଦସ୍ୟମାନେ ଜିମ୍‌, ସନ୍ତରଣାଗାର ବ୍ୟବହାର କରିପାରିବା ସହିତ ସେମାନଙ୍କୁ ନିର୍ଦିଷ୍ଟ ସମୟରେ କିପରି ଖାଦ୍ୟ ଓ ପାନୀୟ ସେବା ଉପଲବ୍‌ଧ ହେବ ସେ ନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆ ପଦକ୍ଷେପ ନେଇଛି। ଭାରତୀୟ ଦଳ ପାଇଁ ବ୍ରିସ୍‌ବେନ୍‌ରେ କଟକଣାରେ କୋହଳ କରିବାକୁ ମଧ୍ୟ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଗଭର ହୋଇଛି।
ଭାରତୀୟ ଦଳ ଗାବା ଷ୍ଟାଡିୟମ୍‌ଠାରୁ ୪ କିଲୋମିଟର ଦୂର ଏକ ପଞ୍ଚତାରକା ହୋଟେଲ୍‌ରେ ରହୁଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଏଠାରେ ଭାରତୀୟ ଖେଳାଳିଙ୍କ ରହଣୀ ବ୍ୟବସ୍ଥା କରିଥିଲେ ମଧ୍ୟ ବୁଧବାର ରାତି ୮ଟା ସୁଦ୍ଧା ରୁମ୍‌ ସେବା ଏବଂ ସଫେଇ କାର୍ଯ୍ୟ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି। ତଥାପି ଗୁରୁବାର ସକାଳ ସୁଦ୍ଧା ସବୁକିଛି ସେବା ଆରମ୍ଭ ହୋଇଯିବାର ଆଶା ରଖିଛି ଭାରତୀୟ ଦଳ। ବ୍ରିସ୍‌ବେନ୍‌ରେ ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ଆରମ୍ଭ ହେବାକୁ ଆଉ ଦୁଇଦିନ ବାକି ରହିଛି। ଟେଷ୍ଟ୍‌ ଆରମ୍ଭ ହୋଇଗଲେ ସ୍ଥିତି ବଦଳିଯିବ। କାରଣ ଖେଳାଳିମାନଙ୍କୁ ଦୀର୍ଘ ସମୟ ଧରି ହୋଟେଲ ରୁମ୍‌ରେ ରହିବାକୁ ପଡ଼ିବନି। ଦିନର ଅଧିକାଂଶ ସମୟ ଖେଳାଳିମାନେ ପଡ଼ିଆରେ ବିତାଇବେ ଏବଂ ମ୍ୟାଚ୍‌ ଉପରେ ଅଧିକ ଧ୍ୟାନ ଦେବେ। ତେଣୁ ଟେଷ୍ଟ୍‌ ଆରମ୍ଭ ପୂର୍ବର ୪୮ ଘଣ୍ଟା ଆମକୁ ଅସୁବିଧା ଭିତରେ ରଖିବାର କୌଣସି କାରଣ ନାହିଁ ବୋଲି ଭାରତୀୟ ଦଳ ସୂତ୍ରରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର